ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗ୍ରୀଷ୍ଣର ପ୍ରକୋପ ବଢିବାରେ ଲାଗିଛି। ରବିବାର ମାଲକାନଗିରିରେ ପାରଦ ୪୩ ଡିଗ୍ରୀ ଟପିଛି। ଗରମ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ପ୍ରତବର୍ଷ ମେ’ ମାସରେ ଜିଲ୍ଲାରେ ପ୍ରବଳ ଗରମ ଅନୁଭୂତ ହୁଏ। ପାରଦ ୪୦ ଡିଗ୍ରୀରୁ କମି ନଥାଏ। ଗରମ ଯୋଗୁଁ ଦିନ ଦଶଟା ବେଳେ ବଜାର ଖାଁଖାଁ ହୋଇଯାଉଛି। ଲୋକେ ଆଉ ପଦାକୁ ବାହାରିବା ମୁସକିଲ ହୋଇପଡୁଛି। ଯଦି ପଦାକୁ ବାହାରୁଛନ୍ତି ତେବେ ହାତରେ ଛତା ଏବଂ ପାଣି ବୋତଲ ଧରି ବାହାରୁଥିବା ଦେଖିବାକୁ ମିଳିଛି। ଏଥିଯୋଗୁ ପୌର ପରିଷଦ ତରଫରୁ ଏବଂ ବିଭିନ୍ନ ପଞ୍ଚାୟତ ତରଫରୁ ଜଳଛତ୍ରମାନ ଖୋଲାଯାଇଛି।
ସେହିପରି ଅଂଶୁଘାତକୁ ଏଡାଇବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଲୋକଙ୍କୁ ସଚେତନ କରାଇବା ସହ ଏକ ଅଂଶୁଘାତ କଠୋରୀ ମଧ୍ୟ ସ୍ବତନ୍ତ୍ର ରୂପେ ଖୋଲାଯାଇଛି। ଗରମ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରହୁଥିବାବେଳେ ଗୁଳୁଗୁଳି ଅନୁଭୁତି ହେଉଥିବାରୁ ରାତିରେ ମଧ୍ୟ ନିସ୍ତାର ନାହିଁ। ଗୋଟିଏ ପଟେ ପ୍ରବଳ ଗରମ ସାଙ୍ଗକୁ ଅନ୍ୟପଟେ ବିଦ୍ୟୁତ ବିଭାଗର ଘନ ଘନ ବିଦ୍ୟୁତ କାଟ ଲୋକଙ୍କୁ ଦାଉ ସାଧୁଛି। ଲୋକେ ଘରେ ଏସି କିମ୍ବା ଫ୍ୟାନରେ ବସିବାକୁ ପସନ୍ଦ କରୁଥିବା ଲକ୍ଷ୍ୟ କରାଯାଇଛି। ତେବେ ଗ୍ରାମାଞ୍ଚଳର ଅବସ୍ଥା ଆହୁରି ସଙ୍ଗୀନ। ଏଭଳି ସ୍ଥଳେ ଲୋକେ ଗଛ ମୂଳରେ ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି। ପ୍ରବଳ ଗରମରୁ ରକ୍ଷା ପାଇବା ପାଇଁ ଗାଁଗୁଡିକରେ ପୋଖରୀଗୁଡିକ ଶୁଖି ଆସୁଥିବାବେଳେ ପିଲାମାନେ ସେଠାରେ ମଉଜ କରୁଛନ୍ତି। ପୋଖରୀରେ ବିପଦ ନଥିବାରୁ ଡେଇଁ କୁଦି ପାଣିରେ ବୁଡି ରହୁଥିବା ଦେଖାଯାଉଛି।
ଗରମ ଯୋଗୁଁ ନଦୀ ନାଳ ଶୁଖିଯାଉଥିବାରୁ ଲୋକେ ଚୁଆ ପାଣି ଉପରେ ହିଁ ଭରସା କରୁଛନ୍ତି। ଦୁର୍ଗମ ଅଞ୍ଚଳରେ ବିଦ୍ୟୁତ ନଥିବାରୁ ଲୋକେ ରାତିରେ ଶୋଇବା ବଦଳରେ ଚେଇଁବାକୁ ଭଲ ପାଉଛନ୍ତି। ଗୋଟିଏ ପଟେ ଗରମ ଅନ୍ୟପଟେ ମଶାର ପ୍ରାଦୁର୍ଭାବ ଯୋଗୁଁ ଲୋକେ ରାତିରେ ଶୋଇବା ଏକ ପ୍ରକାର କଷ୍ଟ ହୋଇପଡୁଥିବା କହନ୍ତି। ଲୋକଙ୍କୁ ମଶାରି ଟାଙ୍ଗି ଶୋଇବାକୁ ପ୍ରଶାସନ ତରଫରୁ ସଚେତନ କରାଯିବା ସହ ମଶାରୀ ମଧ୍ୟ ବଣ୍ଟନ କରାଯାଇଛି। କିନ୍ତୁ ମଶାରିକୁ ମାଛ ଧରିବାରେ ବ୍ୟବହାର କରି ଖୋଲାମେଲାରେ ଶୋଉଥିବା ଦେଖିବାକୁ ମିଳିଛି। ତେବେ ଜିଲ୍ଲା ସଦର ମହକୁମାରେ ଗରମରୁ ରକ୍ଷା ପାଇବା ପାଇଁ ଲୋକେ ପଇଡ, ଥଣ୍ଡାପାନୀୟ, ମିଶ୍ରିପାଣି ସହ କାକୁଡି ଏବଂ ତରଭୁଜ ଖାଉଥିବା ଲକ୍ଷ୍ୟ କରାଯାଉଛି।ତେବେ ଆହୁରି ଏକ ମାସ ଏହି ଗରମ ଅନୁଭୂତ ହେବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Mkg-bath-in-village-pond-1.jpg)