୨୨ ବର୍ଷ ମଧ୍ୟରେ ବଦଳି ନାହିଁ ପଞ୍ଚାୟତର ଭାଗ୍ୟରେଖା, ରାସ୍ତାରେ ହାଣ୍ଡିମାଠିଆ ରଖି ମନ୍ତ୍ରୀଙ୍କୁ ବିରୋଧ କଲେ ମହିଳା

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ‘ନଗର’ରେ ବଢୁଛି ରାଜନୈତିକ ହିଂସା। ଦୀର୍ଘ ୨୨ ବର୍ଷ ମଧ୍ୟରେ ପଞ୍ଚାୟତର ଭାଗ୍ୟରେଖା ବଦଳି ନଥିଲା ବେଳେ ଲୋକେ ଏବେବି ଲୁଣି ପାଣି ପିଉଛନ୍ତି। ମୁଖ୍ୟତଃ ପିଇବା ପାଣିର ସମସ୍ୟାକୁ ସ୍ଥାନୀୟ ଲୋକେ ତାତିଛନ୍ତି। ସେହିପରି ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ଲୋକେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତୀ ବେହେରାଙ୍କୁ ନିଜ ପଞ୍ଚାୟତରେ ଘୋର ବିରୋଧ ଆରମ୍ଭ କରିଦେଇଛନ୍ତି। ଆଜି ଶାସକ ଦଳ ବିଜେଡି ପକ୍ଷରୁ ନେତା, ମନ୍ତ୍ରୀ ଓ କର୍ମୀଙ୍କୁ ନେଇ ନଗର ପଞ୍ଚାୟତରେ ନିର୍ବାଚନ ପ୍ରଚାର ଶୋଭାଯାତ୍ରା ଚାଲିଥିଲା ହଟହଟା ହେବାକୁ ପଡିଛି। ମନ୍ତ୍ରୀଙ୍କ ନିଜ ଗାଁ ବାଲିଡିଆରୁ ଶୋଭାଯାତ୍ରା ବାହାରି ରେଡକ୍ରସ୍ ଅଭିମୁଖେ ଯାଉଥିଲା ବେଳେ ଆଧାବାଟରେ ଅଟକି ହଟହଟା ହେବାକୁ ପଡିଛି।

ସ୍ଥାନୀୟ ମୌଳିକ ସମସ୍ୟାକୁ ନେଇ ପୂର୍ବରୁ କହୁଥିବା ନିଜ ମାଟିର ପୁଅ ତଥା କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଘେରିବା ଆରମ୍ଭ କରିଦେଇଛନ୍ତି। ଗତ କିଛି ଦିନ ତଳେ ବିଳମ୍ବିତ ରାତିରେ ଦକ୍ଷିଣ ପନ୍ତାଳର ଝିଞ୍ଜିରାଇ ମନ୍ଦିର ନିକଟରେ ଏକ ବୈଠକ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ଯୁବକମାନେ ତାଙ୍କୁ ଘେରି ବିଭିନ୍ନ ସମସ୍ୟାକୁ ନେଇ ତାଙ୍କୁ ପ୍ରଶ୍ନବାଣରେ ଘାଇଲା କରିବା ସମେତ ଭିଡିଓ ଉତ୍ତୋଳନ କରୁଥିଲା ମନ୍ତ୍ରୀ ଶ୍ରୀ ବେହେରା ଏହାକୁ ବିରୋଧ କରିବା ସମେତ ଉତ୍ତର ନଦେଇ ସେଠାରୁ ଉଠିଆସି ଜଣଙ୍କ ଘର ଭିତରକୁ ପଶିଯିବାରୁ ଲୋକଙ୍କର ଉତ୍ତେଜନା ପ୍ରକାଶ ପାଇଥିଲା। ଉକ୍ତଦିନ ସେଠାରେ ବହୁ ମହିଳା ପୁରୁଷ ଓ ଯୁବଗୋଷ୍ଠୀ ଜମା ହୋଇ ହୋହାଲ୍ଲା କରିବାରୁ ସାଂଘାତିକ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

ପ୍ରାୟ ଏକ ଘଣ୍ଟା ଲୋକଙ୍କ ନଜର ବନ୍ଦୀରେ ଘର ଭିତରେ ରହିବା ଓ ନିଜ ଲୋକଙ୍କୁ ସେ ସାମ୍ନା କରିପାରିନଥିଲେ। ପରିସ୍ଥିତି ଏଭଳି ହେଲା ଯେ ଅସ୍ତରଙ୍ଗ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମନ୍ତ୍ରୀଙ୍କୁ ଉଦ୍ଧାର କରିବା ଯାହା ଚର୍ଚ୍ଚାରେ ରହିଛି। ମନ୍ତ୍ରୀ ଘରେ ଥିଲା ବେଳେ ଠିକ୍ ଦୁଇଦିନ ପରେ ନିଜ ଗାଁ ବାଲିଡିଆରୁ ମଙ୍ଗୁଳି ବେହେରା ନାମକ ଜଣେ ବିଜେପି କର୍ମୀଙ୍କୁ ଶାସକ ଦଳର ଲୋକମାନେ ଘରୁ ଡାକି ମଦ ପିଆଇ ତାଙ୍କ ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେବା ଓ ପ୍ରଚାର କରିବାକୁ ବାଧ୍ୟ କରିଥିଲେ | ସେ ମନା କରିବାରୁ ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବାରୁ ସେ ଅସ୍ତରଙ୍ଗ ଥାନାରେ ଅଭିଯୋଗ କରିଥିଲେ | ଘଟଣାକୁ ଭିତିକରି ସ୍ଥାନୀୟ ନୂଆକାଳିଆକଣାର ୧୦ ଜଣକ ନାମରେ ଏକ ମାମଲା ରୁଜୁ ହୋଇଛି |

ସେହିପରି ଗତକାଲି ରାତି ୧୨ଟାରେ ଜଣେ ବିଜେଡି କର୍ମୀ ଘର ଘର ବୁଲି ଆଜିର ବାଇକ୍ ରାଲିରେ ଯୋଗଦେବାକୁ ଡାକିବାରେ ଲୋକ ଶୁଣିନଥିଲେ। ତେବେ ବିଜେଡି କର୍ମୀ ଜଣଙ୍କ ସମସ୍ତଙ୍କୁ ଚୋର ବୋଲି ସମ୍ବୋଧନ କରିବାରୁ ସ୍ଥାନୀୟ ଲୋକେ ତାତି ଯାଇ ବିଳମ୍ବିତ ରାତିରେ ତାଙ୍କୁ ଉତ୍ତମମଧ୍ୟମ ଦେବା ସୂଚନା ମିଳିଛି। ଅନ୍ଧାରରାତିରେ ଉକ୍ତ ସ୍ଥାନରେ ବହୁ ଲୋକ ଜମା ହୋଇ ଉତ୍ତେଜନା ସୃଷ୍ଟି ହେବା ନଜରକୁ ଆସିଛି। ଘଟଣା ବେଳର ଦୃଶ୍ୟ ମୋବାଇଲରେ କଏଦ୍ ହେବା ପରେ ଏହା ଏବେ ଭାଇରାଲ୍ ହେବାରେ ଲାଗିଛି।

ସେହିପରି ଆଜି ଶାସକ ଦଳ ବିଜେଡିର ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ ରୋଡ୍ ଚାଲିଥିଲା ବେଳେ ସ୍ଥାନୀୟ ଲୋକଙ୍କ ମନରେ ପିଇବା ପାଣି ସମସ୍ୟାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତେଜିତ ଶତାଧିକ ମହିଳା ନଗର ପଞ୍ଚାୟତ ଅଫିସ୍ ତଥା ରେଡକ୍ରସ୍ ନିକଟ ରାସ୍ତାରେ ହାଣ୍ଡିମାଠି ଥୋଇ ରାସ୍ତା ବନ୍ଦ କରିବା ସମେତ ଶୋଭାଯାତ୍ରାରେ ବାହାରିଥିବା କ୍ରୀଡାମନ୍ତ୍ରୀ ତୁଷାରକାନ୍ତୀ ବେହେରା ଓ ବ୍ଲକ ଅଧ୍ୟକ୍ଷ ସ୍ୱାଧୀନ ନାୟକଙ୍କୁ ବିରୋଧ କରିଥିବା ଏଭଳି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି।ଫଳରେ ଏହି ପ୍ରଚାର ଯାତ୍ରା ଆଧାବାଟରେ ଅଟକି ନଗର ପଞ୍ଚାୟତର ଦକ୍ଷିଣପନ୍ତାଳ, ବିରୁଡି ପନ୍ତାଳ ଓ ନୂଆକାଳିଆକଣ ପ୍ରମୁଖ ସ୍ଥାନ ଗୁଡିକୁ ଯାଇନପାରିବାରେ ଶାସକ ଦଳକୁ ଏକ ଝଟକା ଲାଗିବା ଓ ମନ୍ତ୍ରୀଙ୍କୁ ପୁଣି ଥରେ ହଟହଟା ହେବା ଚାରିଆଡେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର