ବିଧାୟକ ପାଣ୍ଠିରେ ସରକାରୀ ଜାଗାରେ କ୍ଲବ ଘର ନିର୍ମାଣକୁ ବିରୋଧ

ଖୋର୍ଦ୍ଧା: ଖୋର୍ଦ୍ଧାର ସମସ୍ତ ସରକାରୀ ଜମି ଏବେ ଜବରଦଖଲରେ। ପରିସ୍ଥିତି ଏଭଳି ଯେ ନୂତନ ପ୍ରାଶାସନିକ କାର୍ଯ୍ୟାଳୟ କିମ୍ବା କାର୍ଯ୍ୟାଳୟର ସମ୍ପ୍ରସାରଣ କରିବାକୁ ଜମି ମିଳୁନାହିଁ। ଏପରିସ୍ଥଳେ ସହରର ଅନ୍ୟତମ ପ୍ରମୁଖ ବିଜେବି ଉଚ୍ଚବିଦ୍ୟାଳୟ ଓ ରାଜସ୍ୱ ବଙ୍ଗଳା ନିକଟ ସରକାରୀ ଜାଗାରେ ବିଧାୟକଙ୍କ ହାତପାଣ୍ଠୀରେ କ୍ଲବଘର ନିର୍ମାଣକୁ ନେଇ ସହରର ବରିଷ୍ଠ ନାଗରିକ ବିରୋଧ କରି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ସୂଚନାନୁସାରେ, ଜଜାରସିଂହ ମୌଜାର ପ୍ଲଟ ନଂ ୨୪୩୫, ଖାତା ନଂ ୧୧୦୭ରେ ୨୦୨୨ରେ କ୍ଲବ ଘର ନିର୍ମାଣ ଆରମ୍ଭ ହୋଇଥିଲା। ଆଖପାଖର ଲୋକ ଏହାକୁ ବିରୋଧ କରି ୨୦୨୨ ମଇ ମାସରେ ତତ୍କାଳୀନ ଜିଲ୍ଳାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ।

ଏହାଦ୍ୱାରା ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ବୋଲି ଏହାକୁ ତୁରନ୍ତ ବନ୍ଦ କରିବାକୁ ଅନୁରୋଧ କରିଥିଲେ। ଅଭିଯୋଗ ଭିତ୍ତିରେ ଜିଲ୍ଲାପାଳ ତଦନ୍ତ କରିବା ପରେ ଆବଶ୍ୟକ ପ୍ରାଶାସନିକ ଅନୁମତି ନଥାଇ ନିର୍ମାଣ ହେଉଥିବା ଜାଣି କାର୍ଯ୍ୟକୁ ବନ୍ଦ କରିଥିଲେ। ଏହାର ୪ ମାସ ପରେ ପୁଣିଥରେ ନିର୍ମାଣ ଆରମ୍ଭ ହୋଇଥିଲା। ଏନେଇ ପୁଣି ସ୍ଥାନୀୟ ବାସିନ୍ଦା ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ ନିର୍ମାଣକୁ ପ୍ରଶାସନ ପକ୍ଷରୁ ପୁଣିଥରେ ବନ୍ଦ କରାଯାଇଥିଲା। ବର୍ତ୍ତମାନ ଖୋର୍ଦ୍ଧା ବିଧାୟକଙ୍କ ହାତପାଣ୍ଠୀ ଅନୁଦାନରେ ପୁଣିଥରେ ସେଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହା ବିରୋଧରେ ଦୃଢ଼ ପଦକ୍ଷେପ ନେଇ ତୁରନ୍ତ କାର୍ଯ୍ୟବନ୍ଦ କରିବା ସହ ଅର୍ଦ୍ଧନିର୍ମିତ ଗୃହକୁ ଭାଙ୍ଗିବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର