ହେଟା ଆତଙ୍କ; ସନ୍ଧ୍ୟାରେ ପଡ଼ି ଯାଉଛି ତାଟିକବାଟ, ସ୍ଥାନ ଚିହ୍ନଟ ନେଇ ଦୁଇ ବନାଞ୍ଚଳ ଅଧିକାରୀ ଦୋଷ ଲଦାଲଦି

ମାହାଙ୍ଗା: ବୈରୀ ବନାଞ୍ଚଳର ସଫା ସେକ୍ସନ୍‌ ତଥା କୁଆଁପାଳ ବିଟ୍‌ ଅଧୀନ ମାହାଙ୍ଗା ବ୍ଲକ୍‌ର ଦ୍ବୀପାଞ୍ଚଳ କୁହୁଣ୍ଡା ଓ ମୂଳବସନ୍ତ ଅଞ୍ଚଳରେ ହେଟାବାଘ ପଲ ଆତଙ୍କ ଖେଳାଇ ଆସୁଛନ୍ତି। ବାଛୁରୀ, ଛେଳି, ମେଣ୍ଡା, କୁକୁର, କୁକୁଡ଼ା ଆଦି ପଶୁପକ୍ଷୀଙ୍କୁ ହେଟାବାଘ ଆକ୍ରମଣ କରୁଛନ୍ତି। ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହେଟା ବୁଲୁଥିବା ଦେଖିବାକୁ ମିଳୁଛି। ଏ ନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏବେ ହେଟା ବାଘ ଜନବସତି ଭିତରକୁ ପଶି ଆସି ଲୋକଙ୍କୁ ଆକ୍ରମଣ କରିବା ପରେ କୋକୁଆ ଭୟ ଖେଳି ଯାଇଛି। ସନ୍ଧ୍ୟା ହେଲେ ଉକ୍ତ ଅଞ୍ଚଳରେ ତାଟିକବାଟ ପଡ଼ି ଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି। ଅପରପକ୍ଷରେ ବନ ବିଭାଗକୁ ବାରମ୍ବାର ଏ ନେଇ ଅବଗତ କରାଯାଇଥିଲେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଥାଶୀଘ୍ର ହେଟାବାଘ ପଲକୁ ଧରା ନ ଗଲେ ଆଗାମୀ ଦିନରେ ଅନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସ୍ଥାନୀୟ ଲୋକମାନେ ଚେତାନୀ ଦେଇଛନ୍ତି। ପ୍ରକାଶଥାଉ କି, ଗତକାଲି କୃଷ୍ଣଦାସପୁର-ସିପୁରା ପୂର୍ତ୍ତ ରାସ୍ତାର ସିପୁରା ନିକଟରେ ବଡ଼ଚଣା ବ୍ଲକ୍‌ ମାଣ୍ଡୁକା ପଦ୍ମନାଭପୁର ଗ୍ରାମର ଅଶୋକ ସେନାପତିଙ୍କୁ ହେଟାବାଘ ଆକ୍ରମଣ କରିଥିଲା। ତାଙ୍କ ବେକକୁ କାମୁଡ଼ି ଧରିଥିବା ହେଟାବାଘକୁ ଉପସ୍ଥିତ ଗ୍ରାମବାସୀ ସାହସର ସହ ବାଡ଼ିରେ ବାଡ଼େଇବାରୁ ଅଶୋକଙ୍କ ଜୀବନ ବଞ୍ଚିଥିଲା। ତାଙ୍କୁ ପ୍ରଥମେ ନଡ଼ିଆସାହସପୁର ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାର କିଛି ସମୟ ପରେ ସିପୁରା ଗ୍ରାମର ସୁରେଶ ରାଉତରାୟଙ୍କ କଖାରୁ କ୍ଷେତରେ କାମ କରୁଥିବା ପଶ୍ଚିମବଙ୍ଗ ଅଞ୍ଚଳର ଶ୍ରମିକ ଅଚିନ୍ତ ନାୟକ ଓ ବାଲେଶ୍ବର ଅଞ୍ଚଳର ବାପୁନୀ ପାଲିଙ୍କୁ ହେଟାବାଘ ଆକ୍ରମଣ କରିଥିଲା। ସେମାନେ ମଧ୍ୟ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଗତକାଲି ଆତଙ୍କ ଖେଳାଇ ଥିବା ହେଟାବାଘ ପଲକୁ ଆଜି ସନ୍ଧ୍ୟାରେ ପୁନର୍ବାର ଉକ୍ତ ସ୍ଥାନରେ ଦେଖିବାକୁ ମିଳିଥିଲା। ସିପୁରାସ୍ଥିତ ଉକ୍ତ ବିଲରେ ଟ୍ରାକ୍ଟର ଯୋଗେ ଚାଷ କରାଯାଉଥିଲା ବେଳେ ୩ଟି ହେଟାବାଘ ମାଡ଼ି ଆସିଥିଲେ। ହେଟା ପଲ ଟ୍ରାକ୍ଟର୍‌ ଚାରିପଟେ ଘୂରି ବୁଲିବାରୁ ଚାଳକ ଭୟଭୀତ ହୋଇ ସେଠାରୁ ପଳାଇ ଯାଇଥିଲେ। ଫଳରେ ଉକ୍ତ ଅଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ସନ୍ଧ୍ୟା‌ ହେଲେ ତାଟିକବାଟ ପଡ଼ି ଯାଉଥିବା ଦେଖାଯାଇଛି। ଏ ସଂପର୍କରେ ଗ୍ରାମବାସୀ ବାରମ୍ବାର ସଫା ବନ ବିଭାଗ ଫରେଷ୍ଟର କୃଷ୍ଣଚନ୍ଦ୍ର ଟୁଡ଼ୁଙ୍କୁ ଜଣାଇଥିଲେ ମଧ୍ୟ ହେଟାବାଘ ପଲ ମଣିଷଙ୍କର କିଛି କ୍ଷତି କରିବେ ନାହିଁ ବୋଲି କହି ଘଟଣାକୁ ହାଲ୍‌କା ଭାବେ ନେବା ସହ ନାମକୁ ମାତ୍ର କିଛି କର୍ମଚାରୀଙ୍କୁ ପଠାଉଥିବା ଅଭିଯୋଗ ହୋଇଛି।

