ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ପଞ୍ଚାୟତଗୁଡ଼ିକୁ କମ୍ ଚାଉଳ ଯୋଗାଇ ମାସକୁ ପ୍ରାୟ ୩ ହଜାର କ୍ବିଣ୍ଟାଲ ପିଡିଏସ୍ ଚାଉଳ ମିଲର୍ସ, ପରିବହନକାରୀ ଠିକାଦାର (ଏଲ-୨) ଓ ଯୋଗାଣ ବିଭାଗର ଅସାଧୁ ଅଧିକାରୀ ଚଳୁ କରି ନେଉଥିବା ଅଭିଯୋଗ ହୋଇଥିଲା। ସେହିପରି ବଜାରରେ ନକଲି ଶ୍ରୀଓମ୍ ବ୍ରାଣ୍ଡରେ ପିଡିଏସ ଚାଉଳ ବିକ୍ରି ହେବା, ମିଲର୍ସ ପରିବାରର ପୁଅକୁ ବେଆଇନ ଭାବେ ଏଲ-୨ ପରିବହନ ଠିକା ଓ ଶେଷ ମୁହୂର୍ତ୍ତରେ ତରବରରେ ସେ ଇସ୍ତଫା ଦେବା, ସର୍ବୋପରି ନୂଆଗାଁ ବ୍ଲକ୍ ପୁରୁଣାପାଣି ପଞ୍ଚାୟତକୁ ପଠାଯାଇଥିବା ୩୨୦ ବସ୍ତା ଚାଉଳ ବାଟରେ ଗାଏବ ହୋଇଯିବା ଘଟଣା ଯୋଗାଣ ବିଭାଗ ପିଡିଏସ୍ ମହାଦୁର୍ନୀତିର ଏକ ଏକ ବଡ଼ ଅଭିଯୋଗ ରୂପେ ପଦାକୁ ଆସିଥିଲା। ଏସବୁ ଘଟଣାରେ ଜିଲ୍ଲା ଯୋଗାଣ ବିଭାଗର ଭୂମିକା ସନ୍ଦେହ ଘେରକୁ ଚାଲିଆସିଛି। କାରଣ ଏଯାଏ କେବଳ ୩୨୦ ବସ୍ତା ଚାଉଳ ଗାଏବ ଘଟଣାରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ତା’ବି ନାମକୁ ମାତ୍ର। ଜଣେ ତଳିଆ କର୍ମଚାରୀ ରାଉରକେଲା ଚାଉଳ ସଂଗ୍ରହ କେନ୍ଦ୍ର (ଆରଆରସି)ର ନିରୀକ୍ଷକ (ପିଆଇ) କାର୍ମୀ ମୁର୍ମୁଙ୍କୁ ନିଲମ୍ବିତ ଓ ପରିବହନ ଠିକାଦାର (ଏଲ-୨) ଉଷା ଅଗ୍ରୱାଲଙ୍କୁ ବହିଷ୍କୃତ କରାଯାଇଛି। ଏହା ବ୍ୟତୀତ ନୂଆଗାଁ ବ୍ଲକ ଯୋଗାଣ ନିରୀକ୍ଷକ ଯୋଗେଶ୍ବର ସାଏଙ୍କୁ ରାଜଗାଙ୍ଗପୁରକୁ ବଦଳି କରାଯାଇଛି। କିନ୍ତୁ ଅନ୍ୟସବୁ ମହା ଅଭିଯୋଗକୁ କୌଣସି ପ୍ରକାରେ ଚାପି ଦେବାକୁ ବିଭାଗ ମସୁଧା କରୁଥିବା ବେଳେ ବେଳେ ଜିଲ୍ଲା ପ୍ରଶାସନ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ନିରବ ରହିଛି। ଯାହା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ପଞ୍ଚାୟତକୁ କମ୍ ଚାଉଳ ଯୋଗାଇ ହଜାର ହଜାର କ୍ବିଣ୍ଟାଲ ଚାଉଳ ହଡ଼ପ ଅଭିଯୋଗ ଉପରେ ସରଜମିନ ତଦନ୍ତ କରିବା ପରିବର୍ତ୍ତେ ଯୋଗାଣ ସହାୟକମାନଙ୍କ ଠାରୁ ଠିକ୍ ପରିମାଣର ଚାଉଳ ପାଉଥିବାର ଏକ ସ୍ବୀକାରନାମା ଲେଖାଇ ନେବାକୁ କିଛି ବିଭାଗୀୟ ଅଧିକାରୀ ଉଦ୍ୟମ କରିଛନ୍ତି। ଏହା ପଛରେ କେଉଁଠି ନା କେଉଁଠି ବିଭାଗର ବଡ଼ ବାବୁମାନଙ୍କୁ ଚୋରି ଧରାପଡ଼ିଯିବାର ଭୟ ଘାରିଥିବା ଚର୍ଚ୍ଚା ହେଉଛି। ସେହିପରି ମାର୍ଗଦର୍ଶିକାର ଖୋଲା ଉଲ୍ଲଂଘନ ପୂର୍ବକ ବାପ-ପୁଅଙ୍କୁ କଷ୍ଟମ ମିଲିଂ ଓ ଏଲ-୨ ପରିବହନ ଠିକା ଘଟଣାର ଖବର ପ୍ରକାଶନ ପରେ ଠିକାଦାର ଶେଷ ମୁହୂର୍ତ୍ତରେ ଇସ୍ତଫା ଦେବା ଯୋଗାଣ ବିଭାଗର ଅନିୟମିତତାକୁ ପଦାରେ ପକାଇଥିଲା। ଅନ୍ୟପଟେ ସୁନ୍ଦରଗଡ଼ ଜିଲ୍ଲାର ଖୋଲା ବଜାରରେ ବହୁ ବର୍ଷ ଧରି ବେନାମୀ ଶ୍ରୀଓମ୍ ବ୍ରାଣ୍ଡ ନାମରେ ପିଡିଏସ୍ ଚାଉଳ ବିକ୍ରି ଅଭିଯୋଗରେ ମଧ୍ୟ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ତଦନ୍ତ କରିବାକୁ ମଧ୍ୟ ଉଚିତ ମଣି ନାହାନ୍ତି। ଯାହା ବିଭାଗକୁ ସନ୍ଦେହର କାଠଗଡ଼ାରେ ଛିଡ଼ା କରିଛି। ତେବେ ପୁରୁଣାପାଣି ପଞ୍ଚାୟତ ୩୨୦ ବସ୍ତା ଚାଉଳ ଗାଏବ ଘଟଣାରେ ଜିଲ୍ଲା ଓ ବ୍ଲକ ଯୋଗାଣ ଅଧିକାରୀଙ୍କ ଭୂମିକା ଉପରେ ସନ୍ଦେହ ପ୍ରକାଶ କରି ସେମାନଙ୍କ ନିଲମ୍ବନ ଦାବି କରି ଆସୁଛନ୍ତି ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ। ୩୨୦ ବସ୍ତା ଚାଉଳ ଗାଏବ ଘଟଣାରେ ଯୋଗାଣ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ଶ୍ରୀ ଓରାମ ସିଧାସଳଖ ଅଭିଯୋଗ କରିଛନ୍ତି। ଜୁନ ୧୯ ତାରିଖରେ ଏଲ୍-୨ ଠିକାଦାର ଉଷା ଅଗ୍ରୱାଲଙ୍କ ଟ୍ରକ (ଓଡି-୧୪ ୟୁ-୬୪୨୯)ରେ ଆରଆରସିରୁ ପୁରୁଣାପାନି ପଞ୍ଚାୟତକୁ ୩୨୦ ବସ୍ତା ଚାଉଳ ପଠାଯାଇଥିବା ଦର୍ଶାଯାଇଥିଲା। କିନ୍ତୁ ସେ ଚାଉଳ ପୁରୁଣାପାନିରେ ପହଞ୍ଚି ନଥିଲା। ଏଥିରେ ମଧ୍ୟ ଯୋଗାଣ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ଶ୍ରୀ ଓରାମ ଖୋଲିଖୋଲି ଅଭିଯୋଗ କରିଆସୁଛନ୍ତି। ଯୋଗାଣ ଅଧିକାରୀଙ୍କ ମୌଖିକ ନିର୍ଦ୍ଦେଶକ୍ରମେ ଆରଆରସି ପିଆଇ ୩୨୦ ବସ୍ତା ଚାଉଳର ଏସି ନୋଟ କାଟିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ପ୍ରକୃତରେ ଗୋଦାମରୁ ୩୨୦ ବସ୍ତା ଚାଉଳ ଯାଇଛି କି ନାହିଁ ତାହା ସନ୍ଦେହରେ। ଯଦି ଯାଇଛି, ତାହା ଏବେ କେଉଁଠି ସେ ସମ୍ପର୍କରେ ବିଭାଗୀୟ ଅଧିକାରୀ ମଧ୍ୟ ନିରବ। ବଡ଼ବଡ଼ିଆଙ୍କ ସମ୍ପୃକ୍ତିକୁ ପଦାକୁ ନଆଣିବାକୁ ତଳିଆଙ୍କୁ ବଳି ପକାଯାଇଛି ବୋଲି ବିଧାୟକ କହିବା ସହ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରି ତୁରନ୍ତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୃଢ଼ ଦାବି ଜଣାଇ ଆସୁଛନ୍ତି।
Advertisment

Sambad is now on WhatsApp
Join and get latest news updates delivered to you via WhatsApp