ରିଆମାଳ: ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଚଢ଼େଇମରା ପଞ୍ଚାୟତରେ ସୋମବାର ଘଟିଛି ଏକ ଅଭାବନୀୟ ଘଟଣା। ବାଡ଼ ଜମି ଖାଇବା ଭଳି ଖୋଦ୍ ଯୋଗଣ ଦାୟିତ୍ୱରେ ଥିବା ଯୋଗାଣ ସହାୟକ ପିଡିଏସ୍ ଚାଉଳ ଚୋରି କରି ନେବା ବେଳେ ଲୋକଙ୍କ ହାତରେ ଧରାପଡ଼ିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନାନୁସାରେ ସୋମବାର ଅପରାହ୍ଣ ପ୍ରାୟ ୩ଟା ବେଳେ ପଞ୍ଚାୟତର ଯୋଗାଣ ସହାୟକ ରୋହିତ ପ୍ରଧାନ ଏକ ବସ୍ତା ପିଡିଏସ୍ ଚାଉଳ ନିଜ ବାଇକ୍ (ଓଡି ୧୯ଜେ-୭୫୨୫)ରେ ଲଦି ନେଉଥିବା ବେଳେ ଗାଁର କିଛି ଯୁବକ ଦେଖି ତାଙ୍କୁ ଅଟକାଇବା ସହ ଥାନାକୁ ଖବର ଦେଇଥିଲେ। ପୁଲିସ୍ ପହଞ୍ଚି ଗାଡ଼ି ଓ ଚାଉଳକୁ ଜବତ କରି ଥାନାକୁ ନେଇଥିଲା। ତେବେ ଏ ସଂପର୍କରେ ବିଡିଓ ଶିବ ଟପ୍ପୋଙ୍କୁ ପଚାରିବାରେ ସେ ଘଟଣାକୁ ସ୍ୱୀକାର କରିବା ସହ ଅବଗତ ଥିବା କହିଥିଲେ। ଏଥି ସହିତ ଘଟଣା ତଦନ୍ତ କରି ଯୋଗାଣ ସହାୟକଙ୍କ ବିରୋଧରେ ମାମଲା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ତାଙ୍କୁ ଚାକିରିରୀ ବରଖାସ୍ତ କରାଯିବ ବୋଲି କହିଥିଲେ। ସେହିଭଳି ଥାନାଧିକାରୀ ଅଜୟ ତିର୍କୀଙ୍କୁ ପଚାରିବାରୁ ଗାଡି ଓ ଚାଉଳ ଜବତ ହୋଇଛି, ବର୍ତମାନ ସୁଦ୍ଧା ଏତେଲା ଦିଆଯାଇ ନାହିଁ। ଯଦି ଏତେଲା ଦିଆଯିବ ତା’ ହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ତେବେ ଯୋଗାଣ ସହାୟକଙ୍କ ସହ ଅନ୍ୟ କେତେକ କର୍ମଚାରୀ ମଧ୍ୟ ସାମିଲ ଥିବା ଓ ପୂର୍ବରୁ ୫/୬ ବସ୍ତା ଚାଉଳ ଚୋରି କରି ନିଆଯାଇଛି ବୋଲି ଗ୍ରାମବାସୀ କହିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ହେଲେ ବହୁ କର୍ମଚାରୀଙ୍କ ମୁଖା ଖୋଲିବ ବୋଲି ମତ ପ୍ରକାଶ ପାଇଛି।
ଲୋକଙ୍କ ହାତରେ ଧରାପଡ଼ିଲେ ଯୋଗାଣ ସହାୟକ:ତଦନ୍ତ ପାଇଁ ବିଡିଓଙ୍କ ନିର୍ଦ୍ଦେଶ
ଚଢ଼େଇମରାରେ ପିଡିଏସ୍ ଚାଉଳ ଚୋରି
/sambad/media/post_attachments/wp-content/uploads/2017/11/61554369.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)