ପିଡ଼ିଏସ ଦୁର୍ନୀତି: ମିଳିନି ୨ ବର୍ଷର ରାସନ ସାମଗ୍ରୀ, ଅଭିଯୋଗ ପରେ ୧୮ ହଜାର ୬ ଶହ ଟଙ୍କା ଦେଇ ରଫାଦଫା

ମନମୁଣ୍ଡା: ଜଣେ ହିତାଧିକାରୀଙ୍କ ଗତ ୨ ବର୍ଷ ପୂର୍ବରୁ ରାସନକାର୍ଡ ହୋଇଥିଲା। ହେଲେ ପଂଚାୟତ କର୍ତ୍ତୃପକ୍ଷ ଉକ୍ତ ବ୍ୟକ୍ତିଙ୍କୁ କାର୍ଡ ନଦେଇ ନିଜ ପାଖରେ ରଖି ୨ ବର୍ଷର ଚାଉଳ ଆତ୍ମସାତ କରିଥିଲେ। ଗତମାସ ୧୬ ତାରିଖରେ କଣ୍ଟାମାଳ ବିଡିଓଙ୍କ ଠାରେ ଅଭିଯୋଗ ହେଲାପରେ ସମ୍ପୃକ୍ତ ଇଓ ଉକ୍ତ ହିତାଧିକାରୀଙ୍କୁ ଡାକି ଏ ବାବଦରେ ୧୬ ହଜାର ୮ଶହ ଟଙ୍କା ଦେଇ ରଫାଦଫା କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ଖଟଖଟିଆ ପଞ୍ଚାୟତ ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମର ସ୍ୱାଧୀନ କର୍ଣ୍ଣଙ୍କର ଗତ ଅକ୍ଟୋବର ମାସରୁ ରାସନ କାର୍ଡ ହୋଇସାରିଛି। ହେଲେ ରାସନ କାର୍ଡ ପାଇଁ ସ୍ୱାଧୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜୟଦେବ ପ୍ରଧାନଙ୍କୁ ଅନେକ ଥର କହିଥିଲେ ହେଁ କାର୍ଡ ହୋଇନାହିଁ ବୋଲି କହି ଥିଲେ। ହେଲେ ଉକ୍ତ କାର୍ଡ ସ୍ୱାଧୀନଙ୍କୁ ନଦେଇ ସେହି କାର୍ଡରେ ଗତ ଦୁଇ ବର୍ଷ ହେଲା ପଞ୍ଚାୟତ କର୍ତ୍ତୃପକ୍ଷ ମାସକୁ ୩୦ କେଜି ଲେଖାଏଁ ୭ କ୍ୱିଣ୍ଟାଲ ୨୦ କେଜି ଏବଂ ଲକଡ଼ାଉନ ପାଇଁ ୪ ମାସର ମାଗଣା ଚାଉଳ ବାବଦକୁ ୧ କ୍ୱିଣ୍ଟାଲ ୨୦ କେଜି ଏମିତି ୮ କ୍ୱିଣ୍ଟାଲ ୪୦ କେଜି ଆତ୍ମସାତ କରିଛନ୍ତି।

ସ୍ୱାଧୀନଙ୍କ ରାସନ କାର୍ଡରେ ୨ ବର୍ଷର ପିଡ଼ିଏସ ସାମଗ୍ରୀ ହେରଫେର ହେବା ଜାଣିପାରି ଗତ ମାସ ୧୬ ତାରିଖ ଦିନ କଣ୍ଟାମାଳ ବିଡିଓଙ୍କ ପାଖରେ ଅଭିଯୋଗ କରିଥିଲେ। ବିଡିଓଙ୍କ ହସ୍ତକ୍ଷେପ ପରେ ଖଟଖଟିଆ ପିଇଓ ଶ୍ରୀ ପ୍ରଧାନ ଏ ବାବଦକୁ ସ୍ୱାଧୀନଙ୍କୁ ଭୂତେଇ ଚାଉଳ କେଜି ପ୍ରତି ୨୦ ଟଙ୍କା ଦରରେ ୧୬ ହଜାର ୮ ଶହ ଟଙ୍କା ଦେଇ ମୁହଁ ବନ୍ଦ କରିବାକୁ କହିଥିବା ସ୍ୱାଧୀନ କହିଛନ୍ତି।

