ସିମେଣ୍ଟ କାରଖାନାକୁ ବିରୋଧ କରି ଗର୍ଜିଲେ ୫୦୦୦ ଆଦିବାସୀ

ମାଲକାନଗିରି: ଆଗକୁ ପଞ୍ଚାୟତ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲା ମାଟାପାକା ପଞ୍ଚାୟତର କତାମାଟେରୁ ଗ୍ରାମରେ ଏକତ୍ରିତ ହୋଇଛନ୍ତି ୫ ଖଣ୍ଡ ପଞ୍ଚାୟତର ହଜାର ହଜାର ଆଦିବାସୀ। ତେବେ ଏହା କୌଣସି ନିର୍ବାଚନୀ ସଭା ନଥିଲା। ଏହା ଥିଲା ଏହି ଅଞ୍ଚଳରେ ଆରମ୍ଭ ହେବାକୁ ଯାଉଥିବା ସିମେଣ୍ଟ ଫ୍ୟାକ୍ଟ୍ରିକୁ ବିରୋଧ କରିବା। ଗତ କିଛିବର୍ଷ ହେଲା ମାଲକାନଗିରି ଜିଲ୍ଲାର ମାଟାପାକା ଅଞ୍ଚଳରେ ସିମେଣ୍ଟ ଫ୍ୟାକ୍ଟ୍ରି କରାଯିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ମାଟାପାକା ପଞ୍ଚାୟତର କତାମାଟେରୁ ପଞ୍ଚାୟତରେ ପଡିଆ ବ୍ଲକର ଏବଂ ମାଲକାନଗିରି ବ୍ଲକର ୫ଟି ପଞ୍ଚାୟତର ମହିଳା ପୁରୁଷ ଏକତ୍ରିତ ହୋଇ ଏହି ସିମେଣ୍ଟ ଫ୍ୟାକ୍ଟ୍ରିକୁ ବିରୋଧ କରିଛନ୍ତି। ବର୍ଷବର୍ଷ ଧରି ଏହି ଅଞ୍ଚଳର ଆଦିବାସୀ ଏହି ଜଙ୍ଗଲ ଉପରେ ନିର୍ଭର କରି ଚଳି ଆସୁଛନ୍ତି।

ଏହି ଜଙ୍ଗଲ ସେମାନଙ୍କର ମାଆ ସଦୃଶ୍ୟ। କେଉଁ କାଳରୁ ଏହି ଜଙ୍ଗଲ ସେମାନଙ୍କୁ ବଞ୍ଚାଇ ରଖିଥିବା ଏମାନେ କହନ୍ତି। ଏହି ଜଙ୍ଗଲକୁ ନଷ୍ଟ କରାଗଲେ ସେମାନେ ଆଉ ବଞ୍ଚିପାରିବେ ନାହିଁ ବୋଲି ଆଶଙ୍କା କରି ସମସ୍ତେ ଏକତ୍ରୀତ ହୋଇ ସିମେଣ୍ଟ ଫ୍ୟାକ୍ଟ୍ରିକୁ ବିରୋଧ କରିଛନ୍ତି। ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୨୫ କିଲୋମିଟର ଦୁରରେ ରହିଛି ଏହି ସ୍ଥାନଟି। ଏହି ସ୍ଥାନର ଜଳ, ଜଙ୍ଗଲ ଓ ଜମି ଉପରେ ଏମାନଙ୍କର ହକ୍ ରହିଛି। ଏମାନେ କାହିଁ କେଉଁ କାଳରୁ ଏହି ଜଙ୍ଗଲ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଛନ୍ତି। ତେବେ ଏହି ଜଙ୍ଗଲ ଉପରେ ବିଶେଷକରି ପଡିଆ ବ୍ଲକର ମାଟେରୁ, ନିଲିଗୁଡା ଏବଂ ମାଲକାନଗିରି ବ୍ଲକର ଶିଖପାଲୀ, ମାଟାପାକା ଓ ତଣ୍ଡାପାଲୀ ପଞ୍ଚାୟତର ହଜାର ହଜାର ଲୋକ ନିର୍ଭର କରୁଛନ୍ତି।

