କଟକ: କଟକ ଜିଲ୍ଲାରେ ଆରମ୍ଭ ହୋଇଛି ଧାନକିଣା। ମାତ୍ର, ଗୋଟିଏ ଦିନ ଧାନ କିଣାଯାଇଥିବା ବେଳେ ଦୁଇଦିନ ଛୁଟି ଯୋଗୁଁ ଧାନକିଣା ବନ୍ଦ ରହିଛି। ଅନ୍ୟପଟେ ଚଳିତବର୍ଷ ପ୍ରଥମଥର ପାଇଁ ଜିଲ୍ଲାର ବାଙ୍କୀ ଓ ମାହାଙ୍ଗାରେ ମହିଳା ଗୋଷ୍ଠୀ ସିଧାସଳଖ ଚାଷୀଙ୍କଠାରୁ ଧାନ କିଣିବେ। ହେଲେ, ପାଣିପାଗ ବିଭାଗର ସତର୍କବାଣୀ ଯୋଗୁଁ ବର୍ଷାକୁ ନେଇ ଚିନ୍ତାରେ ଚାଷୀ। ଅନେକ ଚାଷୀଙ୍କ ପାଖକୁ ଟୋକନ୍‌ ଆସିଥିବା ବେଳେ ଟୋକନ୍‌ ବ୍ୟବହାର ଅବଧି ୨୫ ଦିନ ଥିବାରୁ ବର୍ଷା ସମସ୍ୟା ଚାଷୀଙ୍କୁ ଅଧିକ ଚିନ୍ତିତ କରିଛି। ଧାନ ବିକ୍ରି ପାଇଁ ୮ଜଣ ମିଲର୍‌ ଚୁକ୍ତି କରିଥିବା ବେଳେ ପ୍ରଥମ ଦିନ କେବଳ ଆଠଗଡ଼ ଓ ବାଙ୍କୀରୁ ଧାନକିଣା ହୋଇଛି। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ମଣ୍ଡିରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବ ଓ ବ୍ୟବହାର ହେଉଥିବା ଆଇରିସ୍‌ ସ୍କାନରକୁ ସାନିଟାଇଜ୍‌ କରାଯିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଜିଲ୍ଲାର ବାଙ୍କୀ ବ୍ଲକ୍‌ ବରମ୍‌ପୁରା ଓ ମାହାଙ୍ଗାର ଗୋପାଳପୁର ମଣ୍ଡି‌ରେ ପ୍ରଥମଥର ପାଇଁ ମହିଳାମାନଙ୍କୁ ଧାନ ସଂଗ୍ରହ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏଥିପାଇଁ ସେମାନଙ୍କୁ ଧାନ ସଂଗ୍ରହ କରିବା ପ୍ରକ୍ରିୟା ସମ୍ପର୍କରେ ତାଲିମ୍‌ ଦିଆଯାଇଛି। ସେମାନେ ବୁଧବାର ସୁଦ୍ଧା ନିର୍ଦ୍ଧାରିତ ମଣ୍ଡିରୁ ଧାନ ସଂଗ୍ରହ କରିବେ ବୋଲି ଜଣାପଡ଼ିଛି। ପ୍ୟାକ୍ସ ଯେପରି ପ୍ରତି କ୍ବିଣ୍ଟାଲ ପିଛା ୩୧ଟଙ୍କା ୫୦ ପଇସା‌ ପାଉଥିଲା ସେହିପରି ମହିଳାମାନେ ବି ସେହି ଦରରେ କମିସନ୍‌ ପାଇବେ ବୋଲି କୁହାଯାଇଛି। ଜିଲ୍ଲାରେ ଚଳିତବର୍ଷ ୬୬,୩୯୮ ଚାଷୀ ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୩ ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଜିଲ୍ଲାରେ ଧାନ ସଂଗ୍ରହ ପାଇଁ ୨୨୬ଟି ମଣ୍ଡି ଖୋଲାଯିବ। ସେଥିରୁ ସୋସାଇଟିରେ ୨୦୫ ଓ ୨୧ଟି ଅନ୍ୟସ୍ଥାନରେ ଖୋଲାଯିବ। ପ୍ରତିଦିନ ୩୫ରୁ ୪୦ଟି ମଣ୍ଡିରୁ ଧାନ ଉଠିବ ଓ ପ୍ରତି ମଣ୍ଡିରୁ ହଜାରେ କ୍ବିଣ୍ଟାଲ ଧାନ ସଂଗ୍ରହ ପାଇଁ ଯୋଜନା ରହିଛି। ତେବେ, ଜିଲ୍ଲାରେ ମିଲର୍‌ ଅଭାବ ସମସ୍ୟା ଯୋଗୁଁ ବାହାର ଜିଲ୍ଲାର ମିଲର୍‌ଙ୍କୁ ଧାନ କିଣା ବ୍ୟବସ୍ଥାରେ ସାମିଲ କରିବାକୁ ଯୋଜନା ରହିଛି। ଅନ୍ୟପଟେ ବର୍ଷାରେ ଚଳିତବର୍ଷ ବ୍ୟାପକ ଧାନ ଫସଲ ନଷ୍ଟ ଚାଷୀଙ୍କ ଚିନ୍ତା ବଢ଼ାଇଛି।