ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଗତ ୨୦୨୦-୨୧ ମସିହାରେ ହୋଇଥିବା ମଣ୍ଡି ମହା ଦୁର୍ନିତୀ ପ୍ରସଙ୍ଗରେ ଦୀର୍ଘ ଦୁଇବର୍ଷ ପରେ ପୁଲିସ ସକ୍ରିୟ ହୋଇଛି। ଗତ କିଛିଦିନ ତଳେ ୫ ଜଣ ମଣ୍ଡି ଦୁର୍ନିତୀରେ ସଂପୃକ୍ତ ରହିଥିବା କିଛି ଅଧିକାରୀ ଓ ତଳିଆ କର୍ମଚାରୀଙ୍କ ନାମରେ ମାମଲ ରୁଜୁ କରି କୋର୍ଟରେ କେସ ଡାଏରୀ ଦାଖଲ କରିଥିବା ବେଳେ ଆଜି ଏହି ଦୁର୍ନିତୀର ଅନ୍ୟଜଣେ ମୁଖ୍ୟ ଅଭିଯୁକ୍ତ ତତ୍କାଳୀନ ଚନ୍ଦାହାଣ୍ଡି ଲ୍ୟାମ୍ପ ଏମଡି ଉମେଶଚନ୍ଦ୍ର ତ୍ରିପାଠୀଙ୍କୁ ଚନ୍ଦାହାଣ୍ଡି ପୁଲିସ ଗିରଫ କରିଛି। ଏହାପରେ ଉମେଶ ତ୍ରିପାଠୀଙ୍କୁ ଚନ୍ଦାହାଣ୍ଡି ପ୍ରଥମଶ୍ରେଣୀ ବିଚାରପତିଙ୍କ କୋର୍ଟରେ ହାଜର କଲା ପରେ ଜାମିନ ଆବେଦନ ନାମଞ୍ଜୁର ହେବାପରେ ଜେଲ ହାଜତକୁ ପଠେଇ ଦିଆଯାଇଥିବା ଆଇଆଇସି ଉମେଶଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି।

Advertisment

ସୂଚନାଯୋଗ୍ୟ ଯେ, ଗତ ୨୦୨୦-୨୧ ମସିହାରେ ଚନ୍ଦାହାଣ୍ଡି ବ୍ଲକରେ ଜାଲ ଚାଷୀଙ୍କ ନାମରେ ମଣ୍ଡି କାର୍ଡ ପଞ୍ଜିକୃତ କରି ସଂପୃକ୍ତ ମିଲ ମାଲିକ ଓ ବିଭାଗୀୟ ଅଧିକାରୀ ମାନେ କୋଟି କୋଟି ଟଙ୍କାର ଦୁର୍ନିତୀ କରିଥିବା ପଦାକୁ ଆସିଥିଲା। ଏନେଇ ଚନ୍ଦାହାଣ୍ଡି ବ୍ଲକର ଶତାଧିକ ଚାଷୀ ଚନ୍ଦାହାଣ୍ଡି ଥାନାରେ ଲିଖିତ ଏତଲା ଦେଇଥିଲେ। ତେବେ କୌଣସି ଏକ ଅଦୃଶ୍ୟ ଚାପରେ ପୁଲିସ ଦୀର୍ଘ ଦୁଇବର୍ଷ ହେବ ଏହି ଫାଇଲକୁ ଚାପି ରଖିଥିବା ବେଳେ ଏବେ ପୁଣି ପୁଲିସ ତତ୍ପର ହୋଇଛି। ଏହି ପ୍ରସଙ୍ଗ ସେତେବେଳେ ଜିଲ୍ଲା ତଥା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ଏହି ପ୍ରସଙ୍ଗକୁ ଭିତିକରି ପିସିସି ସମ୍ପାଦକ ତଥା ଚାଷୀ ନେତା କ୍ଷେମରାଜ ବାଘଙ୍କ ନେତୃତ୍ୱରେ ପ୍ରାୟ ଦୁଇଶହ ଚାଷୀ ଛଅ ଦିନ ଧରି ଚନ୍ଦାହାଣ୍ଡି ଠାରୁ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ପର୍ଯ୍ୟନ୍ତ ପଦଯାତ୍ରା କରି ନବରଙ୍ଗପୁର ଠାରେ ହଜାର ହଜାର ଚାଷୀ ସମବେତ ହୋଇ ସଂପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହନ କରିବାକୁ ଦାବିକରିଥିଲେ। ତେବେ ଏହି ପ୍ରସଙ୍ଗରେ ପୁଲିସର ସକ୍ରିୟତାକୁ ନେଇ ବିଭିନ୍ନ ମହଲରେ ଭିନ୍ନଭିନ୍ନ ମତ ପ୍ରକାଶ ପାଇଛି। ଏସମ୍ପର୍କରେ ଏହି ଦୁର୍ନିତୀ ବିରୁଦ୍ଧରେ ଆନ୍ଦୋଳନର ନେତୃତ୍ୱ ନେଇଥିବା କ୍ଷେମରାଜ ବାଗ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଯେ, ପୁଲିସ ଏ କ୍ଷେତ୍ରରେ ସକ୍ରିୟ ହେବା ନିହାତି ସ୍ୱାଗତ ଯୋଗ୍ୟ ପଦକ୍ଷେପ ତଥାପି ତଳିଆ କର୍ମଚାରୀଙ୍କ ମୁଣ୍ଡରେ ଅଠା ବୋଳି ମିଲ ମାଲିକ, ସଂପୃକ୍ତ ବ୍ୟାଙ୍କ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଖସେଇବା ପାଇଁ ସୁଚିନ୍ତିତ ଯୋଜନା କରାଯାଉଥିବା ଆଭାସ ମିଳୁଛି। ଯଦି ଏଭଳି ହୁଏ ତାହେଲେ ଏକ ବିରାଟ ଚାଷୀ ଆନ୍ଦୋଳର ସୂତ୍ରପାତକୁ କେହି ରୋକି ପାରିବେ ନାହିଁ ବୋଲି ଶ୍ରୀ ବାଘ ଚେତାବନୀ ଦେଇଛନ୍ତି।