Sambad

ତେବେ ଡାଲମିଆଁ ନାମକ ଏକ ସଂସ୍ଥା ଏଠାରେ ସିମେଣ୍ଟ ଫ୍ୟାକ୍ଟ୍ରି କରିବା ନେଇ ଜୋରଦାର ଉଦ୍ୟମ କରୁଥିବା ବେଳେ ଏହାକୁ ଏବେ ସ୍ଥାନୀୟ ଲୋକେ ବିରୋଧ କରିବା ସହ ଜୀବନ ଥିବା ପର୍ଯ୍ୟନ୍ତ ଏଠାରେ କୌଣସି ଫ୍ୟାକ୍ଟ୍ରି ନିର୍ମାଣ କରାଇ ଦେବୁ ନାହିଁ ବୋଲି ଧମକ ଦେଇଛନ୍ତି। ସରକାରଙ୍କର ଏଭଳି ନୀତିକୁ ବିରୋଧ କରିବା ସହ ଆଗାମୀ ଦିନରେ ଏହି ପଞ୍ଚୋଟି ପଞ୍ଚାୟତର ସମସ୍ତ ଭୋଟର ଭୋଟ ବର୍ଜନ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି। ଲୋକେ ନିଜର ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଏହି ପ୍ରଜାମେଳୀରେ ଗର୍ଜିଥିଲେ। ସେମାନେ ନା ସରକାରଙ୍କର କଥା ଶୁଣିବେ ନା କମ୍ପାନିର ଲୋଭକୁ ଆଦରିବେ ବୋଲି ସଫା ସଫା କହିଛନ୍ତି। କୌଣସି ପ୍ରଲୋଭନରେ ସେମାନେ ପଡିବେ ନାହିଁ ବୋଲି କହିଛନ୍ତି। ଆମକୁ ଆମର ଜଙ୍ଗଲ ବଡ, ଟଙ୍କା ନୁହେଁ ବୋଲି କହିଛନ୍ତି। ଏହା ପୂର୍ବରୁ ମଧ୍ୟ ବହୁ ଥର ଲୋକେ ଏକତ୍ରୀତ ହୋଇ ଏହି ଫ୍ୟାକ୍ଟ୍ରି ବିରୋଧରେ ସ୍ବରତ୍ତୋଳନ କରିସାରିଛନ୍ତି।

ଅନ୍ୟ ଦିଗରେ ଫ୍ୟକ୍ଟ୍ରି ନିର୍ମାଣ ନେଇ କମ୍ପାନି ଏଠାରେ ଗ୍ରାମ ସଭା କରିବା ନେଇ ଯୋଜନା କରୁଥିବା ଜଣାପଡିଛି। ଲୋକଙ୍କୁ ବୁଝାସୁଝା କରିବା ପାଇଁ ମଧ୍ୟ ପ୍ରୟାସ ଜାରି ରଖିଥିବା ଜଣାପଡିଛି। ତେବେ ଏନେଇ ସରକାର କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା। ଆଗକୁ ନିର୍ବାଚନ ଥିବାରୁ ହୁଏତ ସରକାର ଏବେ କୌଣସି ଏଭଳି ପଦକ୍ଷେପ ନେବେ ନାହିଁ ଯାହା ନିର୍ବାଚନରେ ପ୍ରଭାବ ପକାଇବ। କିନ୍ତୁ ଲୋକେ ନିର୍ବାଚନ ପରେ ମଧ୍ୟ ନିଜ ଜିଦରୁ ଟଳିବେ ନାହିଁ ବୋଲି କହିଛନ୍ତି। ତେବେ ଆଗକୁ ଏହା କେଉଁ ଦିଗକୁ ଯାଉଛି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର