ଖୋର୍ଦ୍ଧା ଜିଲ୍ଲାରେ ଚଳିତବର୍ଷ ୭୮ରୁ ୧ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ଲକ୍ଷ୍ୟ

ଡିସେମ୍ବର ୩୦ରୁ ଖରିଫ ଧାନ ସଂଗ୍ରହ ଆରମ୍ଭ

ଖୋର୍ଦ୍ଧା: ୨୦୨୨-୨୩ ଖରିଫ ଋତୁ ପାଇଁ ଡିସେମ୍ବର ୩୦ ତାରିଖରୁ ଧାନ ସଂଗ୍ରହ ଆରମ୍ଭ ହେବ। ଚଳିତବର୍ଷ ୧୫୩ଟି ୭୮ ହଜାରରୁ ୧ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ବୋଲି ଆଜି ଜିଲ୍ଲାସ୍ତରୀୟ ଧାନସଂଗ୍ରହ କମିଟି ବୈଠକ ପରେ ଜିଲ୍ଲା ଯୋଗାଣ ଅଧିକାରୀ ସୁଗୁଡ଼ା ମୁର୍ମୁ ସୂଚନା ଦେଇଛନ୍ତି। ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଳାପାଳ କେ. ସୁଦର୍ଶନ ଚକ୍ରବର୍ତୀ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ମୁର୍ମୁ ଧାନ ସଂଗ୍ରହ ସମ୍ପର୍କିତ ତଥ୍ୟ ରଖିଥିଲେ। ବୈଠକରୁ ମିଳିଥିବା ସୂଚନାନୁସାରେ, ୨୦୨୨-୨୩ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ଡିସେମ୍ବର ୩୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ଶେଷ ଯାଏଁ ଚାଲିବ। ଧାନ ସଂଗ୍ରହ ନିମନ୍ତେ ୧୦ଟି ବ୍ଲକର ୧୩୯ଟି ପ୍ରାଥମିକ ସମବାୟ ସମିତି ଓ ୧୪ଟି ଉପକେନ୍ଦ୍ର, ଏଭଳି ମୋଟ ୧୫୩ଟି ସ୍ଥାନରେ ମଣ୍ଡି ସ୍ଥାପିତ ହେବ। ଏହା ସହିତ ୧୭ଜଣ ମିଲରଙ୍କ ସହ ଧାନ ସଂଗ୍ରହ ପାଇଁ ଚୁକ୍ତି କରାଯାଇଛି। ଚଳିତବର୍ଷ ପୂର୍ବବର୍ଷ ତୁଳନାରେ ୧୮୧୩ଜଣ ଅଧିକ ଚାଷୀ ପଞ୍ଜୀକରଣ କରିଥିବା ବେଳେ ଯାଞ୍ଚ ପରେ ୪୭ହଜାର ୧୪୭ଜଣ ଚାଷୀଙ୍କ ପଞ୍ଜୀକରଣ ବୈଧ ରହିଛି। ବର୍ଦ୍ଧିତ ସଂଖ୍ୟାକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ୭୮ହଜାର ୫୯୦ ମେଟ୍ରିକ ଟନ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୧ଲକ୍ଷ ୧୫ହଜାର ୫୭୩ ମେଟ୍ରିକ ଟନକୁ ବୃଦ୍ଧି କରାଯିବ। ଚଳିତବର୍ଷ ସାଧାରଣ କିସମ ଧାନ ପାଇଁ କ୍ୱିଣ୍ଟାଲ ପିଛା ୨୦୪୦ଟଙ୍କା ଓ ଗ୍ରେଡ୍-କ ଧାନ ପାଇଁ ୨୦୬୦ଟଙ୍କା ଧାର୍ଯ୍ୟ କରାଯାଇଛି।

ଧାନ ସଂଗ୍ରହରେ ଅସାଧୁ ବ୍ୟକ୍ତିଙ୍କୁ ଦୂରେଇ ରଖିବା, ଧାନ ସଂଗ୍ରହରେ ସ୍ୱଚ୍ଛତା ଓ ଚାଷୀଙ୍କୁ ନିର୍ଦ୍ଧାରିତ ସମୟରେ ଧାନ ବିକ୍ରି ଟଙ୍କା ପ୍ରଦାନ ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଓ ମଣ୍ଡି ସମ୍ପର୍କିତ ବ୍ୟବସ୍ଥା ସମ୍ପର୍କରେ ଚାଷୀଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଧାନମଣ୍ଡି ଗୁଡ଼ିକରେ ଧାନର ସଠିକ ମାନ ଯାଞ୍ଚ ସହ ଏଥିପାଇଁ ଏକ ସ୍ୱତନ୍ତ୍ର ରେଜିଷ୍ଟାର ପ୍ରସ୍ତୁତ କରିବାକୁ କୃଷି ସମବାୟ ସମିତି ଓ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ମାନଙ୍କୁ କୁହାଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏସ୍କେ ମୁର୍ମୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଫୁଲ୍ଲ ମହାରଣା, ସହକାରୀ କୃଷି ଅଧିକାରୀ ତୁଷାରକାନ୍ତ ସାହୁ, ଉପକୃଷି ନିର୍ଦେଶକ ସନ୍ତୋଷ ବିଶ୍ୱାଳ, ସମବାୟ ସମିତି ସମୂହର ଅଧିକାରୀ, ସମ୍ପାଦକ ଓ ମିଲର ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର