କୋଣ୍ଡାରେଡ୍ଡୀଙ୍କୁ ଆଦିବାସୀ ମାନ୍ୟତା ଦାବି ଜୋର ଧରିଲା

ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଶହଶହ ମହିଳା ପୁରୁଷ

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆଜି ଶହଶହ ଆଦିବାସୀ ମହିଳା ପୁରୁଷ ଘେରିଲେ।ମାଲକାନଗିରି ଜିଲ୍ଲାରେ ବିଭିନ୍ନ ଆଦିବାସୀ ସଂପ୍ରଦାୟର ଲୋକେ  ବସବାସ କରୁଛନ୍ତି। ବଣ୍ଡା, ଡିଡାୟୀ, କନ୍ଧ, କୋୟା, ଦୁରୁଆ, ଭୁମିଆ, ପରଜା, ବୁରା ଭଳି ଆଦିବାସୀଙ୍କୁ ମାନ୍ୟତା ମିଳିଥିବା ବେଳେ କୋଣ୍ଡାରେଡ୍ଡୀ ମାନଙ୍କୁ ଆଜି ପର୍ଯ୍ୟନ୍ତ ଆଦିବାସୀ ମାନ୍ୟତା ମିଳିପାରି ନାହିଁ। ଯାହାଫଳରେ ସେମାନଙ୍କର ପିଲାଛୁଆ ସରକାରଙ୍କ କୌଣସି ଯୋଜନାରେ ସାମିଲ ହୋଇ ପାରୁନାହାଁନ୍ତି। ମାଲକାନଗିରି ଜିଲ୍ଲାରେ ଦୀର୍ଘବର୍ଷ ହେଲେ ପାହାଡ ଜଙ୍ଗଲରେ ବସବାସ କରିଆସୁଥିବା ଏହି ଜନଜାତିଙ୍କୁ ଜନଜାତିର ମାନ୍ୟତା ମିଳି ପାରୁନାହିଁ। ଜଙ୍ଗଲରେ ଏମାନେ ମଧ୍ୟ ଆଦିବାସୀଙ୍କ ଭଳି ଚାଷ କରି ନିଜର ଜୀବନ ଜୀବିକା ନିର୍ବାହ କରୁଛନ୍ତି। ସ୍ବାଧୀନତାର ସାତ ଦଶନ୍ଧି ବିତିଯାଇଥିଲେ ମଧ୍ୟ ସରକାର ଏମାନଙ୍କ ପ୍ରତି ଦୃଷ୍ଟି ଦେଲେ ନାହିଁ। ଏମାନଙ୍କର ପିଲାମାନଙ୍କୁ ଜାତିଗତ ପ୍ରମାଣ ପତ୍ର ମିଳି ପାରୁନାହିଁ। ଶିକ୍ଷା କ୍ଷେତ୍ରରେ ଏହି ସଂପ୍ରଦାୟ ଅତି ପଛରେ ପଡି ରହିଛନ୍ତି। ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳରେ ଏମାନେ ପଡି ରହିଛନ୍ତି। ଏମାନଙ୍କ ପ୍ରତି କାହାର ଦରଦ ନଥିବା ଦେଖିବାକୁ ମିଳିଛି।

ଚିତ୍ରକୋଣ୍ଡା ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କର ଆଜି ବି ଘରଡିହ ପଟ୍ଟା ମିଳିପାରିଲା ନାହିଁ। ବହୁ ଶିକ୍ଷିତ ଆଦିବାସୀ ପିଲା ବେକାର ହୋଇ ବୁଲୁଛନ୍ତି। ବହୁ ଗ୍ରାଜୁଏଟ ପିଲା କେନ୍ଦୁପତ୍ର ତୋଳୁଛନ୍ତି ବୋଲି ଅଭିଯୋଗ କରାଯାଇଥିଲା। ତୁରନ୍ତ ଘର ଡିହ ପଟ୍ଟା ପ୍ରାଦନ କରାଯିବା ନେଇ ଆଜି ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ୧୨ ଦଫା ସମ୍ବଳିତ ଏହି ଦାବିରେ ପିଲାଙ୍କ ପାଇଁ ଜାତିଗତ ପ୍ରମାଣପତ୍ର, କୋଣ୍ଡାରେଡ୍ଡୀଙ୍କୁ ଆଦିବାସୀ ମାନ୍ୟତା, ଘରଡିହ ପଟ୍ଟା ପ୍ରଦାନ, ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଭଳି ଦାବି ରହିଛି। ତେବେ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦିଆଯାଇଥିଲା।

ସମ୍ବନ୍ଧିତ ଖବର