ଖଜୁରୀପଡା: ଖଜୁରୀପଡ଼ା ପଞ୍ଚାୟତ ସମିତି ସଭାଗୃହରେ ଆସନ୍ତା ଡିସେମ୍ବର ୨୫ ବଡଦିନ ପର୍ବ କିଭଳି ଶାନ୍ତିଶୃଙ୍ଖଳା ସହ ପାଳନ ହେବ ସେନେଇ ଆଜି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବିନ୍ଦ୍ରନାଥ କହଁରଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଖଜୁରୀପଡା ପଞ୍ଚାୟତ ସମିତି ଅଧିନସ୍ଥ କିଛି ନିର୍ଦ୍ଧିଷ୍ଟ ଗ୍ରାମରେ କେବଳ ଖ୍ରୀଷ୍ଟ ଧର୍ମାବଲମ୍ବୀ ରହୁଥିବା ବେଳେ ସେମାନଙ୍କ ଉପାସନାସ୍ଥଳ ନଥିବା ଯୋଗୁଁ ସମସ୍ତେ ଶାନ୍ତିଶୃଙ୍ଖଳାର ସହ ନିଜନିଜ ପରିବାରରେ କିମ୍ବା ସାମୂହିକ ଭାବେ ବଡଦିନ ପାଳନ ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ବଲସକୁମ୍ପା, ଖଲିଗୁଡ୍ରୀ, ଝାଡ ବଲସକୁମ୍ପା,କାଣ୍ଡିଆ ନାଳ ଅଂଚଳରେ ଖ୍ରୀଷ୍ଟ ଧର୍ମାଲମ୍ବୀ ମାନଙ୍କ ବଡଦିନ ପର୍ବ ପାଳନ ହେବାକୁ ଥିବା ବେଳେ ସ୍ଥାନୀୟ ମାଜିଷ୍ଟ୍ରେଟ୍ ତଥା ତହସିଲଦାର, ଥାନା ଭାରପ୍ରାପ୍ତ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଗୁରୁତ୍ବପୂର୍ଣ୍ଣ ଦା୍ୟିତ୍ବ ଏବଂ ପର୍ବପାଳନ ପାଇଁ ସହଯୋଗ କରିବାକୁ ଖଜୁରୀପଡା ବ୍ଲକ ପାଳକ ସମିତି ମୁଖ୍ୟ ଲଛମନ ବେହେରା ପ୍ରସାଶନଙ୍କୁ ଅନୁରୋଧ କରିଥିଲେ। ସେହିଭଳି ପ୍ରାସାଶନିକ ଅଧିକାରୀ ତହସିଲଦାର ସ୍ୱପ୍ନିତା ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବିନ୍ଦ୍ରନାଥ କହଁର, ପଂଚାୟତ ସମିତି ଅଧ୍ୟକ୍ଷ ବିରେନ୍ଦ୍ର କୁମାର କହଁର, ଅତିରିକ୍ତ ବିଡିଓ ଦିବ୍ୟସିଂହ କହଁର, ଥାନା ଅଧିକାରୀ ରମାକାନ୍ତ ପାତ୍ର, ଲ୍ୟାମ୍ପସେସ ନିର୍ଦ୍ଦେଶକ କୃପାସିନ୍ଧୁ ସାହୁ, କୁଇସମାଜ ସଭାପତି ଲକ୍ଷ୍ମଣ ଝାଙ୍କର, ଅନୁସୁଚିତ ଜାତି ସଭାପତି ଉଦ୍ଧବ ଦିଗାଲ, ସମ୍ପାଦକ ବିଚିତ୍ରାନନ୍ଦ ବେହେରା, ସାଂସଦ ବ୍ଲକ ପ୍ରତିନିଧି ପଙ୍କଜ ମଳିକ, ଆରଏସ୍ଏସ୍ ତରଫରୁ ସଇନା ଦଳବେହେରା ପ୍ରମୁଖ ଶାନ୍ତି କମିଟି ବୈଠକରେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ଏବଂ ସରକାରଙ୍କ କୋଭିଡ୍ ନିୟମ ସହ କିଭଳି ବଡଦିନ ପର୍ବ ପାଳନ ହେବ ସେନେଇ ଆଲୋଚନା କରିଥିଲେ।
ସରକାରଙ୍କ କୋଭିଡ ନିୟମରେ ମାତ୍ର ଦୁଇଶହ ଲୋକଙ୍କ ଜନସମାଗମ ରହିଥିବା ବେଳେ ମୁହଁରେ ମାସ୍କ,ସାନିଟାଇଜର ବ୍ୟବସ୍ଥା, ସାମାଜିକ ଦୂରତା, ୧୦ବର୍ଷ ରୁ କମ୍ ଏବଂ ୫୫ ବର୍ଷରୁ ଅଧିକ ସହ ପ୍ରସୁତି ମହିଳାଙ୍କୁ ଜନଗହଳି ଠାରୁ ଦୂରେଇ ରଖିବାକୁ ବିଡିଓ କହିଥିବା ବେଳେ ଗ୍ରାମାଞ୍ଚଳରେ ଗର୍ଭବତୀ ଓ ଶିଶୁମାନଙ୍କ ସୁରକ୍ଷା ପାଇଁ ଆଶା ଅଙ୍ଗନବାଡିଙ୍କୁ ସଚେତନ କରିବାକୁ ସିଡିପିଓଙ୍କୁ ବିଡିଓ ପରାମର୍ଶ ଦେଇଥିଲେ।ସମସ୍ତ ଅଂଚଳରେ କିଭଳି ପରସ୍ପର ଧର୍ମାଲମ୍ବୀ ମାନଙ୍କ ମଧ୍ୟରେ ଭାଇଚାରା ବଜାୟ ରଖି ଶାନ୍ତିଶୃଙ୍ଖଳା ସହ ବଡଦିନ ପାଳନ ପାଇଁ ତହସିଲଦାର ବକ୍ତବ୍ୟ ରଖିଥିଲେ। ସେହିଭଳି ଥାନାଅଧିକାରୀ ବଡଦିନ ପାଳନ ହେଉଥିବା ଅଂଚଳରେ ପୁଲିସ ତରଫରୁ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ସୁଚାରୁରୂପେ ତଦାରଖ କରାଯିବା ବୋଲି କହିଥିଲେ।