ସୁନ୍ଦରଗଡ଼ ପିଡିଏସ୍ ମହାଦୁର୍ନୀତି: ବାଟବଣା ହେବ ତଦନ୍ତ, ଯୋଗାଣ ସହାୟକମାନଙ୍କୁ ଚାପ

ଷ୍ଟକ୍ ଯାଞ୍ଚ ନକରି ପରିମାଣ ଠିକ ଥିବା ରିପୋର୍ଟ ଦେବାକୁ ମସୁଧା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ପିଡିଏସ୍ ମହାଦୁର୍ନୀତି ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ପାନପୋଷ ଉପଜିଲ୍ଲାପାଳ ଗତ ୧୬ ତାରିଖରେ ତାଙ୍କ ଅଧୀନସ୍ଥ ବିଶ୍ରା, ନୂଆଗାଁ, କୁଆରମୁଣ୍ଡା, ଲାଠିକଟା ବିଡିଓ ଓ ବୀରମିତ୍ରପୁର ପୌର ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି। ତାକୁ ନେଇ ଯୋଗାଣ ଅଧିକାରୀ ସମେତ ମିଲର୍ସ, ଏଲ-୨ ଠିକାଦାର, ମାନ ଯାଞ୍ଚ ଓ ସଂଗ୍ରହ ନିରୀକ୍ଷକ (ଏପିଆଇ) ଚିନ୍ତାରେ।

କୌଣସି ପ୍ରକାରେ ତଦନ୍ତକୁ ବାଟବଣା କରି ଦୁର୍ନୀତିରୁ ମୁକୁଳିଯିବାକୁ ଆପ୍ରାଣ ଉଦ୍ୟମ ଚଲାଇଛନ୍ତି। ତଦନ୍ତକାରୀ ପଞ୍ଚାୟତ ଗୋଦାମକୁ ଯାଇ ଷ୍ଟକ୍ ଓ ବସ୍ତାର ଓଜନ ଯାଞ୍ଚ କଲେ ହିଁ ପ୍ରକୃତ ତଥ୍ୟ ପାଇବେ। କିନ୍ତୁ ଏଠାରେ ତାହା ନକରି ଅତି ଚତୁରତାର ସହ ପଞ୍ଚାୟତ ଯୋଗାଣ ସହାୟକମାନଙ୍କ ଠାରୁ ପ୍ରତି ମାସରେ ସଠିକ ପରିମାଣର ଚାଉଳ ପାଉଥିବାର ଏକ ସ୍ବୀକାରନାମା ଦେବାକୁ ଚାପ ପକାଯାଉଛି। ସେହି ସ୍ବୀକାରପତ୍ର ଆଧାରରେ ଉପଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯିବାକୁ ଯୋଜନା ହୋଇଛି।

ସବୁଠାରୁ ବଡ଼ କଥା ହେଲା, ଦୁର୍ନୀତିରେ ଯାହାଙ୍କ ସମ୍ପୃକ୍ତି ଅଭିଯୋଗ ଆସୁଛି, ସେହି ଯୋଗାଣ ନିରୀକ୍ଷକମାନେ ହିଁ ଏହି ରିପୋର୍ଟ ପ୍ରସ୍ତୁତିରେ ଲାଗିଛନ୍ତି। ଏକ ସୂଚନାକ୍ରମେ, ୧୮ ତାରିଖରେ ଲାଠିକଟା ବ୍ଲକରେ ଯୋଗାଣ ନିରୀକ୍ଷକ ସମସ୍ତ ଯୋଗାଣ ସହାୟକମାନଙ୍କୁ ଡାକି ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ଚାଉଳ ଠିକ୍ ଥିବା ସ୍ବୀକାରନାମା ଦେବାକୁ କହିଥିଲେ। ବୈଠକରେ ଯୋଗାଣ ସହାୟକମାନେ ବିନା ଓଜନ ଓ ଏସି ନୋଟରେ ଚାଉଳ ପଞ୍ଚାୟତ ଗୋଦାମରେ ଓହ୍ଲାଇ ଦିଆଯାଉଥିବା ଅଭିଯୋଗ କରିଥିଲେ।

