କେନ୍ଦ୍ରାପଡ଼ା: ଜିଲ୍ଲାରେ ଧାନକିଣା ଘୁଞ୍ଚିବ। ଡିସେମ୍ବର ୨୪ ପରିବର୍ତ୍ତେ ୩୧ତାରିଖରୁ ଧାନକିଣା ଆରମ୍ଭ ହେବ। ସମବାୟ କର୍ମଚାରୀଙ୍କ ଆନ୍ଦୋଳନ ପାଇଁ ପ୍ରଶାସନ ଏଭଳି ନିଷ୍ପତ୍ତି ନେବା ସହିତ ବିକଳ୍ପ ବ୍ୟବସ୍ଥା ସ୍ବରୂପ ୩୦ ଟି କେନ୍ଦ୍ର ଏବ˚ ମନୋନୀତ ସ୍ବୟ˚ସହାୟକ ଗୋଷ୍ଠୀର ମହିଳାଙ୍କ ଜରିଆରେ ଚାଷୀଙ୍କଠାରୁ ଧାନ କିଣିବାକୁ କୃଷକବଜାର ନିୟନ୍ତ୍ରଣ କମିଟି(ଆର୍ଏମ୍ସି) ସହ ମିଶି ଜିଲ୍ଲା ଯୋଗାଣ ବିଭାଗ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି। କେବଳ ସେତିକି ନୁହେଁ, କେଉଁ ଏସ୍ଏଚ୍ଜି ଧାନ କିଣିବା ପାଇଁ ଆଗ୍ରହୀ, ସେମାନେ ଆସନ୍ତା ୭ ଦିନ ଭିତରେ ଲିଖିତ ଜଣାଇବାକୁ ଚିଠି କରିଛି ମିସନ୍ ଶକ୍ତି ବିଭାଗ। ଯଦି ସମବାୟ କର୍ମଚାରୀଙ୍କ ଆନ୍ଦୋଳନ ନତୁଟେ ଏବ˚ ଯୋଜନାନୁଯାୟୀ ଆରଏମ୍ସି କର୍ମଚାରୀ ଓ ଏସ୍ଏଚ୍ଜିଙ୍କ ଜରିଆରେ ଚାଷୀଙ୍କଠାରୁ ଧାନ କିଣା ହୁଏ, ତେବେ ପରିଚାଳନାକୁ ନେଇ ଭୟଙ୍କର ବିଭ୍ରାଟ ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏଇଥିପାଇଁ ଯେ ୧୧୮ଟି ମଣ୍ତି ଜରିଆରେ ବିଗତବର୍ଷମାନଙ୍କରେ ଯେତେବେଳେ ଧାନ କିଣାଯାଉଥିଲା, ସେତେବେଳେ ହାତରେ ଟୋକନ୍ ଥାଇ ବି ବହୁତ ଚାଷୀ ଧାନ ବିକ୍ରି କରିବାରୁ ବ˚ଚିତ ହେଉଥିଲେ।
ଆଉ ଏବେ ସୀମିତ ଆରଏମ୍ସି କର୍ମଚାରୀଙ୍କ ସହାୟତାରେ ମାତ୍ର ୩୦ଟି କେନ୍ଦ୍ର ଏବ˚ ଏସ୍ଏଚ୍ଜି ମହିଳାଙ୍କ ଜରିଆରେ ଧାନ କିଣିବାକୁ ପ୍ରଶାସନ ଯୋଜନା କରିଛି। ଏହି ଯୋଜନା କାର୍ଯ୍ୟକାରୀ ହେଲେ ଟୋକନ୍ ପ୍ରାପ୍ତ ଚାଷୀଙ୍କ ଧାନ ଠିକଣା ସମୟରେ ନେବାରେ କେବଳ ସମସ୍ୟା ଉପୁଜିବ ନାହିଁ, ବର˚ ଟୋକନ୍ ଅବଧି ସରିଯିବାର ଯଥେଷ୍ଟ ସମ୍ଭାବନା ବଢ଼ିଯାଇପାରେ ବୋଲି ଆଲୋଚନା ହେଉଛି। ଏ କଥା ସତ ଯେ ପ୍ରତିବର୍ଷ ଡିସେମ୍ବର ଶେଷ ସପ୍ତାହରୁ ଜିଲ୍ଲାରେ ଧାନ କିଣା ଶୁଭାରମ୍ଭ ହୋଇଥାଏ। ମାତ୍ର ଚଳିତବର୍ଷ ଡିସେମ୍ବର ୨୪ରୁ ରାଜନଗର, ପଟ୍ଟାମୁଣ୍ତାଇ ଓ ଆଳି ବ୍ଲକ୍ରୁ ପ୍ରଥମେ ଧାନ କିଣିବା ଆରମ୍ଭ କରିବାକୁ ପ୍ରଶାସନ ଯୋଜନା କରିଥିଲା। ଡିସେମ୍ବର ୨୯ରୁ ଅନ୍ୟ ସବୁ ବ୍ଲକ୍ରେ ମଣ୍ଡି ଖୋଲିବ ଏବଂ ୮୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ପଂଜିକୃତ ୪୦ ହଜାର ୨୬୨ ଚାଷୀଙ୍କଠାରୁ କିଣିବାକୁ ଲକ୍ଷ୍ୟ ରଖାଯାଇଥିବା ନଭେମ୍ବର ୨୩ତାରିଖରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା ା
ମାତ୍ର ସରକାରୀ କର୍ମଚାରୀ ମାନ୍ୟତା ଏବ˚ ସମବାୟ କର୍ମଚାରୀଙ୍କ ପାଇଁ ୧ହଜାର କୋଟିର ବଜେଟ୍ ବ୍ୟବସ୍ଥା ଆଦି ପାଞ୍ଚ ଦଫା ଦାବିରେ ସାରା ରାଜ୍ୟରେ ସମବାୟ କର୍ମଚାରୀମାନେ ନଭେମ୍ବର ୧୪ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନରେ ବସିଥିବାରୁ ଧାନକିଣାକୁ ନେଇ ଅଚଳାବସ୍ଥା ଦେଖାଦେଇଛି। ଜିଲ୍ଲାରେ ୧୧୮ମଣ୍ଡି ଥିଲେ ବି ସୋସାଇଟି ସଂପାଦକମାନେ ଆନ୍ଦୋଳନ ଚଳାଇଥିବାରୁ ଧାନ କିଣାଯିବା ଅସମ୍ଭବ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଯୋଗାଣ ବିଭାଗ ଡିସେମ୍ବର ୨୪ରୁ ହେବାକୁ ଥିବା ଧାନକିଣାକୁ ଘୁଞ୍ଚାଇ ୩୧ତାରିଖ କରିବା ସହିତ ବିକଳ୍ପ ବ୍ୟବସ୍ଥା ସ୍ବରୂପ ଚାରି ପାଞ୍ଚଟି ଲେଖାଏ ସୋସାଇଟିକୁ ନେଇ ଗୋଟିଏ ଲେଖାଏ କେନ୍ଦ୍ର କରାଯାଇ ଆରଏମ୍ସି କର୍ମଚାରୀଙ୍କ ଜରିଆରେ ଧାନ କିଣିବାକୁ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଛି ଯେଉଁଠି ସୋସାଇଟିରେ ଅସୁବିଧା ହେବ, ସେଠାରେ ପଞ୍ଚାୟତ ଅଫିସ୍ ପରିସରକୁ ମଣ୍ଡି ରୂପେ ବ୍ୟବହାର କରିବାକୁ ପ୍ରସ୍ତାବ ରହିଛି। ଏହା ସହିତ ଏସ୍ଏଚ୍ଜି ଗ୍ରୁପ୍କୁ ସାମିଲ୍ କରାଯାଇ ଧାନ କିଣା କେନ୍ଦ୍ର ସଂଖ୍ୟା ବଢ଼ାଇବାକୁ ଯୋଜନା ହୋଇଛି। ଏହି କ୍ରମରେ ଜିଲ୍ଲାର ମିସନ୍ ଶକ୍ତି ବିଭାଗ ପକ୍ଷରୁ ଚିଠି କରାଯାଇ ଏସ୍ଏଚ୍ଜି ଗ୍ରୁପ୍ଠାରୁ ମତାମତ ମଗାଯାଇଛି।
ଯେଉଁ ଗ୍ରୁପ୍ ଏଥିପାଇଁ ଆଗ୍ରହ ପ୍ରକାଶ କରିବ, ଏକ ସ୍ବତନ୍ତ୍ର ଟିମ୍ ସଂପୃକ୍ତ ଅଂଚଳ ପରିଦର୍ଶନ କରି ଗ୍ରୁପ୍ ଘର ଏବଂ ଅନ୍ୟାନ୍ୟ ସୁବିଧା ଅନୁଧ୍ୟାନ କରିବା ପରେ ଯଦି ଧାନ କିଣିବାକୁ ସେଭଳି କୌଣସି ସମସ୍ୟା ହେବନାହିଁ ବେଲି ହୃଦ୍ବୋଧ ହେବ, ତେବେ ତାହାକୁ ଏହି ଦାୟିତ୍ବ ଦିଆଯିବ। ସୋସାଇଟି ଭଳି ମଣ୍ଡି ପରିଚାଳନା ବାବଦକୁ ସମୁଦାୟ ଯେତିକି ଟଙ୍କାର ଧାନ ବିକ୍ରି ହେଇଥିବ, ସେହି ହିସାବରେ ୨.୫ପ୍ରତିଶତ ଅର୍ଥ ମିଳିବ ବୋଲି ଜିଲ୍ଳା ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଧାନକିଣା ଘୁଞ୍ଚାଯାଇ ୩୧ତାରିଖ କରାଯାଇଛି। ଆନ୍ଦୋଳନ ଯଦି ଏହି ସମୟ ଭିତରେ ପ୍ରତ୍ୟାହୃତ ହୋଇଯାଏ, ତେବେ ପୂର୍ବ ବ୍ୟବସ୍ଥା ଭଳି ମଣ୍ଡି ଚାଲିବ। ଯଦି ତାହା ନ ହୁଏ, ତେବେ ନୂଆ ଯୋଜନା ଅନୁଯାୟୀ ଧାନ କିଣାଯିବ। ୩୦ଟି କେନ୍ଦ୍ରରେ ଆର୍ଏମ୍ସି କର୍ମଚାରୀଙ୍କ ଜରିଆରେ କିଣାଯିବ। ଏହାବାଦ୍ ମନୋନୀତ ଏସ୍ଏଚ୍ଜି ଗ୍ରୁପ୍ଙ୍କ ପରିଚାଳନାରେ ଆହୁରି ଅଧିକ କେନ୍ଦ୍ର ଖୋଲାଯିବାର ବ୍ୟବସ୍ଥା ରହିଥିବା ଶ୍ରୀ ଗନ୍ତାୟତ ସୂଚନା ଦେଇଛନ୍ତି।