ପର୍ଯ୍ୟଟକଙ୍କ ମନ କିଣୁଛି ଇକୋ ରିଟ୍ରିଟ, ଦୁଇିଦନ ହେଲା ହାଉସ୍‌ଫୁଲ

ଦୁଃସାହାସିକ କ୍ରୀଡା, ଭାସମାନ ରେସ୍ତୋରାଁ

ରାଜନଗର: ଭିତରକନିକାର ନଳିତାପାଟିଆଠାରେ ଗତ ୯ ତାରିଖରୁ ଆରମ୍ଭ ହୋଇଥିବା ଇକୋ ରିଟ୍ରିଟ ପର୍ଯ୍ୟଟକଙ୍କ ମନ କିଣୁଛି। ଭିତରକନିକାର ପ୍ରାକୃତିକ ଶୋଭା ଉପଭୋଗ କରିବା ସହ ବିଳାସପୂର୍ଣ୍ଣ କଟେଜରେ ତମ୍ବୁ ତଳେ ରାତି ବିତାଇବାକୁ ସେମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳୁଛି। ପ୍ରଥମ ୩ଦିନ ପର୍ଯ୍ୟଟକଙ୍କ ଭିଡ ନ ଥିବା ବେଳେ ଗଲା ଦୁଇ ଦିନ ହେଲା ହାଉସ୍‌ଫୁଲ ରହିଛି। ତମ୍ବୁ ତଳେ ରାତି ବିତାଇବା ସହ ଦୁଃସାହାସିକ କ୍ରୀଡା ଓ ଭାସମାନ ରେସ୍ତୋରାଁର ମଜା ନେବା ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଛି। ନଳିତାପାଟିଆରେ ୨୧ଟି ବିଳାସପୂର୍ଣ୍ଣ କଟେଜ ନିର୍ମାଣ ହୋଇଛି। ଇକୋ ରିଟ୍ରିଟକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ୩ ପ୍ରକାରର କଟେଜ ଉପଲବ୍ଧ ହେଉଛି। ୨ଜଣ ପର୍ଯ୍ୟଟକ ଇକୋ ରିଟ୍ରିଟର ମଜା ସହିତ ଖାଦ୍ୟ, ପାନୀୟ ଓ ଭିତରକନିକା ବୁଲିବା ପାଇଁ ସର୍ବନିମ୍ନ ୯ହଜାର ଟଙ୍କା ଦେବାକୁ ପଡୁଛି। ଇକୋ ରିଟ୍ରିଟରେ ପ୍ରିମିୟମ ସୁଇସ କଟେଜ, ରୟାଲ କଟେଜ ଓ ରୟାଲ ଫ୍ୟାମିଲି କଟେଜ ରହିଛି।

Sambad

ଖାଦ୍ୟ, ପାନୀୟ ଓ ପରିଭ୍ରମଣ ସମାନ ରହିଥିବା ବେଳେ ପ୍ରିମିୟମ ସୁଇସ କଟେଜରେ ୨ଟି ବେଡ ପଡିଛି ଓ ଏହା ୪୮୦ ସ୍କୋୟାରଫୁଟର କଟେଜ। ରୟାଲ କଟେଜର ଦାମ ୧୨ ହଜାର ରହିଛି। ଏହି କଟେଜ ପ୍ରିମିୟମ ସୁଇସ କଟେଜ ଠାରୁ ଅଧିକ ଉଚ୍ଚତା ବିଶିଷ୍ଟ। ୬୭୬ ସ୍କୋୟାର ଫୁଟ ଅଂଚଳରେ ଏହା ନିର୍ମାଣ କରାଯାଇଛି। ବସିବା, ବୁଲିବା ପାଇଁ ପ୍ରଶସ୍ତ ଜାଗା ରହିଛି। ଏହି କଟେଜରେ ଦୁଇଟି ବେଡ ରହିଛି। ରୟାଲ ଫ୍ୟାମିଲି କଟେଜ ୬୭୬ ସ୍କୋୟାରଫୁଟ ଅଂଚଳରେ ନିର୍ମାଣ କରାଯାଇଛି। ଫ୍ୟାମିଲି କଟେଜର ଦାମ ୧୬ହଜାର ଟଙ୍କା ରହିଛି । ଏହି କଟେଜରେ ୪ଟି ବେଡ ପଡିଛି। ସବୁ ଶ୍ରେଣୀର କଟେଜରେ ଏସି, ଗିଜର, ଟି ଆଣ୍ତ କଫି ମେକର ଓ ଆଟାଚ୍ ବାଥରୁମ ରହିଛି। ଇକୋ ରିଟ୍ରିଟ ପରିସରରେ ୧୫ଟି ପ୍ରିମିୟମ ସୁଇସ କଟେଜ, ୩ଟି ରୟାଲ କଟେଜ ଓ ୩ଟି ରୟାଲ ଫ୍ୟାମିଲି କଟେଜ ରହିଛି।

