ରାୟଗଡା: ରାୟଗଡା ଜିଲ୍ଲା ଚାଷୀଙ୍କୁ ଆନ୍ଧ୍ର, ଛତିଶଗଡ ଭରସା। ଜିଲ୍ଲାରେ ଧାନ ଚାଷ ପ୍ରମୁଖ ହୋଇଥିଲେ ମଧ୍ୟ ଚାଷୀ ଧାନ ଅପେକ୍ଷା କପା ଚାଷକୁ ଅଧିକ ଗୁରୁତ୍ବ ଦେଉଥିବା ଦେଖିବାକୁ ମିଳିଛି। ଧାନ ଚାଷ ପାଇଁ ବିହନ ନ ମିଳିବା, ଉନ୍ନତ ମାନର ବିହନ ସରକାର ଯୋଗାଇ ନ ଦେବା, ବିହନର ଦରଦାମ ଅଧିକା ଥିବା ଯୋଗୁ ଚାଷୀ ଧାନ ଚାଷ ପ୍ରତି ବିମୁଖ ହେଉଥିବା ନଜରକୁ ଆସିଛି। କୃଷି ବିଭାଗର ରିପୋର୍ଟ ଅନୁଯାୟୀ ଜିଲ୍ଲାରେ ୪୪, ୪୬୪ ହେକ୍ଟର ଜମିରେ ଧାନ ଚାଷ କରାଯାଉଥିବା ବେଳେ ୪୫, ୯୦୪ ହେକ୍ଟର ଜମିରେ କପା ଚାଷ କରାଯାଉଛି। ଏଥିସହ ମାଣ୍ଡିଆ ୨୦୦୦୦ ହେକ୍ଟର, ମକା ୧୪୦୦୦ ହେକ୍ଟର, କାନ୍ଦୁଲ ୧୨୦୦୦ ହେକ୍ଟର, ବିରି ୬୦୦୦ ହେକ୍ଟର ଜମିରେ ଚାଷ କରାଯାଉଥିବା ଜଣାପଡିଛି।

Advertisment

ତେବେ ଏଥିରୁ ସ୍ପଷ୍ଟ ଅନୁମାନ କରାଯାଏ ଯେ ଧାନ ଅପେକ୍ଷା କପା ଚାଷକୁ ଚାଷୀ ଅଧିକା ଗୁରୁତ୍ବ ଦେଉଛନ୍ତି। କାରଣ ଧାନରୁ କପା ଚାଷରେ ଅଧିକା ଲାଭ ରହିଛି। ଜିଲ୍ଲାକୁ ୨୨୦୦୦ ଟନ ଧାନ ବିହନ ଦରକାର ପଡୁଥିବା ବେଳେ ଚାଷୀଙ୍କୁ ମାତ୍ର ୧୨ ହଜାର ଟନ ଧାନ ବିହନ ମିଳି ପାରୁଛି। ବଳକା ୧୦ ହଜାର ଟନ ଧାନ ବିହନ ପାଇଁ ଚାଷୀ ବାଧ୍ୟ ହୋଇ ଆନ୍ଧ୍ର ଓ ଛତିଶଗଡର ଧାନ ବିହନ ଉପରେ ନିର୍ଭର କରୁଛନ୍ତି। ବିଶେଷକରି ରାୟଗଡା ଜିଲ୍ଲାକୁ ଆନ୍ଧ୍ର ସୀମାରେ ରହିଥିବାରୁ ଆନ୍ଧ୍ର ବ୍ୟବସାୟୀ ମାନେ ରାୟଗଡାରେ ନିଜର ଧାନ ବିହନକୁ ବିକ୍ରି କରିବାରେ ସଫଳ ହେଉଛନ୍ତି। ରାୟଗଡା ଉପରେ ଆନ୍ଧ୍ରର ପତିଆରା ବେଶୀ ଥିବାରୁ ଲୋକେ ସହଜରେ ଏହାକୁ ବିଶ୍ବାସ କରୁଛନ୍ତି। ଗତବର୍ଷ ଧାନ ବିହନର ଦାମ ୩୦୭୪ ଟଙ୍କା ରହିଥିଲା। ଚଳିତବର୍ଷ ଏହାର ମୂଲ୍ୟ ଧାର୍ଯ୍ୟ ହୋଇ ନଥିବା ଜଣାପଡିଛି। ତେବେ ଏତେ ଦାମ ଦେଇ ଚାଷୀ ଧାନ ବିହନ କିଣିବାକୁ ଅମଙ୍ଗ ହେଉଥିବା ଦେଖିବାକୁ ମିଳିଛି।ଏପରିକି କାଶୀପୁର ବ୍ଲକର ଚାଷୀ ନିଜସ୍ବ ଧାନକୁ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି।

ଧାନ ବିହନର ଦାମ ଦିନକୁ ଦିନ ବୃଦ୍ଧି ପାଇବା ସହ ବିହନ ନିମ୍ନମାନର ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି। ସେହିପରି ଜିଲ୍ଲାର ୩୦ ହଜାର ଟୋନ ୟ୍ରରିଆ, ଏମଓପି, ଡିଏପି ଭଳି ସାର ଦରକାର ପଡୁଛି। ସାର କିନ୍ତୁ ଜିଲ୍ଲାର ଚାଷୀଙ୍କୁ ସରକାର ଯୋଗାଇ ଦିଆଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ ସାର ମଧ୍ୟ ଆନ୍ଧ୍ର ଉପରେ ହିଁ ଚାଷୀ ଭରସା କରନ୍ତି ବୋଲି କିଛି ଚାଷୀ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଧାନ ବିହନ ଓ ସାରକୁ ନେଇ ଚାଷୀ ଆନ୍ଦୋଳନ କରିବା ନେଇ ସଜବାଜ ହେଉଛନ୍ତି। ଯଦି ଚାଷୀଙ୍କୁ ଉଚିତ ମୂଲ୍ୟରେ ସାର ଓ ବିହନ ନମିଳେ ତେବେ ଏଥିପାଇଁ ପ୍ରଶାସନ ହିଁ ଦାୟୀ ରହିବେ ବୋଲି କୃଷକ ସଂଘ ଚେତାବନୀ ଦେଇଛନ୍ତି। ଆଜି ଅକ୍ଷୟ ତୃତୀୟା ଥିବା ବେଳେ ଚାଷୀଙ୍କ ପାଇଁ ଖୁସିର ଦିନ। ଆଜି ନିଜ ନିଜ ଜମିରେ ହଳ ଚଲାନ୍ତି। ଖରିଫ ଫସଲ ପାଇଁ ବିହନ ବୁଣନ୍ତି। ତେବେ ସରକାରଙ୍କ ବିହନ ମିଳିବା ପୂର୍ବରୁ ନିଜେ ସାଇତି ରଖିଥିବା ବିହନକୁ ଆଜି ଜମିରେ ବୁଣିଥାନ୍ତି। ଅନ୍ୟଦିଗରେ  ଓଡିଶାର ୮୩ ପ୍ରତିଶତ ଲୋକ କିଛିବର୍ଷ ଆଗରୁ ଗାଁରେ ବସବାସ କରିବା ସହ ଚାଷ କାମରେ ନିୟୋଜିତ ଥିଲେ। କ୍ରମେ ତାହାର ସଂଖ୍ୟାରେ ଦୃତ ହ୍ରାସ ଘଟିଛି। ବର୍ତ୍ତମାନ ଏହା ଦେଖିବାକୁ ମିଳୁଛି ଯେ, ସୁନା ଦୋକାନରେ ଭିଡ ବଢୁଛି ଓ ଧନୀ ସମ୍ପ୍ରଦାୟର ଲୋକଙ୍କ ପାଇଁ ନିଜ ସମ୍ପତ୍ତି ବଢାଇବାର ତିଥି ଟିଏ ହେଇଯାଇଛି ମାତ୍ର। ଚାଷୀକୂଳ ମୁଣ୍ଡରେ ହାତଦେଇ ବସିଛନ୍ତି। ପ୍ରକୃତିର ପରିବର୍ତ୍ତନ ସୃଷ୍ଟି ପାଇଁ ବିପଦ ସାଜିଲାଣି।