ରାୟଗଡା: ରାୟଗଡା ଜିଲ୍ଲାରେ ଏଭଳି କିଛି ଗାଁ ରହିଛି ଯାହାକି ପ୍ରଶାସନର ନଜର ଆଢୁଆଳରେ ରହି ଯାଇଛି। ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଦୁଇ ଗ୍ରାମର ଲୋକେ ପଡୋଶୀ ଗଜପତି ଜିଲ୍ଲା ଉପରେ ନିର୍ଭର କରିଥାନ୍ତି।ଏହି ଦୁଇ ଗ୍ରାମ ମଧ୍ୟରୁ ଗୋଟିଏ ହେଲା ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବିଜାପୁର ଗ୍ରାମ ପଞ୍ଚାୟତର ଗାଁ ସାନପଙ୍କାଳ।ଏହି ଗ୍ରାମରେ ରହନ୍ତି ୩୦ରୁ ଊର୍ଦ୍ଧ୍ବ ଆଦିବାସୀ ପରିବାର। ଡଙ୍ଗରଚାଷ ଓ କୁଲି ମଜୁରୀ କରି ଏମାନେ ପରିବାର ପୋଷଣ କରିଥାନ୍ତି। ଏହି ଗାଁକୁ ଗଲେ ଲାଗିବ ଏମାନେ ସତେଯେମିତି ଅଭିଶପ୍ତ ଜୀବନଯାପନ କରୁଛନ୍ତି। ଗାଁକୁ ଯିବାପାଇଁ ଭଲ ରାସ୍ତାଟିଏ ନଥିବା ବେଳେ ଲୋକଙ୍କୁ ମିଳୁନି ସ୍ବଚ୍ଛ ପିଇବା ପାଣି। ଏପରିକି ଗାଁକୁ ବିଦ୍ୟୁତ ଆସିବାତ ଦୁରର କଥା ବିଦ୍ୟୁତ ଖୁଣ୍ଟ ମଧ୍ୟ ପକାଯାଇନି।୨୦୧୩ ମସିହାରେ ଏହି ଗାଁର କୋମଳମତି ଛୁଆ କାଠ କନ୍ଦା ଖାଇ ମୃତ୍ୟୁ ହେବା ପରେ ଚର୍ଚ୍ଚାରେ ଥିବା ଏହି ଗାଁକୁ ତତ୍କାଳୀନ ଜିଲ୍ଲାପାଳ ଜଗନ୍ନାଥ ମହାନ୍ତି ୬ କିମି ଚାଲି ଚାଲି ଗାଁରେ ପହଞ୍ଚି ବାପା ମାଆକୁ ଆଶ୍ବାସନା ଦେବାସହ ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସମସ୍ୟା ସମାଧାନ ହୋଇନଥିବା ବେଳେ ପିଇବା ପାଣି ଏମାନଙ୍କ ପାଇଁ ସାତସପନ। ଏମାନେ ବୁଦ୍ଧି ଖଟାଇ ନିଜ ଟଙ୍କାରେ ୨ କିମି ଦୂରରେ ଥିବା ଝରଣାରୁ ପାଇପ ଲଗାଇ ପାଣି ଆଣି ବ୍ୟବହାର କରିଥାନ୍ତି। ହେଲେ ବର୍ଷାଦିନେ ଝରଣାପାଣି ଗୋଳିଆ ହୋଇଯାଇ ଥାଏ ଓ ଏହି ମଇଳା ପାଣି ପିଇ ବହୁବାର ବିଭିନ୍ନ ସଂକ୍ରାମକ ରୋଗର ଶିକାର ମଧ୍ୟ ହେଉଥିବା କହିଛନ୍ତି ଗ୍ରାମର ମହିଳା ସୁଜାତା କେଟ୍ରେକା, ଭାଗ୍ୟବତୀ ମାଝୀ, ହେମନ୍ତି କେପ୍ରେଟିକା। ଅନ୍ୟ ଅଭିଶପ୍ତ ଗ୍ରାମଟି ହେଉଛି ବଡପଙ୍କାଳ। ସେହି ସମାନ ଅବସ୍ଥା ବଡପଙ୍କାଳ ଗାଁରେ ମଧ୍ୟ ଦେଖିବାକୁ ମିଳିଛି।

Advertisment

publive-image Sambad

ଏହି ଦୁଇ ଗାଁ ମଧ୍ୟରେ ଦୁରତା ମାତ୍ର ୨ କିଲୋମିଟର। ହେଲେ ଏଠାକାର ଚିତ୍ର ଟିକିଏ ଭିନ୍ନ। ପିଇବା ପାଣି ମୁନ୍ଦାଏ ପାଇଁ ଏମାନେ ନିର୍ଭର କରୁଛନ୍ତି ପଡୋଶୀ ଗଜପତି ଜିଲ୍ଲାରେ ଥିବା ଏକ ଝରଣା ଉପରେ। ଗାଁରେ ପାନୀୟ ଜଳର କୌଣିସି ସୁବିଧା ନଥିବାରୁ ଏମାନେ ବାଧ୍ୟ ହେଇ ଗାଁ ଠାରୁ ୨ କିମି ଦୂରରେଥିବା ଝରଣାରୁ ପାଣି ଆଣନ୍ତି ଓ ଖରାଦିନେ ଏହି ଝରଣା ଶୁଖିଗଲେ ନିକଟରେ ଥିବା ନଦୀ ବାଲିପଟ୍ଟାରେ ଚୁଆଁ କରି ପାଣି ଆଣିଥାନ୍ତି। ତେବେ ଏହି ଗାଁ ମଧ୍ୟ ବିଦ୍ୟୁତ ସେବାରୁ ବଞ୍ଚିତ ଥିବା ବେଳେ ରାସ୍ତା ଅଭାବରୁ ରୋଗୀକୁ ଭାରରେ ଗଜପତି ଜିଲ୍ଲାର ଡାକ୍ତଖାନା ବୁହାହେଉଥିବା କୁହନ୍ତି ଗ୍ରାମର ଲକ୍ଷ୍ମୀ ମାଝୀ, ଦଣ୍ଡାସି ମାଝୀ, ମେଡିକ କ୍ରେପଟିକା। ସାଧାରଣ ବଣ୍ଟନ ସାମଗ୍ରୀ ହେଉ ଅଥବା ଭତ୍ତା ପାଇଁ ନାହିଁ ନଥିବା ଅବସ୍ଥା ଭୋଗୁଛନ୍ତି ଏହି ଦୁଇ ଗ୍ରାମବାସୀ। ଏହି ସମସ୍ୟା ଗୁଡିକୁ ନେଇଁ ଆମେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ଦୁଇ ଗ୍ରାମର ଦୁଃଖ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କୁ ପଚାରିବାରୁ ଏନେଇ ତଦନ୍ତ କରାଯାଇ ତୁରନ୍ତ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।