Sambad

୯ ତାରିଖ ରୁ ଆରମ୍ଭ ହୋଇଥିବା ଇକୋ ରିଟ୍ରିଟରେ ପ୍ରଥମ ଦିନ ଗୋଟିଏ କଟେଜ, ୧୦ ଓ ୧୧ ତାରିଖରେ ଦୁଇଟି ଲେଖାଏ କଟେଜ, ୧୨ ଓ ୧୩ ତାରିଖରେ ସମସ୍ତ ୨୧ ଲେଖାଏ କଟେଜ ବୁକିଂ କରାଯାଇଥିଲା। ଇକୋ ରିଟ୍ରିଟ ସ୍ଥଳରେ ଦିନ ୧୦ଟା ରୁ ପ୍ରବେଶ ଓ ତା’ ପରଦିନ ଚେକଆଉଟ ସମୟ ନିର୍ଦ୍ଧାରଣ ହୋଇଛି। ଗୋଟିଏ ଦିନ ବୁକିଂ କରିଥିବା ପର୍ଯ୍ୟଟକ ଦିନ ୧ ଟା ରୁ ୫ ଟା ଯାଏ ଖୋଳାରୁ ବୋଟ ଯୋଗେ ଭିତରକନିକା କ୍ରିକରେ ପରିଭ୍ରମଣ କରିବେ। ଖରା ପୋଉଁଥିବା କୁମ୍ଭୀର ଦେଖିବା ସହ ଦେଶୀ, ବିଦେଶୀ ପକ୍ଷୀ ଓ ହରିଣ, ବାର୍ହା ଦେଖିପାରିବେ। ଡାଙ୍ଗମାଳ ଠାରେ କୁମ୍ଭୀର ପ୍ରଜନନ କେନ୍ଦ୍ର ବୁଲିବେ। ଧଳା କୁମ୍ଭୀର ଗୋରୀ, ଶଙ୍ଖୁଆକୁ ଦେଖିବା ସହିତ ମ୍ୟୁଜିୟମର ମଜା ନେବେ।

ମଧ୍ୟାହ୍ନ ୧୧ ଟାରୁ ୧ଟା ଯାଏ ବଫେ ମାଧ୍ୟମରେ ମଧ୍ୟାହ୍ନଭୋଜନ, ସଂଖ୍ୟାରେ ଚା’, ସ୍ନାକ୍ସ, ରାତ୍ରୀଭୋଜନ। ରାତି ୯ ରୁ ୧୦ଟା ୩୦ ଯାଏ ଥିଏଟର ମାଧ୍ୟମରେ ଫିଲ୍ମ ପ୍ରଦର୍ଶନ। ସକାଳ ୬ ରୁ ୭ଟା ୩୦ ଯାଏ ଫ୍ଲୋଟିଂ ମାଧ୍ୟମରେ ଯୋଗ, ସକାଳ ଚା ଓ ବ୍ରେକ ଫାଷ୍ଟ ପରେ ଚେକ୍ ଆଉଟ। ଏହି ସମୟ ମଧ୍ୟରେ ଇକୋ ରିଟ୍ରିଟ ପରିସରରେ ବର୍ମା ବ୍ରିଜ କ୍ରସିଂ ସହିତ ବିଭିନ୍ନ ପ୍ରକାର ଖେଳର ମଜା ନେଉଛନ୍ତି ପର୍ଯ୍ୟଟକ। କେବଳ ପର୍ଯ୍ୟଟକ ନୁହଁନ୍ତି, ପ୍ରଥମ ଥର ପାଇଁ ଇକୋ ରିଟ୍ରିଟ ଅନୁଷ୍ଠିତ ହେଉଥିବାରୁ ରାଜନଗରବାସୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର