ଆଉ ପାଞ୍ଚ ପିଜି ବିଷୟକୁ ଅନୁମତି, ପୁଣି ଝୁଲାଇ ରଖିଲେ ଇଂରାଜୀ ଓ ହିନ୍ଦୀ

କେନ୍ଦ୍ରାପଡା କଲେଜ, ପିଲାଙ୍କ ପାଇଁ ୧୦ଟି ବିଷୟରେ ପିଜି ସୁଯୋଗ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆଉ ପାଞ୍ଚଟି ବିଷୟରେ ପିଜି ପାଠ୍ୟକ୍ରମ ଖୋଲିବ । ଆଜି ଏ ସଂକ୍ରାନ୍ତରେ ଉଚ୍ଚ ଶିକ୍ଷା ବିଭାଗ ଚିଠି ଜାରି କରିଛି। ଏହା ପୂର୍ବରୁ ଗତ ୭ତାରିଖରେ ୪ଟି ବିଷୟକୁ ଅନୁମତି ମିଳିଥିଲା। ଏହାକୁ ମିଶାଇଲେ କେନ୍ଦ୍ରାପଡା କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ମୋଟ ୧୦ଟି ବିଷୟରେ ପିଜି କରିବାର ସୁଯୋଗ ରହିଛି। ୨୦୧୮, ନଭେମ୍ବର ୨୯ତାରିଖରେ କେନ୍ଦ୍ରାପଡ଼ା କଲେଜ କର୍ତୃପକ୍ଷ ଇ˚ରାଜୀ, ଓଡ଼ିଆ, ଅର୍ଥନୀତି, ରାଜନୀତି ବିଜ୍ଞାନ, ହିନ୍ଦୀ, ଏମ୍‌.କମ୍‌(ଇନକମ୍‌ ଟ୍ୟାକ୍ସ୍‌) ଏବ˚ ପଦାର୍ଥ ବିଜ୍ଞାନ ପ୍ରମୁଖ ସାତଟି ବିଷୟରେ ପିଜି ପାଠ୍ୟକ୍ରମ ଖୋଲିବା ପାଇଁ ଆବେଦନ କରିଥିଲେ। ପ୍ରତି ବିଷୟରେ ୩୨ଟି ଲେଖାଏ ସିଟ୍‌ ଖୋଲିବାକୁ ପ୍ରସ୍ତାବ ଦିଆଯାଇଥିଲା। କଲେଜର ଏହି ପ୍ରସ୍ତାବକୁ ୨୦୧୯, ଡିସେମ୍ବର ୧୧ତାରିଖରେ ଅନୁଷ୍ଠିତ ବିଭାଗର ଉଚ୍ଚକ୍ଷମତା ସ˚ପନ୍ନ କମିଟି ବୈଠକରେ ବିଚାରକୁ ନିଆଯିବା ପରେ ଏକ ଯୁଗ୍ମ କମିଟି କଲେଜର ଭିତ୍ତିଭୂମି ଅନୁଧୢାନ କରିବାକୁ ଆସିଥିଲା। ଉତ୍କଳ ବିଶ୍ବବିଦ୍ୟାଳୟ ଓ ଆଞ୍ଚଳିକ ଶିକ୍ଷା ନିର୍ଦେଶକଙ୍କ ଅଫିସ୍‌ରୁ ଏକ ଯୁଗ୍ମ ଟିମ୍‌ ୨୦୨୦, ଜାନୁଆରୀ ୨୨ତାରିଖରେ କଲେଜ ଆସି ବୁଲି ଦେଖିବା ପରେ ରିପୋର୍ଟ ଦେଇଥିଲା।

କିନ୍ତୁ ଏହି ରିପୋର୍ଟକୁ ଦୁଇ ବର୍ଷ ବିତି ଯାଇଥିଲେ ବି ପିଜି ପାଠ୍ୟକ୍ରମ ଖୋଲାଯିବା ପ୍ରସ୍ତାବ କାଗଜକଲମରେ ସୀମିତ ରହିଯାଇଥିଲା। ବିଭାଗର କେନ୍ଦ୍ରାପଡା କଲେଜ ପ୍ରତି ଏପରି ଉଦାସୀନତା ମନୋଭାବକୁ ନେଇ ସମ୍ବାଦରେ ଗତ ୫ତାରିଖରେ ଖବର ପ୍ରକାଶ ପାଇବା ପରେ ୭ ତାରିଖରେ ଅର୍ଥନୀତି, ରାଜନୀତି ବିଜ୍ଞାନ, (ଏମ.କମ.) ବାଣିଜ୍ୟ(ଇନକମ ଟ୍ୟାକ୍ସ) ଓ (ଏମ.ଏସ.ସି.) ପଦାର୍ଥ ବିଜ୍ଞାନ ଆଦି ୪ଟି ବିଷୟରେ ଅନୁମତି ମିଳିଥିଲା। ହେଲେ ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ବିଷୟକୁ ଝୁଲାଇ ରଖିଥିଲେ। ତେବେ ଆଜି ବିଚାରାଧୀନ ଥିବା ଓଡିଆ ସମେତ ମନସ୍ତତ୍ୱ, ଶିକ୍ଷା ଓ (ଏମ.ଏସ.ସି.) ରସାୟନ ବିଜ୍ଞାନ ଏବଂ ପ୍ରାଣୀ ବିଜ୍ଞାନ ଆଦି ୫ଟି ବିଷୟକୁ ଅନୁମତି ମିଳିଛି। କିନ୍ତୁ ଇଂରାଜୀ ଓ ହିନ୍ଦୀ ବିଷୟରେ କୌଣସି ନିଷ୍ପତ୍ତି ହୋଇନାହିଁ। ସେଲଫ ଫାଇନାନସିଂ ମୋଡରେ ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରେ ଆଡ଼ମିଶନ କରାଯିବାକୁ କୁହାଯାଇଛି l ପ୍ରତ୍ୟେକ ବିଭାଗରେ ୧୬ଟି ଲେଖାଏ ସିଟ ରହିବ ବୋଲି ଅନୁମତି ପତ୍ରରେ ଉଲ୍ଲେଖ ରହିଛି । ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ଶାସନ ସଚିବ ଏ ନେଇ ପତ୍ର ସଂଖ୍ୟା ୪୦୭୪୦ ତା୨୬.୦୯.୨୦୨୨ରିଖରେ ଆଞ୍ଚଳିକ ଶିକ୍ଷା ନିର୍ଦେଶକ, ଭୁବନେଶ୍ୱରଙ୍କୁ  ଏକ ପତ୍ର ଲେଖି ଅନୁମତି ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ ଗତ ୨୦୧୮-୧୯ରୁ ୧୬ସିଟ ବିଶିଷ୍ଟ ସୋସିଓଲୋଜି ପିଜି ପାଠ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର