ଆଷାଢ଼ ହେଲା: ମିଳିଲାନି ଧାନ ବିହନ, କୃଷି ବିଭାଗରେ ଅଚଳାବସ୍ଥା କର୍ମଚାରୀ ଅଭାବ, ଚାଷୀ ପାଇ ପାରୁନି ସୂଚନା
ମାର୍ଶାଘାଇ: ଜ୍ୟେଷ୍ଠ ଯାଇ ଆଷାଢ ହେଲା। ଆଉ କିଛିଦିନ ପରେ ଧାନ ରୁଆବେଉଷଣ। ପାଣିପାଗର ପରିବର୍ତନ ସାଙ୍ଗକୁ ସ୍ବଳ୍ପବୃଷ୍ଟିପାତ ଫଳରେ ଆଜିସୁଦ୍ଧା ଜମିକୁ ଲଙ୍ଗଳ ଯାଇନି। ଅକ୍ଷିମୁଠି ଅନୁକୂଳ ପରେ ଖାଲୁଆ ଜମି ସହିତ ସଅଳ ଅମଳକ୍ଷମ ବିଅଳୀ ଧାନ ବୁଣା କାର୍ଯ୍ୟ ହୋଇଥାଏ। ଏହା ଭିତରେ ଦେଢମାସରୁ ଅଧିକ ଦିନ ବିତିଯାଇଥିଲେ ହେଁ ଆଜିସୁଦ୍ଧା ଚାଷୀର ଆବଶ୍ୟକ ଧାନ ବିହନ ମିଳିବାକୁ ନାହିଁ। ଏହି ବ୍ଲକ ଅଂଚଳରେ ଥିବା ଢିପଜମିରେ ସଅଳ ଅମଳକ୍ଷମ ‘ଖଣ୍ତଗିରି’ ଧାନଚାଷ କରିବାକୁ ଚାଷୀ ଚାହୁଁଥିବା ବେଳେ ତାହା ଏଯାବତ୍ ମିଳି ପାରିନାହିଁ। ସେହିପରି ଖାଲୁଆ ଜମିରେ ବୁଣାଯିବାକୁ ଥିବା ‘ଶାରଳା’ ଧାନ ବିହନ ଚାଷୀ ପାଖରେ ଅପହଂଚ ରହିଛିକୃଷି ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ, ବ୍ଲକରେ ଥିବା ୧୦ଟି ପ୍ରାଥମିକ କୃଷି ସେବା ସମବାୟ ସମିତିରୁ ମାର୍ଶାଘାଇ, ଅନ୍ତେଇ,ବଟିରା, କରିଲୋପାଟଣା, କୁହୁଡି, ଗରଜଙ୍ଗା, ଆଖୁଆ-ଦକ୍ଷିଣୀ ପ୍ରାଥମିକ କୃଷି ସେବା ସମବାୟ ସମିତିକୁ ଧାନବିହନ ବିକ୍ରୟ ପାଇଁ ୧୬୦ କୁଇଣ୍ଟାଲ ବିହନ ଆସିଛି। ଏ ସବୁ ଧାନର ୨୦କିଗ୍ରା ପ୍ରତି ପ୍ୟାକେଟର ମୂଲ୍ୟ ୭୦୫ଟଙ୍କା ରଖାଯାଇଥିବା ବେଳେ ଚାଷୀକୁ ପରେ ସବ୍ସିଡି ବାବଦରେ ୨ଶହ ଟଙ୍କା ଫେରସ୍ତ ଦିଆଯିବ ବୋଲି କୁହାଯାଉଛି। ତେବେ ଏ ସବୁ ସେବା ସମବାୟ ସମିତିରେ ଖଣ୍ତଗିରି ଓ ଶାରଳା ଧାନ ବିହନ ଦୁଷ୍ପ୍ରାପ୍ୟ ରହିଛି। ଏଯାବତ୍ ଏସବୁ ଧାନବିହନ ବିକ୍ରୟ ପାଇଁ ଆସି ପାରିନାହିଁ। ଫଳରେ ଚାଷୀ ଏ ବର୍ଷ ତା’ର ଆବଶ୍ୟକ ହେଉଥିବା ଏସବୁ ଧାନ ବିହନ କ୍ରୟ କରି ଚାଷ କରିବା ସମ୍ଭବ ହେବନାହିଁ। ଅନ୍ୟପକ୍ଷରେ ଅଦ୍ୟାବଧି ବଛରାଇ, ଜମପଡା ଓ ଦୁମୁକା ପ୍ରାଥମିକ କୃଷି ସେବା ସମବାୟ ସମିତି ବିକ୍ର ୟପାଇଁ ଧାନ ବିହନ ଆଣି ନାହିଁ। ସେବା ସମବାୟ ସମିତିରେ କେବଳ ସ୍ବର୍ଣ୍ଣ ସବ୍ୱାନ୍ ଓ ପୂଜା ଧାନ ବିହନ ବିକ୍ରୟ ପାଇଁ ରହିଛି। ସେହିପରି ଦଶୀପୁର ଓ ବଉଳାଙ୍ଗ ଘରୋଇ ବିକ୍ରୟ କେନ୍ଦ୍ରରେ ଧାନବିହନ ବିକ୍ରୟ ପାଇଁ ରିକ୍ୟୁଜିସନ ଦିଆଯାଇଥିବା ସଂପୃକ୍ତ ବିଭାଗ ସୂତ୍ରରୁ ପ୍ରକାଶ। ଅନ୍ୟପଟେ ମାର୍ଶାଘାଇ ବ୍ଲକର ୧୧ହଜାର ୬୪୨ ହେକ୍ଟର ଚାଷ ଜମିରୁ ମୋଟ ୮ହଜାର ୫୦୦ ହେକ୍ଟର ଜମିରେ ଧାନ ଚାଷ କରାଯାଇଥାଏ। ଗତବର୍ଷର ପାଣିପାଗର ବିଚିତ୍ରତା ଫଳରେ ଧାନ ଅମଳ ସମୟରେ ପ୍ରବଳରୁ ଅତିପ୍ରବଳ ଅଦିନିଆ ବର୍ଷା ଫଳରେ ଚାଷୀ ଧାନ ଅମଳ କରିପାରିଲେ ନାହିଁ। ଯାହା ପାଣିରୁ ଛାଣି ଅମଳ କଲେ ତାହା ବିହନ ଉପଯୋଗୀ ହୋଇପାରିଲା ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଏହାକୁ ଦୃଷ୍ଟିରେ ରଖି ଚାଷୀର ଆବ୍ୟ୍ୟକ ହେଉଥିବା ଓ ବିଶେଷକରି ଏହି ଜଳବାୟୁରେ ଫଳୁଥିବା ଧାନ ବିହନ ଯୋଗାଇଦେବା ସଂପୃକ୍ତ ବିଭାଗ ପକ୍ଷରୁ ସମ୍ଭବ ହୋଇପାରିନାହିଁ। ଏ ସଂପର୍କରେ ବ୍ଲକ କୃଷି ଅଧିକାରୀ ସୌମେନ୍ଦ୍ର ମହାନ୍ତି କହିଛନ୍ତି, ଚାଷୀମାନଙ୍କ ମଧ୍ୟରୁ ମାତ୍ର ୧୦ପ୍ରତିଶତ ଧାନ ବିହନ କ୍ରୟକରି ଚାଷ କରିଥିବା ବେଳେ ୯୦ପ୍ରତିଶତ ନିଜ ଘରେ ରଖିଥିବା ବିହନ ବ୍ୟବହାର କରନ୍ତି। ମାତ୍ର ଚାଷୀମାନଙ୍କ କହିବା କଥା, ଗତବର୍ଷର ବିହନ ସଂଗ୍ରହ ନିଆରା ଥିଲା। ପାଣିରୁ ଛଣାଯାଇଥିବା ଧାନ ବିହନ ଉପଯୋଗୀ ହୋଇପାରୁ ନ ଥିବାରୁ ଚାଷୀ ତାହା ବିହନ ପାଇଁ ସାଇତି ରଖିଲେ ନାହିଁ। ଫଳରେ ୧୦ପ୍ରତିଶତ ପରିବର୍ତ୍ତେ ୯୦ ପ୍ରତିଶତ ଚାଷୀ ଏବେ ବାହାର ରାଜ୍ୟର ଧାନ ଖୋଲାବଜାରରୁ ଚଢା ଦରରେ କ୍ରୟ କରିବାକୁ ବାଧ୍ୟ ହେଉଛନ୍ତି। ଉଲ୍ଳେଖନୀୟ ଏହିକି ଯେ, ସରକାରୀ ତଥ୍ୟ ଅନୁଯାୟୀ, ୮ହଜାର ୫୦୦ହେକ୍ଟର ଧାନ ଚାଷ ଜମି ପାଇଁ ମାତ୍ର ୧୬୦ କୁଇଣ୍ଟାଲ ବିହନ ବିକ୍ରୟ ପାଇଁ ଆସିଛି। ଯାହା ସମୁଦ୍ରକୁ ଶଙ୍ଖେ। ତାହାପୁଣି ଚାଷୀର ଅଦରକାରୀ ବିହନ। କୃଷି ବିଭାଗରେ ଆବଶ୍ୟକ ସଂଖ୍ୟକ କୃଷି କର୍ମଚାରୀଙ୍କ ଅଭାବ ଥିବା ଯୋଗୁ କୃଷି ପରାମର୍ଶ ଚାଷୀ ପାଇ ପାରୁ ନ ଥିବା ବେଳେ ଠିକଣା ସମୟରେ ଟଙ୍କାଦେଇ ମଧ୍ୟ ଧାନ ବିହନ ନ ମିଳିବା ଚାଷୀ ଓ ଚାଷର ଉନ୍ନତିର ନଗ୍ନନମୁନା ମାତ୍ର। ବିଳମ୍ବ ହେଲେମଧ୍ୟ ଚାଷୀର ଆବଶ୍ୟକ ହେୁଥିବା ଖଣ୍ତଗିରି ଓ ଶାରଳା ଆଦି ଧାନ ବିହନ ଯୋଗାଇ ଦେବାକୁ ଦାବି ହୋଇଛି।