ଯାତ୍ରୀଙ୍କ ଦୁଃଖ: ଶୌଚ ପାଇଁ କିଣୁବାକୁ ପଡୁଛି ପାଣି ବୋତଲ

କାମରେ ଆସୁନି ଫୁଲବାଣୀ ବସଷ୍ଟାଣ୍ଡ ସୁଲଭ ଶୌଚାଳୟ

ଫୁଲବାଣୀ:ବସ ଯାତ୍ରୀଙ୍କ ଶୌଚ ଓ ସ୍ନାନ କରିବା ପାଇଁ ଫୁଲବାଣୀ ବସଷ୍ଟାଣ୍ଡରେ ରହିଛି ସୁଲଭ ଶୌଚାଳୟ। ହେଲେ ସୁଲଭ ଶୌଚାଳୟରେ ପାଣି ନଥିବାରୁ ଶୌଚ ପାଇଁ ଯାତ୍ରୀ ପାଣି ବୋତଲ କିଣିବା ସାଧାରଣରେ ଉଦବେଗ ସୃଷ୍ଟି କରିଛି। ବସଯାତ୍ରୀଙ୍କ ପାଇ ଗତ ୧୦୯୪ ମସିହାରେ ବସଷ୍ଟାଣ୍ଡରେ ସୁଲଭ ଶୌଚାଳୟ ନିର୍ମାଣ ହୋଇଥିଲା। ପାଣି ଓ ଆଲୋକ ବ୍ୟବସ୍ଥା ହୋଇଥିଲା। ଏହାର ପରିଚାଳନା ଦାୟିତ୍ବ ଲିଜ୍ ସୁତ୍ରରେ ଆନ୍ତର୍ଜାତୀୟ ସୁଲଭ ଶୌଚାଳୟ ସଂସ୍ଥାକୁ ଦିଆଯାଇଥିଲା। ସବୁ କିଛି ଠିକଠାକ ଚାଲିଥିଲା। ବସ ଯାତ୍ରୀ ହୁଅନ୍ତୁ କି ବସର କର୍ମଚାରୀ। ସୁଲଭ ଶୌଚାଳୟକୁ ଆସି ୫ରୁ ୧୦ ଟଙ୍କା ଦେଇ ଶୌଚ ଓ ସ୍ନାନ କରୁଥିଲେ। ହେଲେ ବର୍ଷେ ହେଲା ପାଣି ମଟର କାମ କରୁ ନାହିଁ। ମଟର କାଳେ ୩ ଫୁଟ ତଳକୁ ଖସି ପଡିଥିବାରୁ ଆଉ ସୁଲଭ ଶୌଚାଳୟକୁ ପାଣି ଉଠୁ ନାହିଁ। ଏ ନେଇ ପରିଚାଳନା ଦାୟିତ୍ବରେ ଥିବା ସଂସ୍ଥା କିଛି ବୁଝୁ ନଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥି ସହ ବସ କର୍ମଚାରୀ ବି ଶୌଚ ଓ ସ୍ନାନ କରିବାରୁ ବଞ୍ଚିତ ହେଉଛନ୍ତି।

ଜରୁରୀ ଶୌଚ ହେଉ କି ସ୍ନାନ। ସୁଲଭ ଶୌଚାଳୟରେ ପହଞ୍ଚିଲେ ବସୁଥିବା କର୍ମଚାରୀ ପାଣି ନାହିଁ ବୋଲି କହୁଛନ୍ତି। ଯାହା ଫଳରେ କିଏ ବାଲଟି ନେଇ ଦୁରରେ ଥିବା ନଳକୂପରୁ ପାଣି ଆଣୁଛନ୍ତି ତ ଆଉ କିଏ ପାଣି ବଟଲ କିଣିବାକୁ ବାଧ୍ୟ ହେଉଛନ୍ତି। ଅଧିକାଂଶ ସମୟରେ ସୁଲଭ ଶୌଚାଳୟ ବନ୍ଦ ରହୁଥିବାରୁ ଯାତ୍ରୀମାନଙ୍କୁ ପାଣି ବଟଲ ଧରି ରାସ୍ତା କଡକୁ ଯିବାକୁ ପଡୁଛି। ହେଲେ ସବୁଠି ବେଶୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମହିଳା ଯାତ୍ରୀ। ସ୍ନାନ କରିବା ତ ଦୁରର କଥା ଶୌଚ କରିବା ସେମାନଙ୍କ ପକ୍ଷେ ସମ୍ଭବ ହେଉ ନାହିଁ। କରୋନା କଟକଣା ପାଇଁ ବସ ଚଳାଚଳ ୬ ମାସ ଯାଏ ବନ୍ଦ ଥିଲା। ସଂପ୍ରତି କଟକଣା କୋହଳ ପରେ ବସ ଚଳାଚଳ କରୁଥିବାରୁ ଏବେ ଯାତ୍ରୀଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି ହୋଇଛି। ଏହାକୁ ନେଇ ଯାତ୍ରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି। ରାଜ୍ୟର ସବୁ ବସଷ୍ଟାଣ୍ଡରେ ଥିବା ସୁଲଭ ଶୌଚାଳୟରେ ସବୁ ସୁବିଧା ରହିଛି।

ହେଲେ ଫୁଲବାଣୀ ବସଷ୍ଟାଣ୍ଡ ସୁଲଭ ଶୌଚାଳୟରେ ପାଣି ନ ରହିବା ବିଡମ୍ବନାର ବିଷୟ ବୋଲି କିଛି ଯାତ୍ରୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଯାତ୍ରୀମାନଙ୍କ ସୁବିଧା ପାଇଁ ସୁଲଭ ଶୌଚାଳୟ ପରିଚାଳନା ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ବସ ସଂଘର କର୍ମକର୍ତ୍ତା କହୁଛନ୍ତି। ହେଲେ କର୍ମଚାରୀ ଶୁଶୁ ନଥିବା ଜଣା ପଡିଛି। ହେଲେ ତଦାରଖ ଦାୟିତ୍ବରେ ଥିବା ପୌର ପ୍ରଶାସନ ବି ଏ ନେଇ ନିରବ ରହୁଥିବା ଅଭିଯୋଗ ହେଉଛି। ଏନେଇ ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରା କହନ୍ତି ଦାୟିତ୍ବରେ ଥିବା ସଂସ୍ଥାକୁ ପାଣିର ବ୍ୟବସ୍ଥା କରିବାକୁ କୁହାଯାଇଛି। ୨-୩ ଦିନ ମଧ୍ୟରେ ସୁଲଭ ଶୌଚାଳୟରେ ପାଣିର ବ୍ୟବସ୍ଥା ହୋଇ ଯିବ ବୋଲି ସେ କହିଛନ୍ତି। ଯଦି ସପ୍ତାହ ମଧ୍ୟରେ ସୁଲଭ ଶୌଚାଳୟରେ ପାଣି ସମସ୍ୟା ଦୁର ନ ହୁଏ ତାହା ହେଲେ ବସ ମାଲିକ ସଂଘ ଜିଲ୍ଲାପାଳଙ୍କୁ ଭେଟିବେ ବୋଲି ଜଣେ କାର୍ଯ୍ୟକର୍ତ୍ତା କହିଛନ୍ତି। ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ତୁରନ୍ତ ସୁଲଭ ଶୌଚାଳୟକୁ ପାଣିର ବ୍ୟବସ୍ଥା କରିବା ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର