ରାଉରକେଲା: ଚଞ୍ଚକତା କରି ଗରିବଙ୍କ ପିଡିଏସ୍‌ ଚାଉଳ ଅନ୍ୟତ୍ର ବିକି ଦେବା ପରିବହନ ଠିକାଦାର ଦୀନଦୟାଲ ସାହାଙ୍କୁ ମହଙ୍ଗା ପଡ଼ିଛି। ତଦନ୍ତ ରିପୋର୍ଟ ଆଧାରରେ ତାଙ୍କ ଲାଇସନ୍ସକୁ ବାତିଲ କରାଯାଇଛି। ନୂଆଗାଁ ବ୍ଲକ୍‌କୁ ପିଡିଏସ୍‌ ଚାଉଳ ଯୋଗାଣ ପାଇଁ ଅନ୍ୟ ଏକ ଠିକାସଂସ୍ଥାକୁ ଦାୟିତ୍ବ ହସ୍ତାନ୍ତର କରାଯାଇଛି। ତେବେ ସଂପୃକ୍ତ ଠିକା ସଂସ୍ଥାକୁ କେବଳ ନୂଆଗାଁ ବ୍ଲକ୍‌ର ଚାଉଳ ପରିବହନରୁ ବଞ୍ଚିତ କରାଯାଇଛି। ହେଲେ ସେ ଜିଲ୍ଲାର ଅନ୍ୟ କିଛି ବ୍ଲକ୍‌କୁ ପୂର୍ବ ଭଳି ଚାଉଳ ଯୋଗାଣ ଜାରି ରଖିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯଦି ଜଣେ ଠିକାଦାରଙ୍କ ଲାଇସନ୍ସ ବାତିଲ ହେଲା ତାହେଲେ ତାଙ୍କୁ କଳାତାଲିକାଭୁକ୍ତ କରାଯାଇ ପୂରା ଜିଲ୍ଲାର ସମସ୍ତ କାର୍ଯ୍ୟରୁ ବାଦ ଦେବା କଥା। କିନ୍ତୁ ଲାଇସନ୍ସ ବାତିଲ ପରେ ବି ଜଣେ ସେହି ଜିଲ୍ଲାରେ କେମିତି ଚାଉଳ ଯୋଗାଣ ଜାରି ରଖିଛି ତାହା ଏବେ ଆଲୋଚନାର ପ୍ରସଂଗ ପାଲଟିଛି।

Advertisment

କରାଯାଇନି କଳା ତାଲିକାଭୁକ୍ତ, ଅନ୍ୟ ବ୍ଲକ୍‌କୁ ପରିବହନ ଜାରି
ପୁଲିସ୍‌ ତରଫରୁ କାର୍ଯ୍ୟାନୁଷ୍ଠାନ ଶୂନ

ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝି କହିଛନ୍ତି, ତଦନ୍ତ ରିପୋର୍ଟ ଆଧାରରେ ତାଙ୍କ ଲା‌ଇସେନ୍ସ ବାତିଲ କରାଯାଇଛି। ପିଡିଏସ୍‌ ଚାଉଳ ଯୋଗାଣ ଦାୟିତ୍ବରେ ଥିବା କର୍ମଚାରୀଙ୍କ ସମ୍ପୃକ୍ତି ରହିଛି କି ନାହିଁ, ତା’ର ତଦନ୍ତ କରାଯାଉଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ପୂର୍ବରୁ ଦୀନଦୟାଲ ନାଁରେ ପିଡିଏସ୍‌ ଚାଉଳ ହେରଫେର ଅଭିଯୋଗ ରହିଛି। ଗତ ୨୦୨୧ରେ ରାଉରକେଲାରୁ ଚିତାପେଡ଼ିକୁ ଯାଉଥିବା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକକୁ ଅନ୍ୟତ୍ର ନିଆ ଯାଉଥିଲା। ସ୍ଥାନୀୟ ଲୋକ ଗାଡ଼ିକୁ ଅଟକାଇ ଯୋଗାଣ ବିଭାଗକୁ ସୂଚନା ଦେଇଥିଲେ। ସେତେବେଳେ ‌ଯୋଗାଣ ବିଭାଗ ଭିତରି ସଲାସୁତୁରା କରି ମାମଲାକୁ ରଫାଦଫା କରି ଦେଇଥିଲା। ଉଲ୍ଲେଖଯୋଗ୍ୟ, ରାଉରକେଲା ଏସ୍‌ଟିଆଇସ୍ଥିତ ଯୋଗାଣ ବିଭାଗ ଗୋଦାମରୁ ନୂଆଗାଁ ବ୍ଲକ୍‌ କର୍କଟନାସା ପଞ୍ଚାୟତକୁ ଯିବାପାଇଁ ଦୀନଦୟାଲ ସାହା ନାମକ ଅଧିକୃତ ପରିବହନ ଠିକାଦାରଙ୍କୁ ଟ୍ରାଞ୍ଜିଟ ପାସ୍‌ ଇସ୍ୟୁ ହୋଇଥିଲା। ଗତ ୭ ତାରିଖରେ ୨୫ ଟନ ଚାଉଳ ବୋଝେଇ ହୋଇ ବାହାରିଥିବା ଟ୍ରକଟି କିଛି ଘଣ୍ଟା ମଧ୍ୟରେ ଧାର୍ଯ୍ୟ ସ୍ଥାନରେ ପହଞ୍ଚିବା ପରିବର୍ତ୍ତେ ଭିନ୍ନ ମାର୍ଗରେ ଲାଠିକଟା ବ୍ଲକ ଅଭିମୁଖେ ଯାଇଥିଲା। ବିରକେରାସ୍ଥିତ ନାକଖଣ୍ଡି ଅଞ୍ଚଳର ଏକ ନିଚ୍ଛାଟିଆ ସ୍ଥାନରେ ଟ୍ରକରୁ ଚାଉଳ ବସ୍ତା କଢ଼ାଯାଇ ପିକ୍‌ଅପ୍‌ ଭ୍ୟାନ ଯୋଗେ ଅନ୍ୟତ୍ର ଚାଲାଣ ହେଉଥିବା ଦେଖି ସ୍ଥାନୀୟ ଲୋକେ ସଂଦେହରେ ଟ୍ରକକୁ ଅଟକ ରଖି ପୁଲିସକୁ ସୂଚନା ଦେଇଥିଲେ। ସେତେବେଳକୁ ଟ୍ରକରୁ ଅଧା ଚାଉଳ ବସ୍ତା ଖାଲି ହୋଇ ସାରିଥିଲା।

ଏନେଇ ପରିବହନ ଠିକାଦାରଙ୍କ ପାଖରେ ଖବର ପହଞ୍ଚିବା ପରେ ଷଡ଼୍‌ଯନ୍ତ୍ର ରଚାଯାଇଥିବା କହାଯାଉଛି। ଏହି ପରିବହନ ଠିକାଦାର ଓ ଦାୟିତ୍ବରେ ଥିବା ଯୋଗାଣ ବିଭାଗ କର୍ମଚାରୀଙ୍କ ମଧ୍ୟରେ କଣ ସଂପର୍କ ରହିଛି ତା’ର ଯାଞ୍ଚ କରିବାକୁ ଦାବି ହେଉଛି। ଅପରପକ୍ଷରେ ପୁଲିସ୍‌ର ଭୂମିକା ମଧ୍ୟ ସଂଦେହ ଘେରରେ ରହିଛି। ନୂଆଗାଁ ବ୍ଲକ୍‌ ଯୋଗାଣ ନିରୀକ୍ଷକଙ୍କ ଥାନାରେ ଏତଲା ସତ୍ତ୍ବେ ଏ ପର୍ଯ୍ୟନ୍ତ ଉକ୍ତ ଘଟଣାରେ କାହାରି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ସଂପୃକ୍ତ ଠିକାଦାର ବା ଟ୍ରକ୍ ଚଳାଉଥିବା ଡ୍ରାଇଭର୍‌ କାହାରିକୁ ଗିରଫ କରାଯାଇ ନାହିଁ।