ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପଞ୍ଚାୟତ ଶେଷ ହୋଇଥିଲା ବେଳେ ପୌର ନିର୍ବାଚନ ପ୍ରକ୍ରିୟା ଜାର ରହିଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜିଲ୍ଲାର ୧୧୧ଟି ପଞ୍ଚାୟତର ହଜାର ହଜାର ଲୋକ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇଥିଲେ। ତେବେ ନିର୍ବାଚନ ପାଖେଇ ଆସିବା ବେଳକୁ ସମସ୍ତେ ପୁଣି ନିଜ ନିଜ ଗାଁକୁ ଫେରିଥିଲେ। ୫ ବର୍ଷ ପରେ ନିର୍ବାଚନ ଆସୁଥିବାରୁ ଲୋକେ ଭୋଟ ଦେବା ସହ ନିଜ ଅଂଚଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଯେତେ ଦୁରରେ ଥିଲେ ମଧ୍ୟ ନିର୍ବାଚନୀ ସମୟରେ ଆସିଯାନ୍ତି। ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ବ ସମୟ ଗାଁରେ ରହିବା ପରେ ଏବେ ପୁଣି କାମ କରିବାକୁ ବାହାର ରାଜ୍ୟକୁ ମୁହାଁ ହେଲେଣି। ଦୁର୍ଗମ ଗ୍ରାମର ଲୋକେ ନିଜ ପଞ୍ଚାୟତରେ କାମ ପାଇ ପାରୁନଥିବାରୁ ପରିବାରର ପ୍ରତିପୋଷଣ ପାଇଁ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି। ସ୍କୁଲ ଖୋଲିଯାଇଥିବାରୁ ବହୁ ନାବାଳକ ଏବଂ ନାବାଳିକାମାନେ ବାହାରେ କାମ କରିବାକୁ ଆଉ ଯାଇ ପାରୁନାହାନ୍ତି। ଦଲାଲ ମାନେ ଏମାନଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଏବେ ଗାଁ ଗାଁରେ ଦଲାଲଙ୍କ ଅଡ୍ଡା ଦେଖିବାକୁ ମିଳୁଛି। ଲୋକଙ୍କୁ ଅଧିକା ଟଙ୍କାର ଲୋଭ ଦେଖାଇ ବାହାର ରାଜ୍ୟରେ ସେମାନଙ୍କୁ ବିକ୍ରି କରି ନିଜେ ବେଶ ଦିପଇସା ରୋଜଗାର କରୁଛନ୍ତି। କିନ୍ତୁ ଦାଦନ ଖଟିବାକୁ ଯାଉଥିବା ଲୋକଙ୍କ କଥା ସେମାନେ ଆଉବୁଝନ୍ତି ନାହିଁ। ଯାହାଫଳରେ ଦାଦନ ଖଟିବାକୁ ଯାଇ ଶ୍ରମିକ ମାନେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲାକୁ ପଡୋଶୀ ଆନ୍ଧ୍ର, ତେଲେଙ୍ଗାନା ଏବଂ ଛତିଶଗଡ ଲାଗି ରହିଛି। ଜିଲ୍ଲାର ବହୁ ଲୋକ ଏହି ତିନି ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି। ତେବେ ଏନେଇ ଜିଲ୍ଲା ଶ୍ରମ ବିଭାଗ ପାଖେ କୌଣସି ଖବର ନାହିଁ।
ଦଲାଲ ମାନଙ୍କର କୌଣସି ଲାଇସେନସ ନଥାଇ ଲୋକଙ୍କୁ ପ୍ରଭାବିତ କରି ବାହାରକୁ ପଠାଇବାରେ ସଫଳ ହେଉଛନ୍ତି। ଏହି ରିପୋର୍ଟ ମଧ୍ୟ ଶ୍ରମ ବିଭାଗକୁ ଦିଆଯାଉ ନାହିଁ।ଗାଁରେ କିମ୍ବା ପଞ୍ଚାୟତ ତଥା ବ୍ଲକରେ କାମ ନଥିବାରୁ ଆମେ ବାହାରକୁ ଯିବାକୁ ବାଧ୍ୟ ହେଉଥିବା ଏମାନେ କହନ୍ତି।ଦଲାଲ ମାନେ ଶ୍ରମିକ ମାନଙ୍କ ଘରେ ଏକ ହଜାରରୁ ଦୁଇ ହଜାର ଟଙ୍କା ଦେଇ ସେମାନଙ୍କୁ ସାଥିରେ ନେଉଥିବା ଶ୍ରମିକମାନେ କହନ୍ତି। ଭଲ ଟଙ୍କା ମିଳିବ ଏବଂ ଖାଇବାକୁ, ରହିବାକୁ ମିଳିବ ବୋଲି ପ୍ରଲୋଭନ ଦେଖାଇ ଏମାନଙ୍କୁ ନିଆଯାଇଥାଏ। ପୁଣି ଚାଷ କାମ ଆରମ୍ଭ ହେଲେ ଶ୍ରମିକ ମାନେ ଗାଁକୁ ଫେରିଆସନ୍ତି। ଆଉ କିଛି ଫସି ରହି ବାହାରି ପାରନ୍ତି ନାହିଁ। ତେବେ ଶ୍ରମ ବିଭାଗ ପକ୍ଷରୁ ଚଢାଉ କରାଯାଇ ଦଲାଲ ମାନଙ୍କର ଏଭଳି କାମକୁ ରୋକିବା ପାଇଁ ଦାବି ହୋଇଛି। ବିଶେଷ କରି ଶିଶୁମାନଙ୍କୁ ଚାଲାଣ କରାଯାଉଥିବାରୁ ଏହାକୁ ରୋକ ଲଗାଇବା କାମ ଚାଇଲ୍ଡ ଲାଇନର ବୋଲି କୁହାଯାଇଛି। ତେଣୁ ଜିଲ୍ଲାରୁ ବାହାର ରାଜ୍ୟକୁ ଯାଉଥିବା ଶିଶୁ ଶ୍ରମିକ ମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ସ୍କୁଲ ମୁହାଁ କରାଇବାକୁ ଦାବି ହୋଇଛି। ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟ ଏ ଦିଗରେ ବିହିତ ପଦକ୍ଷେପ ନେଲେ ଆଗକୁ ଲୋକେ ଦାଦନ ଖଟିବାକୁ ଯିବେ ନାହିଁ ବୋଲି ମଧ୍ୟ କୁହାଯାଇଛି।