ଭିନ୍ନକ୍ଷମଙ୍କ ସମେତ ଶତାଧିକ ହିତାଧିକାରୀ ପାଇ ନାହାନ୍ତି ଭତ୍ତା, ବଢ଼ୁଛି ଅସନ୍ତୋଷ

ନିଆଳି: ନିଆଳି ବ୍ଲକ୍‌ ଅନ୍ତର୍ଗତ ପହଙ୍ଗା ସମେତ ଅନେକ ପଞ୍ଚାୟତରେ ଭିନ୍ନକ୍ଷମଙ୍କ ସମେତ ବହୁ ହିତାଧିକାରୀ ଭତ୍ତା ପାଇ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିଶେଷ କରି, ପହଙ୍ଗା ପଞ୍ଚାୟତର ୧୦ରୁ ଅଧିକ ଭିନ୍ନକ୍ଷମଙ୍କ ସହ ଶତାଧିକ ହିତାଧିକାରୀ କିଛିମାସ ହେଲା ଭତ୍ତା ଟଙ୍କା ପାଇ ନାହାନ୍ତି ବୋଲି ସ୍ଥାନୀୟ ସରପଞ୍ଚ ନମିତା ବାରିକ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ସମେତ ବ୍ଲକ୍ ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଥିଲେ ସୁଫଳ ମିଳି ନ ଥିବା ପ୍ରକାଶ କରିଛନ୍ତି।
ସୂଚନା ମୁତାବକ, ପହଙ୍ଗା ପଞ୍ଚାୟତ ମେଥିବୁଦାର ଭିନ୍ନକ୍ଷମ ହେମନ୍ତ କୁମାର ଓଝା ଗଲା ତିନିମାସ ହେଲା ଭତ୍ତା ପାଇ ନାହାନ୍ତି। ଏହି ପଞ୍ଚାୟତର ଗୋଟିଏ ପରିବାରର ଭିନ୍ନକ୍ଷମ ସତ୍ୟଭାମା ପରିଡ଼ା, ଲକ୍ଷ୍ମୀପ୍ରିୟା ପରିଡ଼ା, ରାଜକିଶୋର ପରିଡ଼ା, ଭିନ୍ନକ୍ଷମ ହାଡ଼ିବନ୍ଧୁ ପ୍ରଧାନ, ଲକ୍ଷ୍ମୀପ୍ରିୟା ଓଝା, ମିଲି ଦାଶ, କାନନପ୍ରସାଦ ବାରିକଙ୍କ ସମେତ ଶତାଧିକ ବୃଦ୍ଧ ଓ ବିଧବା ହିତାଧିକାରୀ କିଛିମାସ ହେଲା ଭତ୍ତାରୁ ବଞ୍ଚିତ ହୋଇଥିବା ଜଣାଯାଇଛି। ଏ ନେଇ ପଞ୍ଚାୟତରେ ଅସନ୍ତୋଷ ପ୍ରକାଶ ପାଇବାରୁ ନବନିର୍ବାଚିତ ସରପଞ୍ଚ ନମିତା ବାରିକ ଗତ ମେ’ ୨୭ ତାରିଖରେ ବ୍ଲକ୍‌ ପ୍ରଶାସନକୁ ଅବଗତ କରିଥିଲେ। ହିତାଧିକାରୀଙ୍କୁ ତୁରନ୍ତ ଭତ୍ତା ପ୍ରଦାନ ପାଇଁ ମଧ୍ୟ ସେ ଦାବି କରିଥିଲେ। ଏହାସତ୍ତ୍ବେ ଚଳିତ ମାସରେ ମଧ୍ୟ ଭିନ୍ନକ୍ଷମଙ୍କ ସମେତ ଶତାଧିକ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇ ନ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି।

ଅପରପକ୍ଷରେ ଗତ ୨୩ ତାରିଖରେ ହିତାଧିକାରୀଙ୍କ ନାମ ତାଲିକା ସହ ତୁରନ୍ତ ଭତ୍ତା ପ୍ରଦାନ ପାଇଁ ନିଆଳି ବିଡିଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଚିଠି (ନଂ-୨୧୦୭) ଲେଖିଥିଲେ। କିନ୍ତୁ, ଆଜି ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଭତ୍ତା ମିଳି ନ ଥିବା ଜଣାଯାଇଛି। ପୂର୍ବରୁ ହିତାଧିକାରୀମାନେ ଏହି ଅର୍ଥ ପଞ୍ଚାୟତ କାର୍ଯ୍ୟାଳୟରୁ ଆଣୁଥିଲେ। ସେହିପରି ଭିନ୍ନକ୍ଷମମାନଙ୍କୁ କର୍ମଚାରୀ ସେମାନଙ୍କ ଘରେ ଟଙ୍କା ଦେଉଥିଲେ। ହେଲେ, ବ୍ୟାଙ୍କ ଜମାଖାତାକୁ ଭତ୍ତା ଅର୍ଥ ଯିବ ବୋଲି ନିୟମ ହେବା ପରେ ହିତାଧିକାରୀ ଭତ୍ତା ପାଇବା ନେଇ ସନ୍ଦହରେ ପଡ଼ିଛନ୍ତି। କେଉଁ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯାଇଛି କି ନାହିଁ, ସେ ସମ୍ପର୍କରେ ଦାୟିତ୍ବରେ ଥିବା ଅଧିକାରୀ ଠିକ୍‌ ଭାବେ କହିପାରୁ ନାହାନ୍ତି। ବ୍ୟାଙ୍କ ସହ କାଗଜପତ୍ର ସଂଲଗ୍ନ ହୋଇ ନ ଥିବା ହିତାଧିକାରୀ ମଧ୍ୟ ଭତ୍ତା ପାଇବାରେ ସମସ୍ୟାରେ ପଡ଼ୁଥିବା ସୂଚନା ମିଳିଛି। ଏହି କାରଣରୁ ପହଙ୍ଗାସମେତ ତିହୁଡ଼ି, ଷଡାଂଶ ଆଦି ବହୁ ପଞ୍ଚାୟତର ହିତାଧିକାରୀ ଭତ୍ତା ପାଇପାରି ନାହାନ୍ତି। ଏଥିରେ ସରକାର ହସ୍ତକ୍ଷେପ କରି ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମମାନଙ୍କୁ ଭତ୍ତା ପ୍ରଦାନ କରିବାକୁ ସାଧାରଣରେ ଦାବି କରାଯାଇଛି।

ସମ୍ବନ୍ଧିତ ଖବର