ଘିଉରୀ ମଣ୍ଡିରୁ ଆଜି ବି ଉଠିଲା ନି ମୁଠାଏ ଧାନ; ପୁଣି ଆଉ ୩ଲକ୍ଷ ୧୫ହଜାର କୁଇଣ୍ଟାଲ ଧାନ କିଣିବାକୁ ମିଳିଲା ଟାର୍ଗେଟ

ଅନ୍ୟ ସ୍ଥାନୀୟ ମିଲର୍ସ ଚାହିଁଲେ ଧାନ ଉଠାଇ ପାରିବେ-ସିଏସଓ 

ଜୟପୁର: ଗତ କାଲି ପର୍ଯ୍ୟନ୍ତ ଘିଉରୀ ମଣ୍ଡିରେ ଧାନ ଉଠି ପାରି ନଥିବା ବେଳେ ଆଜି ବି ଆଉ ଧାନ ଉଠିନି। ଶାନ୍ତ ଥିବା ଚାଷୀ ମାନେ ଧାନ ଉଠାଇବା ଦାବି କରି ଗତ କାଲି ସଂଧ୍ୟା ସାଢ଼େ ୭ଟାରେ ମଣ୍ଡିକୁ ଆସିଥିବା ଲ୍ୟାମ୍ପର ଡିଇଓ ଆଦିଙ୍କୁ ଗୋଟିଏ ରୁମ ମଧ୍ୟରେ ଚାବି ପକାଇ ରଖିଥିଲେ। ପୂର୍ବତନ ମନ୍ତ୍ରୀ ରବି ନାରାୟଣନନ୍ଦ , ବିଜୁ ଶ୍ରମିକ ସାମ୍ମୁଖ୍ୟ ନେତା ବାଲା ରାୟ ମଣ୍ଡିକୁ ଯାଇ ଚାଷୀଙ୍କ କଥା ବୁଝିବା ସହ ଜିଲ୍ଲାପାଳ, ଜିଲ୍ଲାଯୋଗାଣ ଅଧିକାରୀ, ଲ୍ୟାମ୍ପ ଏମଡି ଆଦିଙ୍କ ସହ ଆଲୋଚନା ବି କରିଥିଲେ। ଲ୍ୟାମ୍ପ ଏମଡି ବି ଘିଉରୀ ମଣ୍ଡିକୁ ଆସି ଆଜି ଧାନ କିଣିବେ ବୋଲି ପ୍ରତିଶୃତି ଦେଇଥିଲେ। ୩୦ତାରିଖର ୧୩୬ଜଣ ଟୋକେନଧାରୀଙ୍କ ଅବଧି ବୃଦ୍ଧି ସଂପର୍କରେ ବି ଆଲୋଚନା କରିବାସହ ଅନ୍ୟ ଚାଷୀଙ୍କର ଧାନ ବି କିଣାଯିବ ବୋଲି ପ୍ରତିଶୃତି ଦେଇଥିଲେ। ତେବେ ଆଜି ୭୦ଜଣ ଚାଷୀ ପ୍ରାୟ ୫ହଜାର କୁଇଣ୍ଟାଲ ଧାନ ମଣ୍ଡିକୁ ନେଇ ଆସିଥିଲେ। ତେବେ କ୍ରୟକାରୀ ସଂସ୍ଥା କାହାରି ଦେଖା ‌ମିଳି ନଥିଲା। ଆଜି ଚାଷୀ ତୀବ୍ର ପ୍ରତିକ୍ରୀୟା ପ୍ରକାଶକରି ଫେରିଛନ୍ତି। ଅନ୍ୟ ପକ୍ଷରେ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୩୫ଟି କ୍ରୟକାରୀ ସଂସ୍ଥା ମାଧ୍ୟମରେ ୯୮୨୯ ଜଣ ଚାଷୀଙ୍କ ଠାରୁ ୯ଲକ୍ଷ ୧ହଜାର ୯୮୧ କୁଇଣ୍ଟାଲ ଧାନ କିଣାସରିଛି। ଅପରପକ୍ଷରେ ଜିଲ୍ଲାପାଇଁ ତୃତୀୟ ପର୍ଯ୍ୟାୟରେ ଆଉ ୩ ଲକ୍ଷ ୧୫ ହଜାର କୁଇଣ୍ଟାଲ ଧାନ କିଣିବାକୁ ଅତିରିକ୍ତ ଟାର୍ଗେଟ ରାଜ୍ୟ ସରକାର ଦେଇଥିବା କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ଡା।

ପୂର୍ବରୁ ୭ ଲକ୍ଷ ୩୦ ହଜାର କୁଇଣ୍ଟାଲ, ୨ୟଥର ୨ଲକ୍ଷ ୨୦ହଜାର କୁଇଣ୍ଟାଏ ଓଏବେ ପୁଣି ଆହୁରି ଟାର୍ଗେଟ ମିଳିଛି। କ୍ରୟକାରୀ ସଂସ୍ଥା ଗୁଡ଼ିକ କିଭଳି ଚାଷୀଙ୍କ ଟୋକନ୍ ଅବଧି ମଧ୍ୟରେ ଧାନ କିଣିବେ ସେମାନେ ଏହାକୁ ସଠିକ ଭାବେ ପରିଚାଳନା କରିବା କଥା ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ। ଉମୁରୀ ଲ୍ୟାମ୍ପକୁ ଅତିରିକ୍ତ ଲକ୍ଷ୍ୟ ଦିଆଯାଇଛି ଏବଂ ଘିଉରୀ ମଣ୍ଡି ସହ ଅନ୍ୟ ମଣ୍ଡି ଗୁଡିକରେ କିଭଳି ଧାନ କିଣାଯିବ ସେ ତାହାକୁ ଠିକରେ ପରିଚାଳନା କରନ୍ତୁ ବୋଲି କହିଛନ୍ତି। ସଂପ୍ରତି ବଲାଙ୍ଗୀରର ୨୭ଟି, ସ୍ଥାନୀୟ ୨୩ଟି ମିଲର ଧାନ କିଣୁଛନ୍ତି। ଧାନ କିଣା ବିବାଦକୁ ସମାଧାନ ପାଇଁ ବି ପ୍ରଶାସନ ପକ୍ଷରୁ ଆଉ ଗୋଟିଏ ନିଷ୍ପତି ନିଆଯାଇଛି ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ। ଏହି ୫୦ଟି ମିଲରଙ୍କୁ ବାଦ୍ ଦେଇ ବି ସ୍ଥାନୀୟ ଅନ୍ୟ ମିଲର ଚାହିଁଲେ ବିଭିନ୍ନ ମଣ୍ଡିରୁ ଧାନ ନେଇ ଚାଉଲ ଦେଇ ପାରିବେ। ଜିଲ୍ଲାର ମିଲର ମାନଙ୍କର ଖରିଫର ଟଙ୍କା ଜିଲ୍ଲା ଯୋଗାଣ ବିଭାଗ ନିକଟରେ ଜମା ରହିଛି। ଏ ନେଇ ବି ମିଲରସଙ୍କ ସହ ଜିଲ୍ଲାଯୋଗାଣ ବିଭାଗ ଅଧିକାରୀ ଗତ କାଲି ଆଲୋଚନା କରିଥିବା ଏବଂ ଅତିରିକ୍ତ ଭାବେ ଆଉ କିଛି ମିଲର ଧାନ ଉଠାଇବାକୁ ରାଜିଥିବା କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ।

ସମ୍ବନ୍ଧିତ ଖବର