କଟକ: କଟକରେ ଧାନ କିଣାକୁ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଛି। ଗୋଟିଏ ପଟେ ଧାନ ସଂଗ୍ରହ ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଥିବା ବେଳେ ତାହାକୁ ଡିସେମ୍ବର ୩୧କୁ ଘୁଞ୍ଚାଇ ଦିଆଯାଇଛି। କିନ୍ତୁ ଅନ୍ୟପଟେ ସମବାୟ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଏଯାଏ ଜିଲ୍ଲାର ୨୦୫ଟି ପ୍ୟାକ୍ସ ସହିତ ଧାନ ସଂଗ୍ରହ ନି‌ମନ୍ତେ ଚୁକ୍ତି ହୋଇନି କି ଧାନକିଣା ତାଲିମ୍‌ କାର୍ଯ୍ୟକ୍ରମ ବି କରାଯାଇନି। ଅକ୍ଟୋବରରୁ ମାର୍ଚ୍ଚ ୩୧ ସୁଦ୍ଧା ରବି ଧାନ ପାଇଁ ଯେଉଁ ଋଣ ପ୍ରଦାନ କରାଯିବା କଥା ତାହା ମଧ୍ୟ ଅତ୍ୟନ୍ତ ନୈରାଶ୍ୟଜନକ ସ୍ଥିତିରେ ରହିଛି। କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ମାତ୍ର ୨୭ ପ୍ରତିଶତ ଓ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ମାତ୍ର ୧୨ ପ୍ରତିଶତ ଚାଷୀଙ୍କୁ ଋଣ ପ୍ରଦାନ କରାଯାଇଛି। କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ଥିବା ୮୫ ପ୍ୟାକ୍ସରେ ଅକ୍ଟୋବରରୁ ମାର୍ଚ୍ଚ ୩୧ ସୁଦ୍ଧା ରବି ଧାନ ପାଇଁ ୧୪୦ କୋଟି ଟଙ୍କା ଋଣ ଦେବାର ଲକ୍ଷ୍ୟ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୩୮କୋଟି ୬୩ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି। ସେହିପରି ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ୯୮ଟି ପ୍ୟାକ୍ସରେ ୧୮୦ କୋଟି ଟଙ୍କା ଋଣ ପ୍ରଦାନ ଲକ୍ଷ୍ୟ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୨୨କୋଟି ଟଙ୍କାର ଋଣ ଦିଆଯାଇଛି। ପ୍ୟାକ୍ସ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଉଭୟ ଧାନ ସଂଗ୍ରହ ଓ ଋଣପ୍ରଦାନ ବ୍ୟବସ୍ଥା ପ୍ରଭାବିତ ହୋଇଛି। ପ୍ରଥମଥର ପାଇଁ ଜିଲ୍ଲାର ମହିଳା ଗୋଷ୍ଠୀଙ୍କୁ ଚଳିତ ବର୍ଷ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବାରୁ ଏହାକୁ ନେଇ ବି ପ୍ରକ୍ରିୟା ଚୂଡାନ୍ତ ହୋଇପାରିନି। ଏଥିପାଇଁ ୩୦ରୁ ଅଧିକ ଆବେଦନ ପତ୍ର ଆସିଛି। କିନ୍ତୁ ଜିଲ୍ଲାରେ ୪ଶହରୁ ଅଧିକ ପ୍ୟାକ୍ସ ସଂପାଦକ ଓ କର୍ମଚାରୀ ଏବେ ଆନ୍ଦୋଳନ ଚଳାଇଥିବା ଯୋଗୁଁ ପ୍ୟାକ୍ସ ଗୁଡିକରେ ତାଲା ଝୁଲୁଛି।