ଚାଉଳର ସରକାରୀ ମୂଲ୍ୟ ୩୧ ଟଙ୍କା ଥିବାବେଳେ ସ୍ୱାଧୀନଙ୍କୁ ଚାଉଳ ବଦଳରେ କାହିଁକି ୨୦ ଟଙ୍କା ଦରରେ ପଇସା ଦିଆଗଲା ତାହା ତଦନ୍ତ ସାପେକ୍ଷ। ଆହୁରି ମଧ୍ୟ ଏଯାଏଁ ସ୍ୱାଧୀନଙ୍କୁ ରାସନକାର୍ଡ ଦେଇ ନଥିବା ଫଳରେ ଗୋପଲମାଲ ଗାଁର ଏକ ସ୍ୱୟଂ ସହାୟକ ଗୋଷ୍ଠୀ କିରାସିନି ବଣ୍ଟନ କରୁଥିବା ବେଳେ ସ୍ୱାଧୀନ ୨୪ ମାସର କିରାସିନି ପାଇବାରୁ ବଞ୍ଚିତ ହୋଇଛନ୍ତି।

କେବଳ ସ୍ୱାଧୀନଙ୍କ ରାସନକାର୍ଡ ଚୋରିରେ ଖଟଖଟିଆ ପଞ୍ଚାୟତ ଅଟକି ଯାଇନି। ଏହି ପଞ୍ଚାୟତ ଅଧିନସ୍ଥ ଦମାମୁଣ୍ଡା ଗ୍ରାମର ପଞ୍ଚାନନ ସେଠୀଙ୍କ ଆବାସ ଘର ଚୋରି ହୋଇ ୧ ଲକ୍ଷ ୨୦ ହଜାର ଟଙ୍କା ଆତ୍ମସାତ ହୋଇଛି। ପୁଣି ଗୋଟିଏ ସମୟରେ ଏହି ପଞ୍ଚାୟତର ରେଙ୍ଗାଲି ଗ୍ରାମର ଖଜୁରୀ ବନ୍ଧରେ ମନରେଗା ଓ ଚତୁର୍ଦଶ ଅର୍ଥ କମିଶନ ଉଭୟ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରି ଉନ୍ନତିକରଣ କରାଯାଇଥିଲା। ଅଭିଯୋଗ ପରେ ବୌଦ୍ଧ ପିଡ଼ି ଆସି ଉକ୍ତ ପ୍ରକଳ୍ପରେ ହୋଇଥିବା ଚଂଚକତାର ତଦନ୍ତ କରି ଫେରିଛନ୍ତି।

ସବୁବେଳେ ଖଟଖଟିଆ ପଞ୍ଚାୟତରେ ନାନା ଅନିୟମିତତା ହୋଇ ଚର୍ଚ୍ଚାରେ ରହି ଆସିଛି। ଏ ସମ୍ପର୍କରେ ଖଟଖଟିଆ ପିଇଓ ଶ୍ରୀ ପ୍ରଧାନଙ୍କୁ ପଚାରିବାରୁ ଯୋଗାଣ ସହାୟକ ପିଡ଼ିଏସ ସାମଗ୍ରୀ ବଣ୍ଟନ କରୁଛି। ଏହି ଘଟଣାରେ ମୋର କିଛି ଭୁଲ ନାହିଁଯ ବଡ କଷ୍ଟରେ ହିତାଧିକାରୀ ସ୍ୱାଧୀନଙ୍କୁ ବୁଝାଇ ସୁଝାଇ ଟଙ୍କା ଦେଇ ଏହି ଘଟଣାର ରଫାଦଫା କରିଛି ବୋଲି କହିଛନ୍ତି। ବୌଦ୍ଧ ଜିଲ୍ଲାପାଳ ଏହି ସ୍ପର୍ଶ କାତର ଘଟଣାରେ ହସ୍ତକ୍ଷେପ କରି ହିତାଧିକାରୀଙ୍କୁ ଉଚିତ ନ୍ୟାୟ ପ୍ରଦାନ ସହିତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମାଜସେବୀ ନିରଞ୍ଜନ କର୍ଣ୍ଣ ଦାବି ଜଣାଇଛନ୍ତି।

ସମ୍ବନ୍ଧିତ ଖବର