ରାୟଗଡା: ରାୟଗଡା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ବହୁ ଆଦିବାସୀ ପରିବାର ଜଙ୍ଗଲ ଉପରେ ନିର୍ଭର କରି ଚଳନ୍ତି। ଏବେ ଧୀରେ ଧୀରେ ଆଧୁନିକ ସଭ୍ୟତା ଆଡେ ମୁହାଁ ହୋଇ ସରକାରଙ୍କ ସହଯୋଗରେ ବିଭିନ୍ନ ବ୍ୟବସାୟ କରି ସ୍ବାବଲମ୍ବୀ ହେଲେଣି। ସେମାନଙ୍କ ମଧ୍ୟରୁ ରାୟଗଡ଼ା ବ୍ଲକର ଡାଙ୍ଗଲୋଡି ଗ୍ରାମର ଧରିତ୍ରୀ ସ୍ବୟଂ ସହାୟକ ଗୋଷ୍ଠୀ ମେଣ୍ଢା ବ୍ୟବସାୟ କରି ବେଶ ଦୁଇପଇସା ରୋଜଗାର କରି ପାରୁଛନ୍ତି। ୨୦୧୭ ମସିହାରେ ଏହି ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇ ପ୍ରଥମେ ୫୦ ହଜାର ଟଙ୍କା ଋଣ ନେଇ ମେଣ୍ଢା କିଣି ବ୍ୟବସାୟ ଆରମ୍ଭ କରିଥିଲେ। ବ୍ୟବସାୟ ଭଲ ହେବାରୁ ଋଣ ପରିଶୋଧ କରି ପୁଣି ୨ ଲକ୍ଷ ଟଙ୍କା ଋଣ ଆଣି ବ୍ୟବସାୟକୁ ବୃଦ୍ଧି କରିଥିଲେ। ଏହି ସ୍ବୟଂ ସହାୟକ ଗୋଷ୍ଠୀରେ ୧୦ ଜଣ ମହିଳା ପରିଶ୍ରମ କରି ଲାଭ ପାଇବା ପରେ ୨ ଲକ୍ଷ ଋଣ ଶୁଝିଥିଲେ। ଏହି ଗୋଷ୍ଠୀରେ ସଭାପତି ଲଳିତା ନାଗବଂଶଙ୍କ ନେତୃତ୍ବରେ ସର ଖସାଲିବଂଶ, ନିଲିମା ଖରସାଲିବଂଶ, ନିଲି ଖରସାଲିବଂଶ, ସୂର୍ଯ୍ୟ ଖରସାଲିବଂଶ, ଲକ୍ଷ୍ମୀ ନାଗବଂଶ, କମଳିନି ନାଗବଂଶ, ସତୀ ଖରସାଲିବଂଶ, ସିର ଖରସାଲିବଂଶ ଓ ପୂର୍ଣ୍ଣ ଖରସାଲିବଂଶ ମିଳିତ ଭାବେ କାର୍ଯ୍ୟ କରି ମେଣ୍ଢା ବ୍ୟବସାୟକୁ ଆଗେଇ ନେଉଛନ୍ତି। ଗତ ଚାରି ମାସ ତଳେ ପୁଣି ୪ ଲକ୍ଷ ଋଣ ନେଇ ବ୍ୟବସାୟକୁ ବୃଦ୍ଧି କରିଛନ୍ତି। ସମସ୍ତ ସଦସ୍ୟାଙ୍କ ନିକଟରେ ୧୦ଟି ଲେଖାଏଁ ମେଣ୍ଢା ରହିଛି।
ପ୍ରତ୍ୟେକ ମେଣ୍ଢାକୁ ୪ ହଜାର ଟଙ୍କା ଲେଖାଏଁ ଦେଇ କିଣିଥିବା ବେଳେ ଏହାକୁ ପ୍ରାୟ ୧୦ ମାସ ପରେ ଗୋଟିଏ ମେଣ୍ଢାକୁ ୧୦ ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ପ୍ରତିବର୍ଷ ଜଣେ ଜଣେ ୫୦ ହଜାର ଟଙ୍କାର ମେଣ୍ଢା ବିକ୍ରି କରୁଥିବା ବେଳେ ସ୍ବୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟା ପ୍ରାୟ ୫ ଲକ୍ଷ ଟଙ୍କାର ବ୍ୟବସାୟ ବର୍ଷକୁ କରୁଥିବା କହିଛନ୍ତି।ଆଗକୁ ସରକାରଙ୍କ ସହଯୋଗ ହେଲେ ଏହି ବ୍ୟବସାୟକୁ ବୃହତ କରି ଜିଲ୍ଲାର କୋଣ ଅନୁକୋଣରେ ମେଣ୍ଢା ପହଞ୍ଚାଇବେ ବୋଲି ଲକ୍ଷ୍ୟ ରଖିଛନ୍ତି। ସଦସ୍ୟା ମାନେ ପ୍ରାୟତଃ ଅଶିକ୍ଷିତ ହୋଇଥିବା ବେଳେ ସେମାନଙ୍କୁ ତାଲିମ ପ୍ରଦାନ କରାଗଲେ ଏହି ବ୍ୟବସାୟକୁ ସେମାନେ ଆହୁରି କିପରି ବୃଦ୍ଧି କରି ପାରିବେ ଜାଣି ପାରନ୍ତେ ବୋଲି କହିଥିଲେ। ଆଜିର ଡିଜିଟାଲ ଯୁଗ ସହ ଏହି ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ତାଳ ମିଳାଇ ଚାଲି ପାରୁନଥିବାରୁ ବ୍ୟବସାୟକୁ ଆଗକୁ ନେବାରେ କଷ୍ଟ ହେଉଛି। ତେଣୁ ଉଚିତ ତାଲିମ, ପଶୁଙ୍କୁ ଡାକ୍ତରୀ ସେବା, ମେଣ୍ଢାଙ୍କ ପାଇଁ ରହିବା ଘର ଇତ୍ୟାଦି ହେଲେ ବ୍ୟବସାୟ ଆହୁରି ବଢିଥାନ୍ତା ବୋଲି ଏମାନେ କହନ୍ତି। ବର୍ଷକୁ ୫ ଲକ୍ଷରୁ ୫୦ ଲକ୍ଷ ପର୍ଯ୍ୟନ୍ତ ବ୍ୟବସାୟ ବଢାଇବାକୁ ଏହି ଗୋଷ୍ଠୀ ଏବେ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି। ସରକାରଙ୍କ ସହଯୋଗ ହେଲେ ଏହା ଖୁବଶୀଘ୍ର ସମ୍ଭବ ହୋଇପାରିବ ବୋଲି ଏମାନେ କହନ୍ତି।