ଅଢେଇ ବର୍ଷ ହେଲା ଦରମା ନପାଇ ହନ୍ତସନ୍ତ ହେଉଛନ୍ତି ପିଇଓ, ଦେଲେ ଧାରଣା

ମାଲକାନଗିରି: କାଲିମେଳା ବ୍ଲକରେ କାର୍ଯ୍ୟରତ ପିଇଓ ମଧୁ କିରସାନି ଗତ ଅଢେଇ ବର୍ଷ ତଳେ ମାଲକାନଗିରି ବ୍ଲକରୁ ବଦଳି ହୋଇଯାଇଥିଲେ। ସେ ଯିବାରେ ଏତେଦିନ ବିତିଯାଇଥିଲେ ମଧ୍ୟ ମାଲକାନଗିରି ବ୍ଲକ ତରଫରୁ ତାଂକର ଏଲପିସି ପଠାଯାଇ ନାହିଁ। ଯାହାଫଳରେ ସେ ଗତ ଅଢେଇ ବର୍ଷ ହେଲା ଦରମା ନପାଇ ହନ୍ତସନ୍ତ ହେଉଛନ୍ତି।

ତେବେ ମଧୁ ମାଲାକନଗିରି ବିଡିଓଙ୍କ ଠାରୁ ଆରମ୍ଭ କରିର ସମସ୍ତ ଅଧିକାରୀଙ୍କୁ ଏନେଇ ଗୁହାରି କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲେ। ମଧୁ ବହୁ କଷ୍ଟରେ ପରିବାର ଚଳାଉଥିବା ବେଳେ ଏଲପିସି ପଠାଇବା ପାଇଁ ବହୁଥର ନେହାରୁ ହୋଇଥିଲେ। କିନ୍ତୁ ତାଂକୁ ବ୍ଲକ କର୍ତ୍ତୃପକ୍ଷ ଅଣଦେଖା କରିବା ସହ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ମଧୁ ଅଭିଯୋଗ କରିଛନ୍ତି। ବାରମ୍ବାର ଗୁହାରି କରିବା ପରେ କୌଣସି ଫଳପ୍ରଦ ନହେବାରୁ ବାଧ୍ୟ ହୋଇ ଆଜି ମାଲକାନଗିରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସେ ଧାରଣା ଦେଇଥିଲେ। ମଧୁ ନିଜର ପରିବାରକୁ ମଧ୍ୟ ଏଥିରେ ସାମିଲ କରିଥିଲେ। ନିଜର ଏଲପିସି ନମିଳିବା ପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ ବୋଲି ସଫା ସଫା ମନା କରିଦେଇଥିଲେ। ସ୍ଥାନୀୟ ତହସିଲଦାର ଗୁଣନିଧି ନାୟକ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ମଧୁଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେ ନିଜ ଯିଦରେ ଅଟଳ ରହିଥିଲେ। ତେବେ ମଧୁଙ୍କ ଏଭଳି ଯିଦରେ ବ୍ଲକ ପ୍ରଶାସନ ତୁରନ୍ତ ଏଲପିସି ତିଆର କରି ତାଂକୁ ଦେବା ପାଇଁ ସମସ୍ତ ବ୍ୟବସ୍ଥା ଆରମ୍ଭ କରିଥିଲେ।

ପ୍ରକାଶ ଥାଉକି ମଧୁଙ୍କ ବାପାଙ୍କୁ ଗତ ୨୦୧୩ ମସିହାରେ ନକ୍ସଲ ହତ୍ୟା କରିଥିଲେ। ତେଣୁ ତତ୍କାଳୀନ ଜିଲ୍ଲାପାଳ ମଧୁଙ୍କ ପରିବାରକୁ ବିପଦ ରହିଥିବାରୁ ତାଂକୁ ମାଲକାନଗିରିରେ ରହିବା ପାଇଁ କ୍ବାଟର ପ୍ରଦାନ କରିଥିଲେ। ଏବେ ବ୍ଲକ ପ୍ରଶାସନ ତାଂକୁ ସେହି କ୍ବାଟରରୁ ହଟାଇବାକୁ ଷଡଯନ୍ତ୍ର କରୁଥିବା ମଧୁ ଅଭିଯୋଗ କରିଛନ୍ତି। ବ୍ଲକ କର୍ତ୍ତୃପକ୍ଷଙ୍କ ମନମୁଖୀ ଯୋଗୁଁ ବହୁ କର୍ମଚାରୀ ହଇରାଣ ହେଉଥିବା ଅଭିଯୋଗ ପୂର୍ବରୁ ମଧ୍ୟ ବହୁଥର ହୋଇଛି। ବ୍ଲକ କାର୍ଯ୍ୟାଳୟରେ ଚାଲିଥିବା ଦାଦାଗିରି ଏବଂ ମନମୁଖୀ ଶାସନ ଯୋଗୁଁ ସାଧାରଣ ହିତାଧିକାରୀମାନେ ମଧ୍ୟ ନାହିଁ ନଥିବା ହଇରାଣ ହେଉଛନ୍ତି। ଏନେଇ ପିଡି, ଡିଆରଡିଏ ବାଳମୁକୁନ୍ଦ ଭୂୟାଁଙ୍କୁ ପଚରାଯିବାରୁ ସେ ଏନେଇ ତଦନ୍ତ କରିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର