ସରପଞ୍ଚ ପ୍ରାର୍ଥୀଙ୍କ ଘରେ ପିଡିଏସ୍‌ ଚାଉଳ ଟ୍ରକ, ଗାଁରେ ଉତ୍ତେଜନା, ଅଡ଼ୁଆରେ ଯୋଗାଣ ବିଭାଗ

ବାଲେଶ୍ବର: ପଞ୍ଚାୟତ ନିର୍ବାଚନ ସମୟରେ ୨୦୦ ବସ୍ତା ପିଡିଏସ୍‌ ଚାଉଳ ପହଞ୍ଚିଛି ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ଘରେ। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ସରପଞ୍ଚ ପ୍ରାର୍ଥୀଙ୍କ ଘରେ ଚାଉଳ ଟ୍ରକ୍‌କୁ ଦେଖି ଲୋକେ ଖାଲି ପ୍ରତିକ୍ରିୟାଶୀଳ ହୋଇନାହାଁନ୍ତି, ଚାଉଳ ବୋଝେଇ ଟ୍ରକ୍‌କୁ ଅଟକ ରଖିଛନ୍ତି। ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ଚଷାଖଣ୍ଡ ପଞ୍ଚାୟତ ଅନ୍ତର୍ଗତ ମଧୁପୁରା‌ ଗାଁର ଏହି ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ମଧ୍ୟ ଅଡ଼ୁଆରେ ପଡ଼ିଛି। ପିଡିଏସ୍‌ ସାମଗ୍ରୀ ପହଞ୍ଚିଥିବା ଉକ୍ତ ସରପଞ୍ଚ ପ୍ରାର୍ଥୀ ଜଣକ ହେଉଛନ୍ତି ମଧୁପୁରା ଗ୍ରାମର ସୁବାସ ଲେଙ୍କା। ପୂର୍ବରୁ ସେ ସେହି ଅଞ୍ଚଳରେ ପିଡିଏସ୍‌ ସାମଗ୍ରୀ ଡିଲର୍‌ ଦାୟିତ୍ବରେ ଥିଲେ।

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶ୍ରୀ ଲେଙ୍କା ଚଷାଖଣ୍ଡ ପଞ୍ଚାୟତରୁ ପ୍ରାର୍ଥୀ ହୋଇଥିବା ବେଳେ ଡିଲର୍‌ ଦାୟିତ୍ବରୁ ଇସ୍ତଫା ଦେଇଛନ୍ତି। ହେଲେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ଏବଂ ସେଠାରେ ଆଉ ଜଣେ ଡିଲରଙ୍କୁ ନିଯୁକ୍ତ କରାଯାଇଥିବା ସତ୍ତ୍ବେ ଗତକାଲି ରାତିରେ ୨୦୦ ବସ୍ତା ରାସନ୍‌ ଚାଉଳ ଯୋଗାଣ ବିଭାଗ ଟ୍ରକ୍‌ରେ ଯାଇ ସୁବାସଙ୍କ ଘରେ ପହଞ୍ଚିଥିଲା। ନିର୍ବାଚନ ସମୟରେ ଏତେ ପରିମାଣରେ ସରକାରୀ ଚାଉଳ ପ୍ରାର୍ଥୀଙ୍କ ଘରକୁ କାହିଁକି ଅଣାଯାଇଥିଲା, ଏଥିପାଇଁ କିଏ ଅନୁମତି ଦେଇଥିଲା, ସେ ସଂପର୍କରେ ଗ୍ରାମବାସୀ ପ୍ରଶ୍ନ କରିବା ସହ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।

ସେପଟେ ଘଟଣା ସମ୍ପର୍କରେ ଖବର ପାଇବା ପରେ ବ୍ଲକ ଯୋଗାଣ ନିରୀକ୍ଷକ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଭୁଲରେ ଚାଉଳ ଟ୍ରକ୍‌ ଏଠାକୁ ପଳାଇ ଆସିଥିବା କହିଥିଲେ। ଗାଡ଼ିକୁ ଫେରାଇ ଆଣିବାକୁ ଚେଷ୍ଟା କରିବା ସମୟରେ ଗାଁ ଲୋକେ ଆଉ ଗାଡ଼ିକୁ ଛାଡ଼ିନଥିଲେ। ଆଜି ସକାଳେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ ରାଉତରାୟ ଦୁଇଜଣ ଅଧିକାରୀଙ୍କୁ ସେଠାକୁ ତଦନ୍ତ ପାଇଁ ପଠାଇଥିଲେ। ଏ ନେଇ ସରପଞ୍ଚ ପ୍ରାର୍ଥୀ ଶ୍ରୀ ଲେଙ୍କା କିଛି ପ୍ରତିକ୍ରିୟା ରଖିନଥିବା ବେଳେ ଡିଲର୍‌ ଦାୟିତ୍ବରୁ ଇସ୍ତଫା ଦେଇଥିବା କହିଛନ୍ତି। ଜିଲ୍ଲା ଯୋଗାଣ ଅଧିକାରୀଙ୍କ କହିବା ଅନୁସାରେ, ସମ୍ପୃକ୍ତ ପ୍ରାର୍ଥୀ ପୂର୍ବରୁ ଡିଲର୍‌ ଥିଲେ। ତାଙ୍କ ଇସ୍ତଫା ପରେ ପାଖ ଅଞ୍ଚଳରେ ଥିବା ଡିଲରଙ୍କୁ ପିଡିଏସ୍‌ ‌ଯୋଗାଣ ଦାୟିତ୍ବ ଦିଆଯାଇଛି। ଏ‌ହା ସତ୍ତ୍ବେ ଏମିତି ଭୁଲ କାହିଁକି ହେଲା, ସେ ବାବଦରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଗ୍ରାମବାସୀ ଚାଉଳ ଟ୍ରକ୍‌କୁ ଛାଡ଼ିନଥିଲେ।

ସମ୍ବନ୍ଧିତ ଖବର