କୋରାପୁଟ: ଟାର୍ଗେଟ ସରି ଯାଇଛି। ଟାର୍ଗେଟ ନ ଥିବାରୁ ଧାନ କିଣା ବି ବନ୍ଦ। ଏଥିନେଇ ପ୍ରଶାସନକୁ ଅଭିଯୋଗ କଲେ ଶୁଣିବାକୁ କେହି ନାହାନ୍ତି। ଫଳରେ ଚାଷୀମାନେ ବାଧ୍ୟ ହୋଇ ବ୍ୟବସାୟୀ ମାନଙ୍କୁ ଅଳ୍ପ ଦରରେ ଧାନ ବିକିବା ପାଇଁ ବାଧ୍ୟ ହେଉଛନ୍ତି। ଆଉ ଏହା ଜିଲ୍ଲାର ହଜାର ହଜାର ଚାଷୀଙ୍କୁ ତତାଇ ଦେଇଛି। କୋରାପୁଟ ଜିଲ୍ଲାରେ ରବି ଧାନ ଭଲ ହୋଇଥାଏ। ଜଳସେଚନ ସୁବିଧା ଥିବାରୁ ଜିଲ୍ଲାର ଜୟପୁର, ବୋରିଗୁମ୍ମା, କୋଟପାଡ ଓ କୁନ୍ଦୁରା ସମେତ ବିଭିନ୍ନ ଅଞ୍ଚଳରେ ରବି ଧାନ ଚାଷ ହୁଏ। ଚଳିତବର୍ଷ ମଧ୍ୟ ଭଲ ଫସଲ ହୋଇଥିଲା। କିନ୍ତୁ ରବି ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ପାଇଁ ଚାଷୀମାନେ ହୀନସ୍ତା ହୋଇଛନ୍ତି। ଏଥର ମେ’ ୨୮ ତାରିଖରୁ ଧାନ କିଣିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। କିନ୍ତୁ ଧାନ ଅମଳରେ ବିଳମ୍ବ ହେବା କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ଜୁନ ପ୍ରଥମ ସପ୍ତାହରୁ ଭଲ ଭାବେ ଧାନ କିଣା ଆରମ୍ଭ ହୋଇଥିଲା। ଫଳରେ ବିଳମ୍ବରେ କୋରାପୁଟ ଜିଲ୍ଲାରେ ଧାନ କିଣାବିକା ଆରମ୍ଭ ହୋଇଥିଲା।
ଯୋଗାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାକୁ ଏଥର ୧୨ ଲକ୍ଷ କ୍ବିଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଦିଆଯାଇଥିଲା। ଧାନ ବିକିବା ପାଇଁ ଚାଷୀମାନେ ଆଗୁଆ ପଞ୍ଜୀକରଣ କରିଥିଲେ। ୧୫ ହଜାର ୧୫୬ ହଜାରରୁ ଅଧିକ ଚାଷୀ ପଞ୍ଜୀକୃତ ହୋଇଥିଲାବେଳେ ୧୪୭୦୮ ଜଣ ଚାଷୀ ଧାନ ବିକ୍ରି କରିଛନ୍ତି। ପ୍ରାୟ ୪୪୮ ଜଣ ଚାଷୀ ଧାନ ବିକି ପାରିଛନ୍ତି। ଏବେ ବି ଏହି ଚାଷୀଙ୍କ ନିକଟରେ ପ୍ରାୟ ୨ହଜାର କ୍ବିଣ୍ଟାଲ ଧାନ ପଡିଥିବାବେଳେ ଏହି ଦାନ ଉପରେ ପଡୋଶୀ ରାଜ୍ୟର ମାଫିଆଙ୍କୁ ନଜର ପଡିଛି। ଜିଲ୍ଲାସ୍ତରୀୟ ଧାନ କିଣା ବୈଠକରେ ପ୍ରାୟ ୧୫ହଜାର ଚାଷୀଙ୍କଠାରୁ ୨୪ ଲକ୍ଷ ଟଙ୍କା କିଣାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ କାହିଁକି ୧୨ଲକ୍ଷ ୨୭ହଜାର୨୭୦ ଲକ୍ଷ କ୍ବିଣ୍ଟାଲ ଧାନ କିଣାଯାଇଛି।
ରବି ମଣ୍ଡିକୁ ସୁରୁଖୁରୁରେ ସାରିବା ପାଇଁ ଜିଲ୍ଲାରେ ୫୫ଟି ମଣ୍ଡି କରାଯାଇଥିଲା। ମଣ୍ତିରେ ପ୍ରଥମେ ଛୋଟ ଚାଷୀଙ୍କ ପାଖରୁ ଧାନ କିଣାଯାଇଥିଲାବେଳେ ଜଣେ ଚାଷୀ ସର୍ବାଧିକ ଦିନକୁ ୧୦୦ କ୍ବିଣ୍ଟାଲ ଧାନ ବିକ୍ରି କରିଥିଲେ। ପ୍ରତି ମଣ୍ଡିରେ ଦୈନିକ ୧ ହଜାର କୁଇଣ୍ଟାଲ ଧାନ କିଣାବିକା କରିବାକୁ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ଆରମ୍ଭରୁ ଏହା ମାନ୍ଦା ଚାଲିଥିଲା। ଧାନ ଅମଳ ହୋଇ ନ ଥିବାରୁ ମଣ୍ଡିକୁ ଧାନ ଆଣି ପାରି ନ ଥିଲେ ଚାଷୀ। ବର୍ଷା କାରଣରୁ ଧାନ ଅମଳ ବାଧାପ୍ରାପ୍ତ ହୋଇଥିଲାବେଳେ ଜୁନ ୩୦ରୁ ମଣ୍ଡିକୁ ବନ୍ଦ କରି ଦିଆଯାଇଛି। ଫଳରେ ଧାନ ଠିକ ଭାବେ ଧାନ ବିକି ପାରି ନାହାନ୍ତି ଚାଷୀ। ଚାଷୀ ଧାନ ଧରି ବସିଥିଲାବେଳେ ମଣ୍ଡି ବନ୍ଦ କରି ଦେଇଛି ପ୍ରଶାସନ। ଏହାକୁ ନେଇ ଚାଷୀଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜୟପୁର, ବୋରିଗୁମ୍ମା ସମେତ କୋଟପାଡ, କୁନ୍ଦୁରା ଓ ବୈପାରିଗୁଡାରେ ଚାଷୀଙ୍କ ଧାନ ବଳିପଡିଛି। ବଳକା ଧାନ ଧରି ଚାଷୀ ବିକିବା ପାଇଁ ଅପେକ୍ଷା କରି ରହିଥିଲାବେଳେ ପ୍ରଶାସନ ହାତ ଟେକି ଦେଇଛି। ଜୟପୁର ବ୍ଲକ ବାଲିଆ ଗ୍ରାମର ଚାଷୀ ମନୋଜ ପାତ୍ର କହିଛନ୍ତି ଯେ, ପ୍ରଶାସନ ପକ୍ଷରୁ ରବି ଧାନ କିଣା ଏକ ଫାର୍ସରେ ପରିଣତ ହୋଇଛି। କିଛି ଅସାଧୁ ଅଧିକାରୀ ଓ କର୍ମଚାରୀ ମିଶି ପ୍ରଥମେ ବ୍ୟବସାୟୀଙ୍କ ପାଖରୁ ଧାନ କିଣିଛନ୍ତି।
ଆରମ୍ଭରୁ ବିଭିନ୍ନ ବାହାନ ଦେଖାଇ ଚାଷୀଙ୍କ ଧାନ କିଣାକୁ ଗଡାଇ ଗଡାଇ ଚାଲିଥିଲେ। ଏବେ ଧାନ ବିକିଲା ବେଳକୁ ଟାର୍ଗେଟ ଶେଷ ହୋଇ ଯାଇଥିବା କହୁଛନ୍ତି। ତାଙ୍କ ପାଖରେ ଏବେ ବି ବିକିବା ପାଇଁ ୫୦ କ୍ବିଣ୍ଟାଲରୁ ଅଧିକ ଧାନ ଥିବା ମନୋଜ ପାତ୍ର କହିଛନ୍ତି। କେବଳ ମନୋଜ ନୁହଁନ୍ତି, ଜିଲ୍ଲାର ଶହ ଶହ ଚାଷୀଙ୍କ ପାଖରେ ହଜାର ହଜାର କ୍ବିଣ୍ଟାଲ ଧାନ ପଡି ରହିଥିଲାବେଳେ ସେମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କେତେକ ଚାଷୀ କମ ଦାମରେ ବାହାର ରାଜ୍ୟର ବ୍ୟବସାୟୀଙ୍କୁ ଧାନ ବିକିବା ଆରମ୍ଭ କଲେଣି। କୋଟପାଡର ଚାଷୀମାନେ ମଧ୍ୟ ଅଳ୍ପ ଦରରେ ମିଲରଙ୍କୁ ଧାନ ଦେବାକୁ ବାଧ୍ୟ ହେଉଛନ୍ତି। ତଥାପି ପ୍ରଶାସନର ନିଦ ଭାଙ୍ଗୁନି। ଏ ସଂପର୍କରେ ସହକାରୀ ବେସାମରିକ ଯୋଗାଣ ଅଧିକାରୀ ପ୍ରଦୀପ ପଣ୍ଡା ସୂଚନା ଦେଇ କହିଛନ୍ତି ଯେ, ଏଥର ଜିଲ୍ଲାକୁ ୧୯ହଜାର ୩୪୫ ଜଣ ଚାଷୀଙ୍କଠାରୁ ଧାନ କିଣିବା ପାଇଁ ୨୪ ଲକ୍ଷ କ୍ବିଣ୍ଟାଲ ଟାର୍ଗେଟ ଆସିଥିଲା। ତନଖୀ ପରେ ଶହ ଶହ ଚାଷୀ ଦାନ ବିକାରୁ ବାଦ ପଡିଥିଲେ। ତେଣୁ ୧୫ ହଜାର ୧୫୬ ଚାଷୀଙ୍କୁ ନେଇ ଲକ୍ଷ୍ୟ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଧାନ କିଣା ସରିଛି। ଜୁନ ୩୦ ତାରିଖରୁ ଧାନ କିଣାବିକା ବନ୍ଦ ହୋଇଯାଇଛି। ୩୦ ପରେ ଅନଲାଇନ ଏଣ୍ଟ୍ରି ବନ୍ଦ ହୋଇ ଯାଇଥିବାରୁ ଆଉ ଧାନ କିଣାବିକା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ସରକାର ନିଷ୍ପତ୍ତି ନେଲେ ଅଧିକ ଧାନ କିଣା ହୋଇ ପାରିବ ବୋଲି ସେ ସୂଚନା ଦେଇଛନ୍ତି।