ପେନସନ୍ ମିଳୁଛି ହଜାରେ ଟଙ୍କାରୁ କମ୍, ଚଳିବୁ କେମିତି?

ଆଳି: ଆଜିକାର ମହଙ୍ଗା ସମୟରେ ବିଭିନ୍ନ କ୍ଷେତ୍ରରେ କାମକରି ଅବସର ନେଇଥିବା ଇପିଏଫ ପେନସନ ଭୋଗୀମାନେ ପେନସନ ପାଉଛନ୍ତି ୧ ହଜାର ଟଙ୍କାରୁ କମ୍ ଏକଥା ବିଶ୍ବାସ ନହେଲେ ବି ସତ। ଗତ ୧୯୯୫ ମସିହାରୁ କାର୍ଯ୍ୟକାରୀ ହୋଇଥିବା ଏହି ନିର୍ଦ୍ଧାରିତ ପେନସନ ରାଶିର ପରିମାଣ ବୃଦ୍ଧି ନ ହେବା ଫଳରେ ପରିଣତ ବୟସରେ ସଂପୃକ୍ତ ପେନସନ ଭୋଗୀମାନେ ଅକଥ୍ୟନୀୟ ଦୁର୍ଦଶା ଭୋଗୁଛନ୍ତି। ୨୭ ବର୍ଷ ମଧ୍ୟରେ ୧ ହଜାର ଟଙ୍କାରୁ କମ୍ ପେନସନ ରାଶିରୁ ଟଙ୍କାଟିଏ ବୃଦ୍ଧି ନହେବା କାରଣରୁ ହଜାର, ହଜାର ପେନସନ ଭୋଗୀ ବାର୍ଦ୍ଧକ୍ୟ ସହିତ ବିଭିନ୍ନ ରୋଗବ୍ୟାଧିରେ ଅଭାବ, ଅନଟନ ଭିତରେ କାଳ କାଟୁଛନ୍ତି। ବାରମ୍ବାର ଧାରଣା, ଧର୍ମଘଟ ଦାବି ସହିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ପେନସନ ବୃଦ୍ଧି ହେଉନାହିଁ ବୋଲି ଏହି ଅବହେଳିତ ଅବସରପ୍ରାପ୍ତ କର୍ମଚାରୀମାନେ କ୍ଷୋଭର ସହ କହିଛନ୍ତି। ଏ ନେଇ ଆଜି ଅଲ୍ ଓଡ଼ିଶା ପେନସନର୍ସ ଆସୋସିଏସନ ଜିଲ୍ଲା ଶାଖାର ଏକ ସମାବେଶ ଆଳି ଉଠାଜଳସେଚନ ବିଭାଗ କାର୍ଯ୍ୟାଳୟ ପରିସରସ୍ଥିତ ମନ୍ଦିର ବେଢାରେ ଅନୁଷ୍ଠିତ ହୋଇଯାଇଛି। ଆସୋସିଏସନର ଜିଲ୍ଲା ସଭାପତି ବସନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ପଟ୍ଟାମୁଣ୍ଡାଇ, ଆଳି ଓ ରାଜକନିକା ବ୍ଲକର ଶତାଧିକ ପେନସନ୍ ଭୋଗୀ ଯୋଗ ଦେଇଥିଲେ।