Advertisment

ତଥ୍ୟ ଅନୁଯାୟୀ ଜିଲ୍ଲାରେ ୬୬,୩୯୮ ଚାଷୀ ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୩ ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ ପା‌ଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଜଣେ ଚାଷୀର କେତେ ଚାଷଜମି ଧାନ କିଣିବା ପାଇଁ ପଞ୍ଜିକୃତ ହୋଇଛି, ସେ କେତେ ଧାନ ବିକ୍ରି କରିପାରିବ ଓ କେବେ ସୁଦ୍ଧା ଧାନ ବିକ୍ରି କରିପାରିବ, ସେ ସଂପର୍କରେ ଜାଣିବାକୁ ୧୯୬୭ ନମ୍ବରକୁ ଡାଏଲ୍‌ କରିବା ବ୍ୟବସ୍ଥା କରାଯାଇଛି। କଟକ ଜିଲ୍ଲାରେ ଧାନ ସଂଗ୍ରହ ପାଇଁ ୨୨୬ଟି ମଣ୍ଡି ଖୋଲାଯିବ। ସେଥିରୁ ସୋସାଇଟିରେ ୨୦୫ ଓ ୨୧ଟି ଅନ୍ୟସ୍ଥାନରେ ଖୋଲାଯିବ। ଚଳିତବର୍ଷ ପ୍ରଥମଥର ପାଇଁ ୧୪ଟି ମହିଳା ଗୋଷ୍ଠୀଙ୍କୁ ୧୪ଟି ସ୍ଥାନରେ ଧାନ କିଣିବା ପ୍ରକ୍ରିୟାରେ ସାମିଲ କରାଯିବ। ନିଆଳି, ବାଙ୍କୀ, ସାଲେପୁର ବ୍ଲକରେ ଏହି ମହିଳା ଗୋଷ୍ଠୀ ଧାନ ସଂଗ୍ରହ କରିବେ। ଜିଲ୍ଲାର ୮ଜଣ ମିଲର୍‌ଙ୍କୁ ଧାନ ସଂଗ୍ରହ ବ୍ୟବସ୍ଥାରେ ସାମିଲ କରାଯିବ। ବାହାର ଜିଲ୍ଲାର ମିଲର୍‌ଙ୍କୁ ମଧ୍ୟ ଧାନ ସଂଗ୍ରହ ବ୍ୟବସ୍ଥାରେ ସାମିଲ ପାଇଁ ଯୋଗାଣ ନିଗମକୁ ଜିଲ୍ଲା ପ୍ରଶାସନ ଚିଠି ଲେଖିବ। ଗତବର୍ଷ ୪ ଜଣ ବାହାର ଜିଲ୍ଲାର ମିଲର୍‌ଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯାଇଥିଲା କିନ୍ତୁ ଚଳିତବର୍ଷ ଏହି ସଂଖ୍ୟାକୁ ବୃଦ୍ଧି କରାଯିବା ପାଇଁ ପ୍ରଶାସନ ଯୋଜନା ରଖିଛି। ପ୍ରତିଦିନ ପାଖାପାଖି ୩୫/୪୦ଟି ମଣ୍ଡିରୁ ଧାନ ଉଠିବ ଓ ପ୍ରତି ମଣ୍ଡିରୁ ହଜାରେ କ୍ବିଣ୍ଟାଲ ଧାନ ସଂଗ୍ରହ ପାଇଁ ଯୋଜନା ରହିଛି। କୋଭିଡ୍‌ କଟକଣା ପାଳନ ଓ ଚାଷୀ ଯେମିତି ଦଲାଲଙ୍କ ଶିକାର ନ ହୁଅନ୍ତି ସେଥିପାଇଁ ତ୍ରିସ୍ତରୀୟ ସ୍କ୍ବାଡ୍‌ (ସବ୍‌ଡିଭିଜିନାଲ ଓ ଜିଲ୍ଲାସ୍ତରୀୟ) ଗଠନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଗତବର୍ଷ ଜିଲ୍ଲାରେ ୬୨,୨୧୩ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ଭିତରୁ ୪୯,୨୦୦ ଚାଷୀଙ୍କ ଠାରୁ ୧୭ଲକ୍ଷ ୧୫ ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଥିଲା। ଟୋକନ୍‌ ଥାଇ ବି ୧୩ ହଜାର ଚାଷୀ ଗତବର୍ଷ ଧାନ ବିକ୍ରି କରିପାରି ନଥି‌ଲେ।