ଅଯୋଗ୍ୟ ନିର୍ମାଣ ଶ୍ରମିକ ପାଇଲେ କରୋନା ସହାୟତା, ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ବଞ୍ଚିତ ଶତାଧିକ ଯୋଗ୍ୟ ହିତାଧିକାରୀ

ଫୁଲବାଣୀ: କନ୍ଧମାଳରେ ବଡବଡିଆ ହାତେଇ ନେଇଛନ୍ତି ଶ୍ରମିକ କାର୍ଡ। ଜଣେ ପୁଲିସ କର୍ମଚାରୀ ଫକୀରଚରଣ ପାତ୍ର କିଭଳି ନିଜକୁ ମୃତ ଦର୍ଶାଇ ପତ୍ନୀ, ପୁଅ ଓ ଭଉଣୀ ନାଁରେ କାର୍ଡ ହାତେଇଛନ୍ତି ଏନେଇ ଆଜି ସମ୍ବାଦରେ ଖବର ପ୍ରକାଶ ପାଇଛି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦଲାଲା ଓ ବିଭାଗୀୟ ଅଫିସର କର୍ମଚାରୀଙ୍କୁ ଧରାଧରି କରି ପୁଲିସ କର୍ମଚାରୀ ଏଭଳି କରି ନେବାରେ ସଫଳ ହୋଇଛନ୍ତି। ଏମିତି କି କରୋନା ସହାୟତା ମଧ୍ୟ ପାଇଯାଇଛନ୍ତି। ଶ୍ରମିକ କାର୍ଡ ଜାଲିଆତିରେ ଶିକ୍ଷକ ଥିବା ଜଣାପଡିଛି।

ପ୍ରାଥମିକ ସ୍କୁଲର ଜଣେ ଶିକ୍ଷକ ନିଜ ନାଁରେ ଓ ପତ୍ନୀ ନାଁରେ ଶ୍ରମିକ କାର୍ଡ ହାତେଇ କରୋନା ସହାୟତା ନେଇଥିବା ବିଭାଗୀୟ ସୁତ୍ରରୁ ଜଣାପଡିଛି। ବର୍ତ୍ତମାନ ଦାୟ‌ିତ୍ବରେ ଥିବା ଅଧିକାରୀଙ୍କ କହିବା ଅନୁଯାୟୀ ପୂର୍ବରୁ ଏଭଳି ହୋଇଛି। ବର୍ତ୍ତମାନ ସେମାନଙ୍କର କିଛି କରିବାର ନାହିଁ। ପରେ ଏ ନେଇ ତଦନ୍ତ କରାଯାଇ ନାମ କଟାଯିବ ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳକୁ ସୁପାରିଶ କରାଯିବ। ବତ୍ତର୍ମାନ ଜାଲିଆତି କରି ଶହଶହ ଅଯୋଗ୍ୟ ହିତାଧିକାରୀ କରୋନା ସହାୟତା ୧ହଜାର ୫୦୦ ଟଙ୍କା ପାଉଛନ୍ତି।

ଗ୍ରାମାଞ୍ଚଳରେ ପଞ୍ଚାୟତ ଓ ସହରାଞ୍ଚଳରେ ପୌର ପରିଷଦ ପକ୍ଷରୁ ଘରକୁ ଘରକୁ ଯାଇ ଶ୍ରମିକ କାର୍ଡଧାରୀଙ୍କୁ ପ୍ରଦାନ କରାଯାଉଛି। ହେଲେ କୌଣସି କାରଣରୁ କାର୍ଡ କରି ପାରି ନଥିବା କିମ୍ବା କାର୍ଡ ଥାଇ ୩ ବର୍ଷ ହେଲା ନବୀନକରଣ ହୋଇ ପାରି ନଥିବା ହିତାଧିକାରୀ ଏହି ସହାୟତାରୁ ବଞ୍ଚିତ ହେଉଛନ୍ତି। ଏହାକୁ ନେଇ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଜି ଶତାଧିକ ଯୋଗ୍ୟ ହିତାଧିକାରୀ ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଆମକୁ ସହାୟତା ଦିଅନ୍ତୁ ବୋଲି ଦାବି କରିଥିଲେ। ଶେଷରେ ପୁଲିସକୁ ଆସିବାକୁ ପଡିଥିଲା।

ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ନିର୍ଦ୍ଦେଶ ମତେ ସହାକାରୀ ଜିଲ୍ଲାପାଳ ପ୍ରଦ୍ୟୁମ୍ନ କୁମାର ମଣ୍ଡଳ, ସହକାରୀ ଜିଲ୍ଲାପାଳ ପ୍ରିୟଦର୍ଶିନୀ ସ୍ବାଇଁ ଜିଲ୍ଲା ଶ୍ରମ ଅଧିକାରୀ ଶୁଭଦର୍ଶିନୀ ନାୟକ ପ୍ରମୁଖ ଶ୍ରମିକଙ୍କୁ ବୁଝାସୁଝା କରିଥିଲେ। ତୁରନ୍ତ ଏ ନେଇ ପଦ‌କ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଶ୍ରମିକମାନେ ଘରକୁ ଫେରିଥିଲେ। ଜିଲ୍ଲାରେ ସମୁଦାୟ ୭୫ହଜାର ୧୨୨ ଜଣଙ୍କ ନାଁରେ ଶ୍ରମିକ କାର୍ଡ ରହିଛି। ଏହାର ସଂଖ୍ୟା ୩ ବର୍ଷ ପୂର୍ବେ ୫୦ରୁ ୫୫ ହଜାର ଥିଲା। ତା ପରେ ପରେ ସରକାର ନିର୍ମାଣ ଶ୍ରମିକଙ୍କ ପାଇଁ ବହୁ ସୁବିଧା ସୁଯୋଗ ଘୋଷଣା କରିଥିଲେ। ଏଥିରୁ ଫାଇଦା ନେବାକୁ ପୁଲିସ ଓ ଶିକ୍ଷକଙ୍କ ଭଳି ଶହଶହ ଅଯୋଗ୍ୟ ହାତ କରି ଶ୍ରମିକ କାର୍ଡ ହାତେଇ ନେଇଛନ୍ତି। ଏହି ଅଯୋଗ୍ୟ ହିତାଧିକାରୀ ସଂପ୍ରତି କରୋନା ସହାୟତା ପାଉଥିବା ବେଳେ ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ହୋଇଛନ୍ତି। କରୋନା ସହାୟତାରୁ ବଞ୍ଚିତ ଯୋଗ୍ୟ ନିର୍ମାଣ ଶ୍ରମିକଙ୍କ କଥା ଜିଲ୍ଲା ପ୍ରଶାସନ କେବେ ଶୁଣୁଛି ତାହା ଦେଖିବାର କଥା।

ସମ୍ବନ୍ଧିତ ଖବର