ମାସିକ ପେନସନ୍ ରାଶି ସର୍ବନିମ୍ନ ୯ ହଜାର ଟଙ୍କା ପ୍ରଦାନ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ଦ୍ଧିତ ପେନସନ୍ ଲାଗୁ, ସମସ୍ତ ଇପିଏଫ ପେନସନ୍ ଭୋଗୀ ମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଭୁକ୍ତ ଆଦି ଦାବି ସଂପର୍କରେ ସମାବେଶରେ ବିସ୍ତୃତ ଆଲୋଚନା ହୋଇଥିଲା। ପୋଷ୍ଟକାର୍ଡ ଅଭିଯାନ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଏହି ଦାବି ସଂପର୍କରେ ଅବଗତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ରାଜ୍ୟ ଯୁଗ୍ମ ସମ୍ପାଦକ ଶରତ ଚନ୍ଦ୍ର ପାଢୀ, ଧନେଶ୍ୱର ରାଉତ, ପୁରୁଷୋତ୍ତମ ରାଉତ, ସହଦେବ ସିଂହ, ମାୟାଧର ରାଉତ, ପ୍ରଫୁଲ୍ଲ କୁମାର ମହାନ୍ତି, କିଶୋର ପରିଡା, କାଳନ୍ଦୀ ଚରଣ ମିଶ୍ର, ରମାକାନ୍ତ ଜେନା, ରବୀନ୍ଦ୍ର ସେଠୀ, ଅମୂଲ୍ୟ ବେହେରା, ଚର୍ତୁଭୁଜ ବେହେରା,ବାବାଜୀ ପଣ୍ଡା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ନାମକୁ ମାତ୍ର ପେନସନ ପାଉଥିବା ଏହି କର୍ମଚାରୀମାନେ ପୋଷ୍ଟକାର୍ଡ ଅଭିଯାନ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଗୁହାରି କରିବା  ନିମନ୍ତେ ସ୍ଥିର କରିଛନ୍ତି।

 

ଏବେକାର ମହଙ୍ଗା ଯୁଗରେ ଇପିଏଫ ପେନସନଭୋଗୀମାନେ ମାତ୍ର ୭୦୦/୮୦୦ ଟଙ୍କା ପାଉଛନ୍ତି। ପରିଣତ ବୟସରେ ସାଧାରଣ ଔଷଧ ଖର୍ଚ୍ଚକୁ ବି ଏ ପଇସା ନିଅଣ୍ଟ। ବାରମ୍ବାର ଧାରଣା, ଧର୍ମଘଟ ପରେ ବି ସରକାର ଶୁଣୁ ନାହାନ୍ତି। ଦୀର୍ଘ ୨୭ ବର୍ଷ ତଳେ ଧାର୍ଯ୍ୟ ହୋଇଥିବା ଏହି ଅର୍ଥରାଶି ବୃଦ୍ଧି ପାଇଁ ଆମେ ଦାବି କରୁଛୁ।
-ବସନ୍ତ ଦାସ, ଜିଲ୍ଲା ସଭାପତି

ପେନସନ୍ ନାଁରେ ଆମ ସହିତ ଖେଳ ଖେଳାଯାଉଛି। ଆମ ମଧ୍ୟରୁ ଅନେକ ଏକ ହଜାର ଟଙ୍କାରୁ କମ୍ ଅର୍ଥାତ ୭୦୦/୮୦୦ ଟଙ୍କା ମାସିକ ପେନସନ ପାଉଛନ୍ତି। ବର୍ଷବର୍ଷ ଧରି ଆମ ଦାବି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଆମର ସମସ୍ୟା ସମାଧାନ ହେଉନାହିଁ।ସରକାର ତୁରନ୍ତ ଆମ ଗୁହାରି ଶୁଣିବାକୁ ନିବେଦନ କରୁଛୁ।
-ପ୍ରଫୁଲ୍ଲ ମହାନ୍ତି, ଅବସରପ୍ରାପ୍ତ କର୍ମଚାରୀ

ଅବସର ପରେ ଆମେ ଏକ ପ୍ରକାର ନିଃସହାୟ ଜୀବନ ବିତାଉଛୁ। ଏଭଳି ସମୟରେ ପେନସନ ହିଁ ଆମର ସାହା ଭରସା, ମାତ୍ର ପେନସନ ଯାହା ମିଳୁଛି ତାହା ସମୁଦ୍ରକୁ ଶଂଖେ। ସରକାର ଆମ  ସମସ୍ୟା ତୁରନ୍ତ ସମାଧାନ କରନ୍ତୁ।
-ବାବାଜୀ ପଣ୍ଡା, ପେନସନଭୋଗୀ

ସମ୍ବନ୍ଧିତ ଖବର