ଜୟପୁର : ଜୟପୁର- ମାଲାକାନଗିରି ବିଜୟୱାଡା ରାଂଚି କରିଡ଼ରରେ ଜୟପୁର ବ୍ଲକର ପାତ୍ରପୁଟ ବ୍ରିଜ୍ ରହିଛି। ବ୍ରିଟିଶ ଅମଳରେ ଏହି ଲୁହା ବ୍ରିଜକୁ ନିର୍ମାଣ କରାଯାଇଥିଲା। ଦିନକୁ ଦିନ ଶହ ଶହ ଭାରୀଯାନ ଏହି ରାସ୍ତାରେ ଯିବା ଆସିବା କରୁଥିବା ଏବଂ ବ୍ରିଜକୁ ବହୁ ବର୍ଷ ହୋଇଥିବାରୁ ଏହାକୁ ବଦଳାଯିବା ପାଇଁ ଜାତୀୟ ରାଜପଥ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଠାରେ ନୂଆ ବ୍ରିଜ୍ ନିର୍ମାଣ କରିବା ପାଇଁ ବିଧାୟକ ତାରାପ୍ରସାଦ ବାହିନୀପତି, ସମାଜସେବୀ ବସନ୍ତ ପାତ୍ର , ମାନବାଧିକାର କର୍ମୀ ଅନୁପ ପାତ୍ର ମଧ୍ୟ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସଂପୁର୍ଣ୍ଣ ପ୍ରକଳ୍ପ ରିପୋର୍ଟ(ଡିପିଆର) ଏନ ଏଚ୍ ପକ୍ଷରୁ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ସଡକ ପରିବହନ ଓ ଜାତୀୟରାଜପଥ ମନ୍ତ୍ରଳାୟରେ ବି ଏହା ଦାଖଲ ବି ହୋଇ ସାରିଛି । କେନ୍ଦ୍ର ସରକାର ଏହାକୁ ଅନୁମୋଦନ କରିଲେ ପରବର୍ତ୍ତୀ ପର୍ଯ୍ୟାୟରେ ଟେଣ୍ଡର ଆଦି ପ୍ରକ୍ରିୟା କରାଯିବା ଯୋଜନା ରହିଛି। ତେବେ ଏହି ବ୍ରିଜ ବହୁ ପୁରୁଣା ହୋଇଥିବାରୁ ନୂଆ ବ୍ରିଜ୍ ଆରମ୍ଭ ହେଲେ କାଳେ ଏହାକୁ ସରକାର ଭାଙ୍ଗି ଦେବେ କି ବୋଲି ସହରରେ ସଂଦେହ ପ୍ରକାଶ କରି ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହାର ସୁରକ୍ଷାକୁ ନେଇ ଏବେ ବିଭିନ୍ନ ସଂଗଠନ ପକ୍ଷରୁ ଅଣ୍ଟା ଭିଡ଼ି , ସ୍ମାରକପତ୍ର ପ୍ରଦାନ କରିବାକୁ ବି ଯୋଜନା ଆରମ୍ଭ ହୋଇଛି।
ନୂତନ ବ୍ରିଜ ନିର୍ମାଣକୁ ବିରୋଧ କରୁନାହୁଁ କିନ୍ତୁ ବ୍ରିଟିଶ ଅମଳର ଏଇ ବ୍ରିଜ ସହିତ ଆମ ଇତିହାସ ଆମ ସ୍ୱାଭିମାନ ଜଡିତ, ଦୟାପୂର୍ବକ ଏଇ ବ୍ରିଜ କୁ ଦୁଇ ଚକିଆ ଯାନବାହନ କିମ୍ବା ଦର୍ଶନ ସ୍ଥଳୀ ଭଳି କରି ସେହି ସ୍ଥାନ କୁ ରଖାଯାଉ, ତା ବାଦେ ଆପଣ ନୂତନ ବ୍ରିଜ ନିର୍ମାଣ କରନ୍ତୁ,ବୋଲି ବିଜେଡିର ରାଜ୍ୟ ଯୁଗ୍ମ ସମ୍ପାଦକ ପରିବେଶ ସୁରକ୍ଷା ଧର୍ମେନ୍ଦ୍ର ଅଧିକାରୀ, ରାଜେଶ ପାଢ଼ୀ, ବିନୀତ ସତମନ,ସନ୍ତୋଷ ପଟ୍ଟନାୟକ, ସୁବ୍ରତ ବାଗ,ରମେଶ ଭତରା,ଅର୍ଜୁନ ନାୟକ, ବିକ୍ରମ ସରାଫ ଅନୁରୋଧ କରିଛନ୍ତି।
ଗୋଟିଏ ପଟେ ପାହାଡ଼, କୋଲାବ ନଦୀ ଉପରେ ବ୍ରିଟିଶ ଅମଳର ଲୁହା ବ୍ରିଜ୍ , ଏବଂ ଏଠାକାର ସବୁଜ ସୁନ୍ଦର ତଥା ଶାନ୍ତ ପରିବେଶ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କୁ ଟାଣି ଆଣିଥାଏ। ଏହି ସ୍ଥାନରେ ବର୍ଷ ତମାମ ଲୋକେ ପିକନିକ୍ ମନାନ୍ତି। ପୂର୍ବରୁ ଜୟପୁର ବ୍ଲକର ବାଲିଆ ନିକଟରେ ଥିବା ଝୁଲା ପୋଲକୁ ମଧ୍ୟ ପ୍ରଶାସନ ଭାଙ୍ଗି ଦେଇଥିଲେ। ସେଭଳି ଏହାକୁ ବି ନ ଭାଙ୍ଗି ସେଭଳି ମନୁମେଣ୍ଟ ବା ପର୍ଯ୍ୟଟନ ସ୍ଥଳୀ ଭାବେ ପୂର୍ବଭଳି ରଖନ୍ତୁ ବୋଲି ଅନୁରୋଧ କରିଛନ୍ତି ମାନବାଧିକାର କର୍ମୀ ଅନୁପ ପାତ୍ର, ବରିଷ୍ଠ ଆଇନଜୀବୀ ରବିନ୍ଦ୍ର କୁମାର ପାତ୍ର, ପ୍ରବୀଣ ପାଣିଗ୍ରାହୀ, ଚନ୍ଦନ ପଟ୍ଟନାୟକ, ଅଶୋକ ମିଶ୍ର, ଦୀପକ ଷଡ଼ଙ୍ଗୀ, ପରିବେଶବିତ୍ ରାଜେଶ ପାଣିଗ୍ରାହୀ। ବ୍ରିଜ୍ ଟି ବହୁ ବର୍ଷ ହୋଇଥିବା ଜାତୀୟ ରାଜପଥ ବିଭାଗ ପକ୍ଷରୁ ସଂପୁର୍ଣ୍ଣ ପ୍ରକଳ୍ପ ରିପୋର୍ଟ(ଡିପିଆର) ଆଦି ପ୍ରସ୍ତୁତ କରି କେନ୍ଦ୍ର ସଡକ , ପରିବହନ ଓ ଜାତୀୟରାଜପଥ ମନ୍ତ୍ରଳାୟକୁ ଅନୁମୋଦନ ପାଇଁ ଯାଇଛି ବୋଲି କହିଛନ୍ତି ଉପଜିଲ୍ଲାପାଳ ହେମକାନ୍ତ ସୟ ଓ ଏନଏଚ ଏସଡିଓ ବିନୋଦ ବଗର୍ତ୍ତୀ। । ତେବେ ଏଥିରେ ଏହି ସର୍ବପୁରାତନ ବ୍ରିଜକୁ ଭାଙ୍ଗିବା କୌଣସି ପ୍ରସ୍ତାବ ଏନଏଚ ପକ୍ଷରୁ ଦିଆଯାଇନି। ବରଂ ଏହାକୁ ରାଜ୍ୟସରକାରଙ୍କୁ ହସ୍ତାନ୍ତର କରାଯିବ। ରାଜ୍ୟ ସରକାର ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ନିଶ୍ଚିତ ରୁପେ ଦେବା କଥା ବୋଲି କହିଛନ୍ତି ଏନଏଚ ଏସଡିଓ ଶ୍ରୀ ବଗର୍ତ୍ତୀ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/WhatsApp-Image-2021-09-20-at-20.37.19.jpeg)