ପଞ୍ଚାୟତ ଗୋଦାମମାନଙ୍କରେ ଚାଉଳ ଷ୍ଟକ୍ କମ୍ ରହୁଥିବା ପ୍ରକାଶ ପାଇଥିଲା। ଏହିକ୍ରମରେ ପଞ୍ଚାୟତର ପଏଣ୍ଟ ସେଲ ମେସିନ (ପସ୍)ରେ ଥିବା ଷ୍ଟକ୍ ଓ ଗୋଦାମର ପ୍ରକୃତ ଷ୍ଟକ୍ ମଧ୍ୟରେ ବହୁ ଫରକ ଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଗତ ଜୁନ ମାସରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଲାଠିକଟା ବ୍ଲକର ୮୫୩୨୭ ବିପିଏଲ, ଏପିଏଲ ଓ ୮୮୮୬ ଅନ୍ତୋଦୟ ହିତାଧିକାରୀଙ୍କ ପାଇଁ ଆବଣ୍ଟିତ ପରିମାଣ (ଆଲଟମେଣ୍ଟ) ୪୨୮୨.୮୬ କ୍ବିଣ୍ଟାଲ ଚାଉଳ ଓ ୪୨୭.୭୯ କ୍ବିଣ୍ଟାଲ ଗହମ ପଠାଯାଇଥିବା ଦର୍ଶାଯାଇଛି। ସେହିପରି ବିଶ୍ରା ବ୍ଲକର ୫୩୭୭୦ ବିପିଏଲ, ଏପିଏଲ ଓ ୪୯୩୦ ଅନ୍ତୋଦୟ ହିତାଧିକାରୀଙ୍କ ପାଇଁ ୨୫୮୯.୨୨ କ୍ବିଣ୍ଟାଲ ଚାଉଳ ଓ ୩୪୫.୭୮ କ୍ବିଣ୍ଟାଲ ଗହମ ପଠାଯାଇଥିବା ବେଳେ କୁଆରମୁଣ୍ଡା ବ୍ଲକର ୮୨୬୨୮ ବିପିଏଲ, ଏପିଏଲ ଓ ୯୭୮୯ ଅନ୍ତୋଦୟ ହିତାଧିକାରୀଙ୍କ ପାଇଁ ୪୨୬୬.୧୨ କ୍ବିଣ୍ଟାଲ ଚାଉଳ ଓ ୩୫୪.୭୩ କ୍ବିଣ୍ଟାଲ ଗହମ ଯୋଗାଣ ହୋଇଛି।

ନୂଆଗାଁ ବ୍ଲକର ୮୨୨୫୭ ବିପିଏଲ, ଏପିଏଲ ଓ ୮୯୭୬ ଅନ୍ତୋଦୟ ହିତାଧିକାରୀଙ୍କ ପାଇଁ ୪୩୬୧.୨୮ କ୍ବିଣ୍ଟାଲ ଚାଉଳ ଓ ୨୦୦.୩୭ କ୍ବିଣ୍ଟାଲ ଗହମ ଯୋଗାଇ ଦିଆଯାଇଥିବା ବେଳେ ବୀରମିତ୍ରପୁର ପୌରାଞ୍ଚଳର ୨୧୪୫୩ ବିପିଏଲ, ଏପିଏଲ ଓ ୯୭୮ ଅନ୍ତୋଦୟ ହିତାଧିକାରୀଙ୍କ ପାଇଁ ୮୦୬.୧୯ କ୍ବିଣ୍ଟାଲ ଚାଉଳ ଓ ୩୧୫.୩୬ କ୍ବିଣ୍ଟାଲ ଗହମ ଯୋଗାଣ ହୋଇଥିବା ସରକାରୀ ଭାବେ ଦର୍ଶାଯାଇଛି। ଏହା ପୂର୍ବରୁ ଟଙ୍କିଆ ଚାଉଳ ମଧ୍ୟ ଯୋଗାଣ ହୋଇଛି। କିନ୍ତୁ ଏସବୁ ବ୍ଲକର ସବୁ ପଞ୍ଚାୟତକୁ ବିନା ଓଜନରେ ଆଲଟମେଣ୍ଟ ପରିମାଣ ଠାରୁ କମ୍ ଚାଉଳ ଯୋଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଫଳରେ ସ୍ବାଭାବିକ ଭାବେ ଚାଉଳ ବାଣ୍ଟିବା ପରେ ପଞ୍ଚାୟତର ପଏଣ୍ଟ ସେଲ ମେସିନ (ପସ୍)ରେ ଥିବା ଷ୍ଟକ୍ ଓ ଗୋଦାମ ଷ୍ଟକ୍ ମେଳ ଖାଉ ନାହିଁ। କେବଳ ଏହି ଚାରି ବ୍ଲକ ନୁହେଁ, ଜିଲ୍ଲାର ସବୁ ବ୍ଲକରେ ସମାନ ଅବସ୍ଥା। ପଞ୍ଚାୟତ ଗୋଦାମର ଷ୍ଟକ୍ ଯାଞ୍ଚ ହେଲେ ଦୁର୍ନୀତିର ସବୁ ସତ ସାମ୍ନାକୁ ଆସିବ ବୋଲି ପ୍ରକାଶ ପାଇଛି। ପଞ୍ଚାୟତର ପିଡିଏସ୍ ଷ୍ଟକ୍ ଯାଞ୍ଚ କରାଇବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର