ଜିଲ୍ଲାରେ ୫୫ ଭାଗ ଚାଷୀଙ୍କ ହୋଇନି ଧାନ ବିକ୍ରି, ଅତିରିକ୍ତ ୫ ଲକ୍ଷ କ୍ବିଣ୍ଟାଲ ଧାନର ଟାର୍ଗେଟ ମାଗିଲା ଯୋଗାଣ ବିଭାଗ

ଭଦ୍ରକ: ନିର୍ବାଚନ ମାହୋଲରେ ସମସ୍ତେ ମାତି ଥିବାବେଳେ ଭଦ୍ରକ ଜିଲ୍ଲ‌ାରେ ସରକାରୀ ଧାନ କିଣାର ଅଚଳାବସ୍ଥା ସୃଷ୍ଟି ହୋଇଛି। ଚାଷୀ ତାର ଧାନ ନେଇ ମଣ୍ଡିରେ ପକାଇଥିବା ବେଳେ ତାର ଧାନ ଠିକଣା ସମୟରେ ବିକ୍ରି ହୋଇ ପାରୁ ନାହିଁ। ସରାକାର ଗୋଟିଏ ପଟରେ କାଳିଆ ଟଙ୍କାର ସହାୟତା ଦେଇ ଚାଷୀଙ୍କୁ ଅନୁକମ୍ପା ଦେଖାଉଥିବା ବେଳେ ଅନ୍ୟପଟାର ଧାନ ମଣ୍ଡିରେ ଚାଷୀ ଧାନ ବିକ୍ରି କରିବା ବେଳେ ଧାନ ମାନ ତଉଲିବା ଆଳରେ ପ୍ରତି ବସ୍ତା ଉପରେ ଚାଷୀଠାରୁ କଟଣି ଓ ଛଟନିର ଆଳ ଦେଖାଇ ୭ ରୁ ୮ କିଲୋ ଧାନ କାଟି ନେଉଛି। ଯେଉଁ ଚାଷୀ ଏଥିରେ ଅମଙ୍ଗ ହେଉଛନ୍ତି। ସେମାନଙ୍କର ଧାନ ବିକ୍ରି କରାଯାଉ ପାରୁ ନାହିଁ।

ଏଭଳି ଭାବେ ଚାଷୀର ଧାନ ଟଙ୍କାକୁ ଚଳୁ କରାଯାଉଛି। ଜିଲ୍ଲାରେ ଧାନ କିଣାର ପ୍ରକ୍ରିୟା ଡିସେମ୍ବର ମାସରୁ ଆରମ୍ଭ ହୋଇଥିଲେ ମଧ୍ୟ ଏବେ ସୁଦ୍ଧା ଜିଲ୍ଲାର ୫୫ ଭାଗ ପଞ୍ଜିକୃତ ଚାଷୀ ଧାନ ସରକାରୀ ମଣ୍ଡିରେ ବିକ୍ରି କରି ପାରି ନାହାଁନ୍ତି। ଟାର୍ଗେଟ ଅଭାବରୁ ଜିଲ୍ଲାରେ ଧାନ ସଂଗ୍ରହ ସମ୍ପୂର୍ଣ୍ଣ ବନ୍ଦ ହେବା ଆଗରୁ ଜିଲ୍ଲା ପାଇଁ ଅଧିକ ୫ ଲକ୍ଷ କୁଇଣ୍ଟାଲ ଧାନ କୋଟା ମଞ୍ଜୁର କରିବା ପାଇଁ ଜିଲ୍ଲା ପ୍ରଶାସନ ଜରିଆରେ ସରକାରଙ୍କୁ ଅନୁରୋଧ କରାଯାଇଛି। ସରକାରୀ ଭାବେ ଏହି ଅତିରିକ୍ତ କୋଟା ମଞ୍ଜୁର ନହେଲେ ଜିଲ୍ଲାରେ ଧାନ ସଂଗ୍ରହ ପ୍ରଭାବିତ ହେବା ଆଶଙ୍କା କରାଯାଉଛି। ଯାହାକୁ ନେଇ ଜିଲ୍ଲା ଯୋଗାଣ ନିଗମ ଓ ଚାଷୀ ଚିନ୍ତାରେ ରହିଛି। ଚଳିତବର୍ଷ ଭଦ୍ରକ ଜିଲ୍ଲାରେ ସରକାରୀ ମଣ୍ଡିରେ ଧାନ ବିକ୍ରୀ କରିବାକୁ ୭୯ ହଜାର ୧୮୨ ଜଣ ଚାଷୀ ପଞ୍ଜିକରଣ କରିଥିଲେ। ଜିଲ୍ଲାରେ ଚାଷୀ ପଞ୍ଜିକରଣକୁ ଦୃଷ୍ଟିରେ ରଖି ସରକାର ପ୍ରଥମ ଦଫାରେ ୨୧ ଲକ୍ଷ ୪୨ ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ ପାଇଁ ଟାର୍ଗେଟ ମଞ୍ଜୁର କରି ଧାନ ସଂଗ୍ରହ କରିଥିଲେ।

ଏହା ଭିତରେ ଯୋଗାଣ ବିଭାଗ ୩୭ ହଜାର ଚାଷୀଙ୍କ ଜରିଆରେ ପ୍ରାୟ ୧୬ ଳକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ କରିଥିଲେ। ଆହୁରି ୩୯ ହଜାରରୁ ଉର୍ଦ୍ଧ୍ବ ଚାଷୀ ଧାନ ସଂଗ୍ରହ କରିବା ଲକ୍ଷ୍ୟରେ ରହିଥିବା ବେଳେ ଧାର୍ଯ୍ୟ କୋଟାରୁ ମ‌ାତ୍ର ୫ ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ ବାକି ରହିଛି। ବଳକା କୋଟା ରହିଯାଇଥିବା ଚାଷୀଙ୍କ ପାଇଁ ପର୍ଯ୍ୟାପ୍ତ ହେଉ ନଥିବାରୁ ଯୋଗାଣ ବିଭାଗ ଜିଲ୍ଲା ପ୍ରଶାସନ ଜରିଆରେ ଅଧିକ ୫ ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ ପାଇଁ ଟାର୍ଗେଟ ମାଗିଛନ୍ତି। ସରକାର ଜିଲ୍ଲା ପ୍ରଶାସନର ଏଇ ଅନୁରୋଧ ରଖିବେ କି ନାହିଁ। ତାହା ଜଣାପଡି ନାହିଁ। ଜିଲ୍ଲା ପାଇଁ ସେତିକି କୋଟା ସରକାର ପ୍ରଦାନ କଲେ ମଧ୍ୟ ଜିଲ୍ଲାର ଚାଷୀଙ୍କ ଠାରୁ ଧାନ ସଂଗ୍ରହ ପର୍ଯ୍ୟାପ୍ତ ହେବ ନାହିଁ। ନିଗମ ପାଖରେ ଏବେ ସୁଦ୍ଧା ୩୭ ହଜାର ଚାଷୀ ସରକାରଙ୍କୁ ଧାନ ବିକ୍ରି କରିଥିବା କୁହାଯାଉଥିଲେ ମଧ୍ୟ ଏକାଧିକ ଟୋକନ ଥିବା ବହୁ ଚାଷୀଙ୍କୁ କେବଳ ଗୋଟିଏ କିମ୍ବା ଦୁଇଟି ଟୋକନ ରେ ଧାନ ବିକ୍ରି କରିଥିବା ବେଳେ ଅବଶିଷ୍ଟ ଟୋକନରେ ଧାନ ବିକ୍ରି କରିବାକୁ ବାକି ରହିଛି। ପରବର୍ତ୍ତୀ ଅବସ୍ଥାରେ ସେମାନଙ୍କୁ ଆଉ ଧାନ ସଂଗ୍ରହରେ ସୁଯୋଗ ମିଳିବ କି ନାହିଁ ତାକୁ ନେଇ ଚାଷୀ ଦ୍ବନ୍ଦରେ ରହିଛି।

ସେହିଭଳି ସରକାରୀ ସୂଚନା ଅନୁଯାୟୀ ଜିଲ୍ଲାରେ ଏବେ ସୁଦ୍ଧା ୩୭ ହଜାର ୨୮୫ ଜଣ ଚାଷୀ ସରକାରଙ୍କୁ ସେମାନଙ୍କର ଧାନ ବିକ୍ରି କରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୨୪ ହଜାର ୭୬୬ ଜଣ ଚାଷୀଙ୍କୁ ସେମାନଙ୍କର ପ୍ରାପ୍ୟ ବାବଦକୁ ଯୋଗାଣ ବିଭାଗ ୨ ଶହ ୩ କୋଟି ଟଙ୍କା ପୈଠ କରିଥିବା ବେଳେ ପ୍ରାପ୍ୟ ଅପେକ୍ଷାରେ ଆହୁରି ୧୨ ହଜାର ୬ ଶହ ୧୯ ଜଣ ଚାଷୀ ରହିଛନ୍ତି। ଧାନ କିଣୁ ଥିବା ମିଲର ଓ ସମବାୟ ସମିତିର ଅବହେଳା ଯୋଗୁ ଧାନ ବିକ୍ରି ପାଇବାର ପ୍ରାପ୍ୟ ବିଳମ୍ବ ହେଉଛି। କ୍ରୟ କରାଯାଉଥିବା ଧାନର ତୁରନ୍ତ ସ୍କାନିଂ ନକରି ମିଲର ଓ ମଣ୍ଡିରେ ବହୁଦିନ ଧରି ଧାନ ପକାଇ ରଖିବା ଯୋଗୁଁ ସରକାରଙ୍କୁ ଧାନ ବିକ୍ରୀ କରି ଦୀର୍ଘଦିନ ଧରି ଚାଷୀ ପ୍ରାପ୍ୟ ପାଉ ନାହାଁନ୍ତି। ଚଳିତବର୍ଷ ଜିଲ୍ଲାରେ ୩୮ ଟି ମିଲର ଓ ୧୫୪ ଟି ଧାନ ସଂଗ୍ରହ ଏଜେନସୀଙ୍କ ଜରିଆରେ ଯୋଗାଣ ନିଗମ ଧାନ ସଂଗ୍ରହ କରୁଛି। ଜିଲ୍ଲାରେ ଧାନ କିଣାର ଏଭଳି ଅଚଳାବସ୍ଥା ଭିତରେ ଚାଷୀ ହନ୍ତସନ୍ତ ହେଉଛି।

ସମ୍ବନ୍ଧିତ ଖବର