ଲକ୍ଷଣ ଲୁଚାଇ ବିପଦରେ ଗଞ୍ଜାମବାସୀ : ଅକାଳରେ ଯାଉଛି ଜୀବନ, ଜ୍ୱର, ଥଣ୍ଡା ଓ କାଶ ମୃତ୍ୟୁର ହିସାବ ନାହିଁ

ବ୍ରହ୍ମପୁର :  ଜ୍ୱର, ଥଣ୍ଡା, କାଶ ହେଲେ ଲୁଚାନ୍ତୁ ନାହିଁ । ଡାକ୍ତରୀ ପରାମର୍ଶ ଓ ଉପଯୁକ୍ତ ଚିକିତ୍ସା କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମର ଜନସାଧାରଣଙ୍କୁ ବାରମ୍ବାର ସଚେତନ ଓ ଅନୁରୋଧ କରାଯାଉଛି ।  ୪ ମାସ ହେଲା କଟକଣା ଭିତରେ ଜୀବନ କାଟୁଥିବା ଗଞ୍ଜାମ ଲୋକେ କରୋନାକୁ ନେଇ ଏତେ ମାତ୍ରାରେ ଭୟଭୀତରେ ଜ୍ୱର, ଥଣ୍ଡା ହେଲେ କାହାକୁ ନ ଜଣାଇ ଲୁକ୍କାୟିତ ରଖୁଛନ୍ତି । ଔଷଧ ଦୋକାନ, କ୍ୱାକ୍ ଓ ବୈଦ୍ୟଠାରୁ ଔଷଧ ଖାଇ ସୁସ୍ଥ ହେବାକୁ ଚିନ୍ତା କରୁଛନ୍ତି । କିଛି ଦିନ ବିତିଯିବା ପରେ ଜ୍ୱର ଭୀଷଣ ରୂପ ନେଇ ଜୀବନ ନେଇଯାଉଛି । ଆକଳରେ ଗୋଟିଏ ପରେ ଗୋଟିଏ ଜୀବନ ଝଡ଼ିପଡ଼ୁଛି । ଜୁନ୍ ଏବଂ ଜୁଲାଇରେ ଜ୍ୱର, ଥଣ୍ଡା ଓ କାଶରେ ଜିଲ୍ଲାର କେତେ ଯେ ଜୀବନ ଗଲାଣି ଏହାର ହିସାବ କାହା ପାଖରେ ନାହିଁ । ଜିଲ୍ଲାର ପ୍ରତି ଗାଁରେ ଜ୍ୱର, ଥଣ୍ଡାରେ ଜଣେ ଦୁଇ ଜଣ ମୃତ୍ୟୁବରଣ କରିଥିବା କୁହାଯାଉଛି । ତେଣୁ ଜ୍ୱର, ଥଣ୍ଡା ଆଦି ହେବାକ୍ଷଣି ଡାକ୍ତରଙ୍କ ପରାମର୍ଶ  ନେଇ ଉପଯୁକ୍ତ ଚିକିତ୍ସା କରିବା ଜରୁରୀ ହୋଇପଡ଼ିଛି ।

ଋତୁର ପରିବର୍ତନ ଏବଂ ମୌସୁମୀର ଆଗମନ ଯୋଗୁଁ ଜିଲ୍ଲାରେ ଜ୍ୱର, ଥଣ୍ଡା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । କରୋନା ମହାମାରୀ ବ୍ୟାପିଥିବା ବେଳେ ଜ୍ୱର, ଥଣ୍ଡା ଓ କାଶ ହେବା କ୍ଷଣି ଲୋକେ ଭୟରେ ଥରୁଛନ୍ତି । ସହରାଂଚଳ ଓ ଗ୍ରାମାଚଂଳରେ ଥିବା ଔଷଧ ଦୋକାନ ଓ କ୍ୱାକ୍ ଠାରୁ ଔଷଧ ଖାଇ ଜ୍ୱର ଓ ଥଣ୍ଡା ଉପଶମ କରିବା ଲାଗି ଚେଷ୍ଟା କରୁଛନ୍ତି । ଯାହାର ପରିଣାମ ପରବର୍ତୀ ସମୟରେ ଉଗ୍ରରୂପ ନେଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଳାରେ ୩ ଥର ସ୍ୱାସ୍ଥ୍ୟ ଯାଂଚ କାର୍ଯ୍ୟକ୍ରମ କରିଛି । ଅଶା, ଅଙ୍ଗନୱାଡ଼ି କର୍ମୀ ଓ ସ୍ୱାସ୍ଥ୍ୟଟିମ୍ ଘର ଘର ବୁଲି ସହରାଂଚଳ ଓ ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ଯାଂଚ କରିଛନ୍ତି । ଏହି ଯାଂଚ ବେଳେ କିଛି ଅଂଚଳରେ ଲୋକେ ଯାଂଚକୁ ସାମ୍ନା ନ କରିବା ଓ ଲକ୍ଷଣକୁ ଲୁଚାଇବା ଯୋଗୁ ବହୁତ ମାମଲା ପଦାକୁ ଆସିପାରିନାହିଁ । ଜିଲ୍ଲା ପ୍ରଶାସନ ତିନିତିନ ଥର ସ୍ୱାସ୍ଥ୍ୟଯାଂଚ ବିଶେଷ ଫଳପ୍ରଦ ହୋଇପାରିନାହିଁ । ଲୋକମାନେ ଲକ୍ଷଣ ଲୁଚାଇବା ପଛରେ କୋଭିଡ଼୍ ପରୀକ୍ଷାର ଭୟ ରହୁଛି । ଯଦି ପଜିଟିଭ ବାହାରିବ କୋଭିଡ଼୍ ହସ୍ପିଟାଲ ଯିବାକୁ ପଡ଼ିବ ଏହି ଭୟ ଲୋକଙ୍କୁ ଘାରୁଛି ।  ଲକ୍ଷଣ ଲୁଚାଇ ଜ୍ୱରରେ ପ୍ରତିଦିନ ଜିଲ୍ଲାର ବିଭିନ୍ନ ଅଂଚଳରେ କିଛି ନା କିଛି ଲୋକ ମୃତ୍ୟୁ ବରଣ କରୁଛନ୍ତି । ଯଦି ଏକ ନମୁନା ଭାବେ ଜିଲ୍ଲାର ବେଲଗୁଣ୍ଠା  ବ୍ଲକ ଓ ଏନ୍ଏସିକୁ ନେବା ତେବେ  ଏହି ଇଲାକାରେ ଚଳିତ ମାସରେ ୫୦ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି । ଏଥିମଧ୍ୟରୁ ୯୦ ପ୍ରତିଶତ ଜ୍ୱର, ଥଣ୍ଡା ଓ କାଶରେ ମରିଛନ୍ତି । କାହାର ବି କୋଭିଡ଼୍ ଟେଷ୍ଟ ହୋଇନାହିଁ । ଡାକ୍ତରଖାନା ଯାଇ ଉପଯୁକ୍ତ ଚିକିତ୍ସା ବି ହୋଇନାହାନ୍ତି । ଜିଲ୍ଲାର ଗୋଟିଏ ବ୍ଲକର ସ୍ଥିତି ଏଭଳି ହୋଇଥିବା ବାକି ୨୧ଟି ବ୍ଲକର ସ୍ଥିତି କିଭିଳି ହୋଇଥିବ ଏଥିରୁ ଜଳଜଳ ଜଣାପଡୁଛି । ଚଳିତମାସରେ ଶେରଗଡ଼ ବ୍ଲକ ବ୍ରହ୍ମାଣ ଛାଇ ଗାଁର ୫ଜଣ,  କବିସୂର୍ଯ୍ୟନଗର ଏନ୍ଏସିର ୬ଜଣଙ୍କ ମୃତୁ୍ୟ ଓ ବ୍ରହ୍ମପୁର ସହରର ଶ୍ରୀରାମ ନଗର ସାହିରେ ଦିନକରେ ୪ଜଣଙ୍କର ମୃତ୍ୟୁ ଘଟିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ମୃତ୍ୟୁର ହିସାବ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପାଖରେ ବି ନ ଥିବା କୁହାଯାଉଛି । ଏହି ମୃତକଙ୍କ ତାଲିକା କୌଣସି ହସ୍ପିଟାଲରେ ନାହିଁ ସନ୍ଦିଗ୍ଧ କୋଭିଡ଼୍ ରୋଗୀ ତାଲିକାରେ ନାହିଁ । ତେଣୁ ଜିଲ୍ଲାରେ ଜ୍ୱର, ଥଣ୍ଡା ଓ କାଶରେ ଏ ପର୍ଯ୍ୟନ୍ତ କେତେ ଜଣଙ୍କ ମୃତ୍ୟୁ  ଘଟିଲାଣି ତାହାର ହିସାବ ନାହିଁ ବୋଲି କୁହାଯାଉଛି । ଏହି ମୃତ୍ୟୁ  ଯେହେତୁ ହିସାବ ନାହିଁ ଏହି ମୃତ୍ୟୁ  ପ୍ରତି ସମସ୍ତେ ଏକରକମ ଆଖି ବୁଜି ଦେଇଛନ୍ତି । ତେଣୁ ଏ ସ୍ଥିତି ସୁଧାର ଆଣିବା ଲାଗି ଜିଲ୍ଲା ପ୍ରଶାସନରେ ଯେତିକି ଦାୟିତ୍ୱ ରହିଛି ତା’ଠାରୁ  ଲୋକମାନେ ଅଧିକ ଗୁରୁ ଦାୟିତ୍ୱ ରହିଛି । ଘରେ ପାଣି ପଶି ଆଣ୍ଠୁଏ ହେଲାଣି, ଏଭଳି ସ୍ଥିତିରେ ଲକ୍ଷଣକୁ ନ ଲୁଚାଇ ନିଜେ ବଂଚିବା ସହ ସମସ୍ତଙ୍କ ବଂଚାଇବାର ସମସ୍ତେ ସଙ୍କଳ୍ପ ନେବାର ସମୟ ଆସିଛି ।