Sambad

ପୂର୍ବରୁ ହେଟାପଲକୁ ଧରିବା ପାଇଁ ପଦକ୍ଷେପ ନିଆଯାଇଥିଲେ ଗତକାଲି ଏଭଳି ପରିସ୍ଥିତି ସୃଷ୍ଟି ହୋଇ ନ ଥା’ନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି। ଅପରପକ୍ଷରେ ଗତାକାଲିର ହେଟା ଆକ୍ରମଣ ସମ୍ପର୍କରେ ସ୍ଥାନୀୟ ଲୋକେ ଫରେଷ୍ଟର ଶ୍ରୀ ଟୁଡ଼ୁଙ୍କୁ ଜଣାଇଥିଲେ। ଏହାପରେ କେତେକ କର୍ମଚାରୀ ରାତିରେ ଆସି କିଛି ସମୟ ରହିବା ପରେ ଫେରି ଯାଇଥିବା ଜଣାଯାଇଛି। ଏ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ହେଟାବାଘ ପଲକୁ ଧରା ନ ଗଲେ ଅଞ୍ଚଳବାସୀ ଆନ୍ଦୋଳନ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏ ସଂପର୍କରେ ସଫା ବନାଞ୍ଚଳ ଉପଖଣ୍ଡ ଅଧିକାରୀ ଶ୍ରୀ ଟୁଡ଼ୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ମୂଳବସନ୍ତ ଓ କୁହୁଣ୍ଡା ଅଞ୍ଚଳ ତାଙ୍କ ଅଧୀନରେ ଯାଉନାହିଁ। ଏହା ଚଣ୍ଡିଖୋଲ ବନାଞ୍ଚଳ ଉପଖଣ୍ଡ ଅଧୀନରେ ଯାଉଛି ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ଚଣ୍ଡିଖୋଲ ବନାଞ୍ଚଳ ଉପଖଣ୍ଡ ଅଧିକାରୀ ଶଶୀକାନ୍ତ ବେହେରାଙ୍କୁ ପଚାରିବାରୁ ମାହାଙ୍ଗାର ଲଳିତଗିରି ପଞ୍ଚାୟତ ତାଙ୍କ ଅଧୀନରେ ଯାଉଛି ବୋଲି ସେ କହିଛନ୍ତି। ଗୋଟିଏ ପଟେ, ହେଟାବାଘ ପଲ ବାହାରୁଥିବା ଅଞ୍ଚଳକୁ ନେଇ ଦୁଇ ଅଧିକାରୀ ଦୋଷ ଛଡ଼ାଉଥିଲା ବ‌େଳେ ଅଞ୍ଚଳରେ ଆତଙ୍କ ବଢ଼ିବାରେ ଲାଗିଛି। ଅନ୍ୟପଟେ, ହେଟାବାଘ ପାଲ ଯୋଗୁଁ ବଡ଼ଧରଣର ଅଘଟଣ ଘଟିଲେ କିଏ ଦାୟୀ ହେବ ବୋଲି ସ୍ଥାନୀୟ ଲୋକମାନେ ପ୍ରଶ୍ନ କରିଛନ୍ତି। ତୁରନ୍ତ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଏହାର ସମାଧାନ କରିବା ସହ ହେଟାବାଘଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର