ଭୋଟ୍‌ ଗ୍ରହଣ ଶେଷ ପରେ ଅଣଭୋଟରଙ୍କୁ ନେଇ ଅସନ୍ତୋଷ

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍‌ କୟାକୁଦ ପଞ୍ଚାୟତ ରାମବଡ଼ମାଳ ବୁଥ୍‌ରେ ଆଜି ଜଣେ ଅଣଭୋଟରଙ୍କ ଉପସ୍ଥତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ବୁଥ୍‌ରେ ଅପରାହ୍‌ଣ ‌୧ଟାରେ ଭୋଟ୍‌ ଗ୍ରହଣ ଶେଷ ହୋଇଥିଲା। ପୁଲିସ ଏହା ପରେ ବୁଥ୍‌ ଗେଟ୍‌ ବନ୍ଦ କରି ଦେଇଥିଲା। ମାତ୍ର ବୁଥ୍‌ ଭିତରେ ଜଣେ ବ୍ୟକ୍ତି ଉପସ୍ଥିତ ଥିବା ନେଇ ଲୋକମାନେ ହୋହଲ୍ଲା କରିଥିଲେ। ବ୍ୟକ୍ତି ଜଣଙ୍କ ଭୋଟର୍‌ କି ନିର୍ବାଚନ ଅଧିକାରୀ ନଥିବା ସତ୍ତ୍ବେ ସେ କାହଁକି ଭୋଟ୍‌ ଗ୍ରହଣ ପରେ ଉପସ୍ଥିତ ଥିଲେ ତାହାକୁ ନେଇ ଲୋକମାନେ ପ୍ରଶ୍ନ କରିଥିଲେ। ଖବରପାଇ ପିସିଆର୍‌ ଭ୍ୟାନ୍‌ ପହଞ୍ଚି ସଂପୃକ୍ତ ବ୍ୟକ୍ତିଙ୍କୁ ବୁଥ୍‌ରୁ ବାହାର କିରିଥିଲେ।

ଅନ୍ୟପକ୍ଷରେ ଏ ନେଇ ପୁଲିସର କହିବା କଥା ବ୍ୟକ୍ତି ଜଣ ଉକ୍ତ ସ୍କୁଲ୍‌ର ଜଣେ ଶିକ୍ଷକ। ସେ ନିକଟସ୍ଥ ଗାଁରେ ରୁହନ୍ତି। ଏହି ପଞ୍ଚାୟତର ନିବାସୀ ମଧ୍ୟ। ଭୋଟ୍‌ ଗ୍ରହଣ ଶେଷ ହେବାପରେ କକ୍ଷରେ ତାଲା ପକାଇବାକୁ ସେ ଚାବି ଦେବାକୁ ଯାଇଥିଲେ। କିନ୍ତୁ ସାଧାରଣରେ ‌ଚର୍ଚ୍ଚା ହେଉଛି ଯେ, ଶିକ୍ଷକଙ୍କୁ ଯଦି ସ୍କୁଲର ଚାବି ଆଣିବାର ଥିଲା, ଦୀର୍ଘ ସମୟ ପର୍ଯ୍ୟନ୍ତ ବାରଣ୍ଡାରେ କ’ଣ କରୁଥିଲେ। ନିର୍ବାଚନ ଦିନ ପୋଲିଂ କର୍ମଚାରୀମାନେ ଭୋଟ ଗ୍ରହଣ ପରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଡାକି ଚାବି ହସ୍ତାନ୍ତର କରିଥାନ୍ତି। କିନ୍ତୁ ବିଦ୍ୟାଳୟର ବାରଣ୍ଡା ଉପରେ ସଂପୃକ୍ତ ଶିକ୍ଷକ ଜଣକ ଦୀର୍ଘ ସମୟ ବସି ରହିବାକୁ ନେଇ ମତଦାନରେ ବିଭ୍ରାଟ ସୃଷ୍ଟି ହୋଇଥିବା ସନ୍ଦେହ ହେଉଛି।

ସମ୍ବନ୍ଧିତ ଖବର