କେମିତି ବ୍ୟବସ୍ଥିତ ହେବ ଧାନ ସଂଗ୍ରହ ପ୍ରକ୍ରିୟା? ଟୋକନ୍‌ ପାଇଥିବା ଚାଷୀଙ୍କ ସଂଖ୍ୟା ଜିଲ୍ଲା ଯୋଗାଣ ବିଭାଗକୁ ଜଣାନାହିଁ!

ଶହେ ମଣ୍ଡି ଖୋଲିପାରୁନି, ନିଗମ ଦେଉନି ଅଧିକ ମିଲର୍‌

କଟକ: କେତେ ଚାଷୀ ପାଇଲେଣି? କେଉଁ ବ୍ଲକ୍‌ର କେତେ ଚାଷୀଙ୍କ ପାଖକୁ କେତେ ଟୋକନ୍‌ ଆସିଲାଣି? ସେ ତଥ୍ୟ ନା’ ଯୋଗାଣ ବିଭାଗ ପାଖରେ ଅଛି, ନା’ ଡିଆରସିଏସ୍‌ ପାଖରେ ଅଛି। କାରଣ ଚାଷୀଙ୍କ ଟୋକନ୍‌ ସିଧାସଲଖ ରାଜ୍ୟ ଯୋଗାଣ ନିଗମ ଚାଷୀଙ୍କ ପାଖକୁ ପଠାଉଛି। ଫଳରେ ଜିଲ୍ଲା କାର୍ଯ୍ୟାଳୟରେ ଏହାର ତଥ୍ୟ ରହୁ ନାହିଁ। ଏହି କାରଣରୁ ଅବଧି ପଛେ ସରିଯିବାକୁ ବସୁଛି, ଚାଷୀଙ୍କ ଧାନ ଉଠିପାରୁନି। ଏପଟେ ଟୋକନ୍‌ ଅବଧି ମାତ୍ର ୨୫ଦିନ ରହୁଥିବାରୁ ଏହି ସମୟ ମଧ୍ୟରେ ଯଦି ଚାଷୀ ମଣ୍ଡିରେ ଧାନ ବିକ୍ରି କରିପାରୁ ନାହାନ୍ତି ତା’ହେଲେ କଥା ସରିଲା। ଟୋକନ୍‌ ପାଇଥିବା ଚାଷୀଙ୍କ ସମ୍ପର୍କରେ ଜିଲ୍ଲା ଯୋଗାଣ ବିଭାଗ ପାଖରେ ତଥ୍ର ରହୁ ନଥିବାରୁ ଧାନ କିଣା ବ୍ୟବସ୍ଥା ବ୍ୟବସ୍ଥିତ ହୋଇପାରୁନି। କଟକ ଜିଲ୍ଲାରେ ଏବେ ମିଲର୍‌ ସମସ୍ୟା ଏମିତି ପରିସ୍ଥିତି ସୃଷ୍ଟି କଲାଣି ଯେ, ଶହେରୁ ଅଧିକ ମଣ୍ଡି ଆଜି ପର୍ଯ୍ୟନ୍ତ ଖୋଲିପାରିନି। ଧାନକିଣାର ୧୭ଦିନ ଭିତରେ ମାତ୍ର ୨୫୮୯ଜଣ ଚାଷୀ ଧାନ ବିକ୍ରି କରିପାରିଥିବା ବେଳେ ୯୩ହଜାର କ୍ବିଣ୍ଟାଲ ଧାନ ମଣ୍ଡିରୁ ଉଠିଛି। ଅନ୍ୟପଟେ ବାରମ୍ବାର ବର୍ଷା ଚାଷୀଙ୍କ ସମସ୍ୟାକୁ ବଢ଼ାଇ ଦେଉଛି। କଟକ ଜିଲ୍ଲାରେ ୧୬ଲକ୍ଷ କ୍ବିଣ୍ଟାଲରୁ ଅଧିକ ଧାନ କିଣାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଜିଲ୍ଲାର ୨୨୬ଟି ମଣ୍ଡିରେ ୮ଜଣ ମିଲର୍‌ଙ୍କୁ ନେଇ ଧାନ କିଣା ବ୍ୟବସ୍ଥା ଆରମ୍ଭ ହୋଇଥିବା ପ୍ରଶାସନ କହିଛି। କିନ୍ତୁ ସବୁ ମଣ୍ଡି ଆଜି ସୁଦ୍ଧା ଆରମ୍ଭ ହୋଇପାରିନି। କାରଣ ୮ଜଣ ମିଲର୍‌ରେ ୨୨୬ଟି ମଣ୍ଡି, ତା’ ପୁଣି ୧୪ଟି ବ୍ଲକ୍‌ ପାଇଁ ହୋଥିବାରୁ ଚାଷୀଙ୍କ ପାଇଁ ଦୂତତ୍ବ ବଡ ସମସ୍ୟା ଭାବେ ଉଭା ହୋଇଛି। ଫଳରେ ଆଜି ସୁଦ୍ଧା ଜିଲ୍ଲାରେ ଶହେରୁ ଅଧିକ ସ୍ଥାନରେ ଧାନ ସଂଗ୍ରହ ବ୍ୟବସ୍ଥା ଆରମ୍ଭ ‌ହୋଇପାରିନି। ଏପଟେ ଚଳିତବର୍ଷ ଅଦିନିଆ ବର୍ଷା‌ ଯୋଗୁଁ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବାରୁ ଆର୍ଦ୍ରତାକୁ ଆଳ କରି ବିଭିନ୍ନ ମଣ୍ଡିରେ ମିଲର୍‌ମାନେ ମଧ୍ୟ ଧାନ ନେବାକୁ ରାଜି ହେଉନାହାନ୍ତି। ସେମାନେ ଚାଷୀଙ୍କୁ ଫେରାଇ ଦେଉଥିବା ଦେଖିବାକୁ ମିଳିଛି। ଯଦିଓ ଧାନ କିଣା ବ୍ୟବସ୍ଥା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିବ, କିନ୍ତୁ ମିଳୁଥିବା ଟୋକନ୍‌ର ଅବଧି ୨୫ଦିନ ରହୁଥିବାରୁ ଧାନ ଶୀଘ୍ର ବିକ୍ରି କରିବାକୁ ଚାଷୀମାନେ ବ୍ୟସ୍ତ ହେଉଛନ୍ତି। ହେଲେ, ତାହା ସମ୍ଭବ ହୋଇ ପାରୁନି।

କଟକ ଜିଲ୍ଲାରେ ଧାନ କିଣା ମାତ୍ର ୧୭ଦିନରେ ପହଞ୍ଚିଥିବାରୁ ଏଯାବତ୍‌ କୌଣସି ଚାଷୀଙ୍କ ଟୋକନ୍‌ର ଅବଧି ସରିନି। ତା’ ସତ୍ତ୍ବେ, ଯେଉଁଭଳି ଢଙ୍ଗରେ ଧାନ କିଣା ଚାଲିଛି, ସେଭଳି ପ୍ରକ୍ରିୟା ଜାରି ରହିଲେ ଚାଷୀଙ୍କ ଟେଶକନ୍‌ ଅବଧି ସରିଯିବ ସିନା, ଧାନ କିଣା ସରି ପାରିବନି। ଅନ୍ୟପଟେ କଟକ ଜିଲ୍ଲାପାଳ ଧାନ ସଂଗ୍ରହ ପାଇଁ ଅଧିକ ୬ଜଣ ମିଲର୍‌ ଯୋଗାଇଦେବାକୁ ଚିଠି ଲେଖିଥିଲେ ବି ଯୋଗାଣ ନିଗମ ଆଜି ସୁଦ୍ଧା ଅଧିକ ମିଲର୍‌ ଦେଇ ନାହିଁ। ଅଧିକ ମିଲର୍‌ ଦିଆଯିବା ସହ ଧାନକିଣା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା, ଟୋକନ୍‌ ଅବଧି ବଢ଼ାଯିବା ଓ କେତେ ଚାଷୀଙ୍କୁ ଟୋକନ୍‌ ଦିଆଯାଉଛି ସେ ତଥ୍ୟ ଜିଲ୍ଲା ଯୋଗାଣ ବିଭାଗ ପାଖରେ ନରହିବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥାରେ ସୁଧାର ଆସିପାରିବନି ବୋଲି ଅନେକ ଚାଷୀ କହିଛନ୍ତି। ଟୋକନ୍‌ ଅବଧି ବୃଦ୍ଧି କରିବା ପାଇଁ ସେମାନେ ଦାବି କରିଛନ୍ତି।
ଜିଲ୍ଲାର ଆଠଗଡ଼ ଓ ବାଙ୍କୀ ଉପଖଣ୍ଡରେ ୧୨୨ଟି ଧାନ ମଣ୍ଡି ରହିଥିବାବେଳେ, ସଦର ଉପଖଣ୍ଡରେ ୧୦୨ ମଣ୍ଡି ରହିଛି। ଆଠଗଡ଼ ଓ ବାଙ୍କୀ ଉପଖଣ୍ଡର ବାଙ୍କୀଠୁ ନରସିଂହପୁର ବ୍ଲକ୍‌ର ଜିଲିଣ୍ଡା ପର୍ଯ୍ୟନ୍ତ ମଣ୍ଡିରୁ ଧାନ ଉଠାଇବା ପାଇଁ ମାତ୍ର ୩ଜଣ ମିଲର୍‌ ରହିଛନ୍ତି। ଫଳରେ ଜଣେ ମିଲର୍‌ ଭାଗରେ ପାଖାପାଖି ୪୦ଟି ଲେଖାଏ ମଣ୍ଡି ପଡୁଛି। ଦୂରତା ସମସ୍ୟା ଓ ମିଲର୍‌ ଅଭାବ ଯୋଗୁଁ ଧାନ ଠିକ୍‌ ସମୟରେ ମଣ୍ଡିରୁ ଉଠିପାରୁନି, କି ମଣ୍ଡି ଖୋଲି ପାରୁନି। ଏପଟେ ଚାଷୀ ‌ଟୋକନ୍‌ ଧରି ବସିଥିଲେ ବି ଧାନ ବିକ୍ରି କରି ପାରୁ ନାହାନ୍ତି। ସେହିପରି ସଦର ଉପଖଣ୍ଡର ୮ଟି ବ୍ଲକ୍‌ ପାଇଁ ୫ଜଣ ମିଲର୍‌ଙ୍କ ହାତରେ ରହିଛି ୧୦୨ଟି ମଣ୍ଡି। ଫଳରେ ଜଣେ ମିଲର୍‌ ନିୟନ୍ତ୍ରଣରେ ୨୦ଟି ମଣ୍ଡି ରହୁଛି। ସେଠାରେ ବି ଦୂରତ୍ବ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି। ଗୋଟିଏ ପଟେ ମିଲର୍‌ କମ୍‌ ଥିବା ସାଙ୍ଗକୁ ମଣ୍ଡି ନଖୋଲିବା ତଥା ଅପରପକ୍ଷେ ଧାନର ମାନ ନେଇ ପ୍ରଶ୍ନ ଉଠିବା ଘଟଣା ଚା‌ଷୀଙ୍କ ଚିନ୍ତାକୁ ବଢ଼ାଇ ଦେଇଛି।

ସମ୍ବନ୍ଧିତ ଖବର