ଏତେ ପରେ ବି ଦାଦନ ସୁଅ ବନ୍ଦ ହେଉନି

ଜୟପୁର: କରୋନା ପ୍ରଥମ ସଂକ୍ରମଣ ସମୟରେ ବିଭିନ୍ନ ରାଜ୍ୟରେ ହେଉଥିବା ସଂକ୍ରମଣ ଭୟରେ ହଜାର ହଜାର ଦାଦନ ଶ୍ରମିକ ନିଜ ନିଜ ଜିଲ୍ଲାକୁ ଫେରି ଆସିଥିଲେ। ଏଭଳି କୋରାପୁଟ ଜିଲ୍ଲାକୁ ବି ସରକାରୀ ଭାବେ ୪ ହଜାର ଫେରିଥିବା ବେଳେ ବେସରକାରୀ ଭାବେ ପ୍ରାୟ ୧୦ ହଜାର ଦାଦନ ଶ୍ରମିକ ଫେରିଥିଲେ। ସଂପ୍ରତି ୨ୟ ପର୍ଯ୍ୟାୟ କରୋନା ସଂକ୍ରମଣ ଜୋର ଲାଗିଛି। ତଥାଫି ଏବେ ବି ନିଜ ନିଜ ଅଂଚଳରେ କାମ ଧନ୍ଦା ମିଳୁ ନଥିବା କହି ବିଭିନ୍ନ ବୟସ ବର୍ଗର ପୁରୁଷ ଓ ମହିଳାମାନେ ଦାଦନ ଖଟିବାକୁ ବିନା ଭୟରେ ବାହାର ରାଜ୍ୟକୁ ଯାଉଥିବା ଦେଖିବାକୁ ମିଳିଛି। ତେବେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଅତ୍ୟନ୍ତ ଭୟଙ୍କର ଥିବା ବେଳେ ଖାସ୍ କରି ମହାରାଷ୍ଟ୍ର, ଆନ୍ଧ୍ର, କେରଳ, ତେଲଙ୍ଗାନା, କର୍ଣ୍ଣାଟକ, ଛତିଶଗଡ ଆଦି ଅଂଚଳରେ ବେଶି ସଂକ୍ରମିତ ରହିଛନ୍ତି। ଏହି ସମୟରେ ଜୟପୁର ଉପଖଣ୍ଡର ବୋରିଗୁମ୍ମା, କୋଟପାଡ, ବୈପାରୀଗୁଡା, କୁନ୍ଦ୍ରା, ଜୟପୁର ବ୍ଲକର ବିଭିନ୍ନ ଗାଁରୁ ଦାଦନ ଖଟିବାକୁ ଲୋକେ ଯିବା ଆରମ୍ଭ ହୋଇଛି।

ଗୋଟିଏ ବସରେ ଆସିବା ପରେ ଅନ୍ୟ ବସରେ ସେମାନଙ୍କୁ ରାଜ୍ୟ ସୀମାନ୍ତ ଅଂଚଳକୁ ନିଆଯାଉଛି। ଆଜି ଏଭଳି ଗୋଟିଏ ବସରେ ଦାଦନ ଶ୍ରମିକ ଆସିବା ପରେ ବୋରିଗୁମ୍ମା ନିକଟରେ ବସଟିର ଶ୍ରମିକଙ୍କୁ ଆନ୍ଧ୍ର ସୀମାନ୍ତ ମାଲାକାନଗିରୀ ଜିଲ୍ଲା ଯାଉଥିବା ବସରେ ପଠାଯାଇଥିବା ଦେଖିବାକୁ ମିଳିଥିଲା। ସେଭଳି ହାଇଦ୍ରାବାଦ ଯାଉଥିବା ବସରେ ବି ବହୁ ଦାଦନ ଶ୍ରମିକ ଯାଉଥିବା ଦେଖିବାକୁ ମିଳିଛି। ସଂପ୍ରତି ଅନଲାଇନରେ ଠିକାଦାର ମାନେ ଶ୍ରମିକ ଲାଇସେନ୍ସ କରି ପାରିବେ। ଏବେ କିଛି ଦାଦନ ଶ୍ରମିକ ସଂକ୍ରମଣ ଭୟରେ ଘରକୁ ଫେରୁଥିବା ବେଳେ ଆଉ କିଛି ଯାଉଛନ୍ତି ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପାଣିଗ୍ରାହୀ। ଗତ କିଛି ଦିନ ତଳେ ପାଡୁଆ ଓ ମାଛକୁଣ୍ଡ ଅଂଚଳରେ ଦାଦନ ଶ୍ରମିକ ଚାଳାଣ ବେଳେ ଧରାପଡ଼ିଥିଲେ ବୋଲି କହିଛନ୍ତି ଡିଏଲଓ।

ସମ୍ବନ୍ଧିତ ଖବର