ତଳଗଡ଼ ମାଗଣା ଚାଉଳ ଲୁଟ୍‌ ଘଟଣାର ଡବଲ ତଦନ୍ତ: ମୁହଁ ଖୋଲିଲେ ୫୦ ପରିବାର, କହିଲେ- ଚାଉଳ ପାଇନୁ

ମୁଣ୍ଡ ପିଛା ୫କେଜି ହିସାବରେ ୧୫କୁଇଣ୍ଟାଲ୍‌ ହଡ଼ପ ସନ୍ଦେହ, ଡିଲର କହିଲେ-ଭୁଲ୍‌ରେ ଲେଖି ଦେଇଥିଲି

ଅନୁଗୁଳ: ଅନୁଗୁଳ ବ୍ଲକ୍‌ ତଳଗଡ଼ ପଞ୍ଚାୟତରେ ଆରମ୍ଭ ହୋଇଛି ପ୍ରଶାସନିକ ତନାଘନା। ‘ତଳଗଡ଼ରେ ମାଗଣା ଚାଉଳ ଲୁଟ୍‌, ଗିଳିଦେଲେ ଜୁଲାଇ, ଅଗଷ୍ଟ’ କୋଟା! ଶୀର୍ଷକ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଗାଁକୁ ଯାଇ ଜିଲ୍ଲା ପ୍ରଶାସନର ଦୁଇଟି ଟିମ୍‌ ଖୋଳତାଡ଼ ଆରମ୍ଭ କରିଛନ୍ତି। ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଅନୁଗୁଳ ବ୍ଲକ୍‌ ଯୋଗାଣ ଅଧିକାରୀ ସ୍ୱୟଂପ୍ରଭା ସ୍ୱାଇଁ ଓ ବଅଁରପାଳ ବ୍ଲକ୍‌ ଯୋଗାଣ ଅଧିକାରୀ ସତ୍ୟବ୍ରତ ସେଠୀ ଶୁକ୍ରବାର ଗାଁକୁ ଯାଇ ଲୋକଙ୍କୁ ପଚାରି ବୁଝିଛନ୍ତି। କାର୍ଡ ଏବଂ ରାସନ୍‌ ଖାତା ମଧ୍ୟ ତନଖିଛନ୍ତି। ଲୋକେ ଯେଉଁ ଅଭିଯୋଗ କରୁଥିଲେ, ଠିକ୍‌ ସେୟା ଖାତାରୁ ବାହାରିଛି। ଏଯାବତ୍‌ ଡିଲର ପଏଣ୍ଟ୍‌କୁ ନଭେମ୍ବର ଏବଂ ଡିସେମ୍ବର ମାସର ଚାଉଳ ଯୋଗାଣ ହୋଇନଥିଲେ ହେଁ ଲୋକଙ୍କ ଖାତାରେ ନଭେମ୍ବର ଓ ଡିସମ୍ବେର ମାସର ଚାଉଳ ଦିଆଯାଇଥିବା କଥା ଉଲ୍ଲେଖ କରାଯାଇଛି ବୋଲି ଅନୁଗୁଳ ବ୍ଳକ୍‌ ଯୋଗାଣ ଅଧିକାରିଣୀ ଶ୍ରୀମତୀ ସ୍ୱାଇଁ କହିଛନ୍ତି। ବିଶେଷ କରି ତଳଗଡ଼ ହରିଜନ ସାହି, ଗୋଚ୍ଛାୟତ ସାହିର ଲୋକେ ଏ ପ୍ରକାର ଅଭିଯୋଗ କରିଛନ୍ତି। ପ୍ରାୟ ୫୦ଟି ପରିବାର ଜୁଲାଇ ଏବଂ ଅଗଷ୍ଟ ମାସ କୋଟା ଚାଉଳ ପାଇନଥିବା ତଦନ୍ତ ବେଳେ ଜଣାଇଛନ୍ତି।

ତଳଗଡ଼ର ଡିଲର ଅଭୟ ଦେହୁରୀଙ୍କର କାର୍ଡ ସଂଖ୍ୟା ହେଲା ୪୬୯। ମାସିକ ସେ ପ୍ରାୟ ୮୦କୁଇଣ୍ଟାଲ୍‌ ଚାଉଳ ଉଠାଣ କରନ୍ତି। ବ୍ଲକ ଯୋଗାଣ ଅଧିକାରୀଙ୍କ ସାମ୍ନାକୁ ଆସିଥିବା ଅଭିଯୋଗ ଯଦି ସତ୍ୟ ହୁଏ, ତେବେ ଗୋଟିଏ ପରିବାର ପିଛା ଅନ୍ୟୁନ ୩ଜଣ ଲୋକ ହିସାବ କଲେ ମୋଟ୍‌ ପ୍ରାୟ ୧୫୦ଜଣଙ୍କର ଚାଉଳ ହଡ଼ପ ହୋଇଛି। ମୁଣ୍ଡ ପିଛା ୫କେଜି ହିସାବ କଲେ, ପ୍ରାୟ ୧୫୦ଜଣ ଲୋକଙ୍କର ପ୍ରତି ମାସରେ ସାଢ଼େ ୭କୁଇଣ୍ଟାଲ୍‌ ଚାଉଳ। ଦୁଇ ମାସରେ ପ୍ରାୟ ୧୫କୁଇଣ୍ଟାଲ୍‌ ଚାଉଳ ହଡ଼ପ ହୋଇଥିବା ସନ୍ଦେହ କରାଯାଉଛି।

ତଦନ୍ତ ବେଳେ ରଗୁଡ଼ିଆପଡ଼ାର କିଛି ଲୋକ ଡିଲରଙ୍କ ସପକ୍ଷରେ ମଧ୍ୟ ମତ ଦେଇଛନ୍ତି। ଗତ ସାତ ମାସର ମାଗଣା ଚାଉଳ ଆମେ ଠିକ୍‌ରେ ପାଇଛୁ ବୋଲି କିଛି ଲୋକ ମଧ୍ୟ ପ୍ରତିକ୍ରିୟା ରଖିଥିବା ବ୍ଲକ୍‌ ଯୋଗାଣ ଅଧିକାରୀ ଶ୍ରୀମତୀ ସ୍ୱାଇଁ କହିଛନ୍ତି। ବିଭାଗ ନିକଟରେ ଏହାର ତଦନ୍ତ ରିପୋର୍ଟ ଦାଖଲ କରିବା ପୂର୍ବରୁ ଡିଲରଙ୍କର ମତାମତ ଗତକାଲି ମଗାଯାଇଥିଲା। କିନ୍ତୁ, ସେ ଏଯାବତ୍‌ ନିଜର ପ୍ରତିକ୍ରିୟା ରଖି ନାହାନ୍ତି। ତାଙ୍କ ପ୍ରତିକ୍ରିୟା ମିଳିଲା ପରେ ଅଧିକାରୀଙ୍କ ନିକଟରେ ରିପୋର୍ଟ ଦାଖଲ କରାଯିବ ବୋଲି ଶ୍ରୀମତୀ ସ୍ୱାଇଁ କହିଛନ୍ତି।

ଯୋଗାଣ ବିଭାଗ ତଦନ୍ତର ଗୋଟିଏ ଦିନର ତଦନ୍ତ ପରେ ପରେ ଆଜି ଜିଲ୍ଲା ପ୍ରଶାସନର ଆଉ ଗୋଟିଏ ଟିମ୍‌ ତଳଗଡ଼ରେ ତଦନ୍ତ କରି ଫେରିଛି। ଅନୁଗୁଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ ଆସିଷ୍ଟାଣ୍ଟ୍‌ କଲେକ୍ଟରଙ୍କ ନେତୃତ୍ୱରେ ଦୁଇ ଜଣ ଅଧିକାରୀ ଘଟଣାର ତଦନ୍ତ କରି ଫେରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ତଳଗଡ଼ ଡିଲର ଶ୍ରୀ ଦେହୁରୀ ଘଟଣା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୋ ମାଙ୍କର ମୃତ୍ୟୁ ଯୋଗୁ ମୁଁ ଟିକେ ଅବସାଦଗ୍ରସ୍ତ ଥିଲି। ଜୁଲାଇ, ଅଗଷ୍ଟ ମାସର ଚାଉଳ ଲୋକଙ୍କୁ ଦିଆଯାଇଛି। ମୁଁ ଅନ୍ୟମନସ୍କରେ ଭୁଲ୍‌ରେ ନଭେମ୍ବର ଓ ଡିସେମ୍ବରରେ ଚାଉଳ ଦିଆଯାଇଥିବା କଥା ରାସନ୍‌ କାର୍ଡରେ ଲେଖି ଦେଇଛି।

ସମ୍ବନ୍ଧିତ ଖବର