କରୋନା ପ୍ରକୋପ ଯୋଗୁଁ ବ୍ରହ୍ମପୁର ବଡଡାକ୍ତରଖାନା ଓପିଡ଼ି ବନ୍ଦ ରହିଛି । କେବଳ ଜରୁରୀକାଳନୀ ସେବା ଉପଲବ୍ଧ ଅଛି । ଗ୍ରାମାଂଚଳରେ ଥିବା ସ୍ୱାସ୍ଥ୍ରକେନ୍ଦ୍ର ଗୁଡ଼ିକରେ ଜ୍ୱର, ଥଣ୍ଡା, କାଶ ରୋଗୀ ଆସିବା କ୍ଷଣି ଡାକ୍ତର ଚିକିତ୍ସା କରିବାକୁ ଡରୁଛନ୍ତି । କେତେକ କ୍ଷେତ୍ରରେ ସ୍ୱାସ୍ଥ୍ରକେନ୍ଦ୍ର ଗୁଡ଼ିକରେ ଉପଯୁକ୍ତ ଚିକିତ୍ସା ସୁବିଧା ମିଳିପାରୁନି । ଜ୍ୱର, ଥଣ୍ଡା ଓ କାଶରେ ପୀଡ଼ିତ ବ୍ୟକ୍ତି ଉପଯୁକ୍ତ ଚିକିତ୍ସା କରିବା ଲାଗି ଚାହିଁଲେ ବି କରିବା କାଠିକର ପାଠ ହୋଇପଡ଼ୁଛି । ଅନ୍ୟପକ୍ଷରେ ଶ୍ୱାସ,ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡ଼ିତ ବ୍ୟକ୍ତି ବି ଉପଯୁକ୍ତ ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ କରୁଛନ୍ତି । ଏଦିଗରେ ଜିଲ୍ଲା ପ୍ରଶାସନ ବି ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ବ୍ରହ୍ମପୁର ସହରରେ ଯେଭଳି ୮ଟି ଫିଭର କ୍ଲିନିକ ଖୋଲାଯାଇଛି ସେହିପରି ପ୍ରତି ପଂଚାୟତ ସ୍ତରରେ ସପ୍ତାହ ଅନ୍ୟୁନ ଦୁଇରୁ ତିନି ଫିଭର କ୍ଲନିକ ଖୋଲାଯିବାର ଆବଶ୍ୟକତା ରହିଛି । ଆୟୁଷ ଓ ହୋମିଓପାଥି ଡାକ୍ତରଙ୍କୁ ଉପଯୁକ୍ତ ଦରମା ଦେଇ ଗାଁ ଗାଁରେ ନିୟୋଜିତ କରିବା ଆବଶ୍ୟକ ରହିଛି । ଗର୍ଭବତୀ ମହିଳା ଓ ଛୋଟ ଶିଶୁଙ୍କ ସଂପର୍କରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ଯେଭଳି ଯୁଦ୍ଧକାଳନୀ ଭିତ୍ତିରେ ତଥ୍ୟ ସଂଗ୍ରହ କରୁଛନ୍ତି ସେଭଳି ଲକ୍ଷଣଯୁକ୍ତ ଲୋକଙ୍କ ସମ୍ପର୍କରେ ମଧ୍ୟରେ ତଥ୍ୟ ସଂଗ୍ରହ କରିବା ଜରୁରୀ ହୋଇପଡ଼ିଛି । କୋଭିଡ଼୍ ମନିଟରମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେଇ ସେମାନଙ୍କ କାର୍ଯ୍ୟାଧାରା ବି ଅଧିକ କ୍ରିୟାଶୀଳ କରିବାର ଆବଶ୍ୟକତା ରହିଛି ।

ସମ୍ବନ୍ଧିତ ଖବର