ଲକ୍ଷ୍ମୀପୁର: ଶବ ସତ୍କାର କରିବା ପାଇଁ ଶ୍ମଶାନ ଯିବାକୁ ବାଟ ଓଗାଳୁଛି ପାହାଡ଼ିଆ ନଦୀ। ଏଭଳି ଏକ ଦୃଶ୍ୟ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଭିତରଗଡ଼ ପଞ୍ଚାୟତର ଚାରଡ଼ା ଗାଁରେ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟାରେ ଏହି ଗାଁର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ହେଲେ ଲଗାଣ ବର୍ଷା ଶବ ସତ୍କାରରେ ବାଧା ସୃଷ୍ଟି କରିଥିଲା। ଗାଁ ପାଖ ଦେଇ ବହି ଯାଇଥିବା ନଦୀ ଆରପଟରେ ଥିବା ଶ୍ବଶାନକୁ ଶବ ନେବା ପାଇଁ ପରିବାର ଲୋକେ ଅଣ୍ଟା ଭିଡ଼ିଥିଲେ। ଶେଷରେ ଜୀବନକୁ ପାଣି ଛଡ଼ାଇ ଭରା ନଦୀ ଭିତରକୁ ଶବ କାନ୍ଧେଇ ହାତକୁ ହାତ ଧରା ଧରି ହୋଇ ପାଣି ଭିତରେ ପଶି ଶ୍ମଶାନକୁ ଯାଇ ଶବ ସତ୍କାର କରି ଫେରିଥିଲେ ସମ୍ପର୍କୀୟ। ଏଭଳି ଦୃଶ୍ୟ ଜିଏ ଦେଖୁଥିଲା ସିଏ ଆଶ୍ଚର୍ଯ୍ୟ ପ୍ରକଟ କରୁଥିଲା। ଉକ୍ତ ନଦୀ ଚାରଡ଼ା ଗ୍ରାମର ଦୁଃଖ ପାଲଟିଥିବା ବେଳେ ବର୍ଷା ଦିନ ଆଶିଲେ ସେମାନଙ୍କ ଚିନ୍ତା ଦୁଇ ଗୁଣିତ ହେଇ ଜାଉଛି। ବର୍ଷ ତମାମ ଯାହା ଯେମିତି ଚଳି ଯାଆନ୍ତି ଗ୍ରାମବାସୀ । ବର୍ଷା ଦିନରେ ନଦୀ ଆରପଟେ ଥିବା ଚାଷ ଜମିକୁ ଯିବା ପାଇଁ ଭରା ନଦୀ ଭିତରେ ପଶିକି ଯାଆନ୍ତି।
ଏନେଇ ବାରମ୍ବାର ପ୍ରଶାସନ ପାଖେ ଲୋକେ ଅଭିଯୋଗ କରି ଆସୁଥିଲେ ସୁଧା ଏଯାଏଁ ନଦୀ ଉପରେ ପୋଲ ଖଣ୍ଡେ ହେଇ ପାରିଲା ନାହିଁ। ନଦୀ ଆରପଟେ ଗ୍ରାମବାସୀଙ୍କ ଚାଷ ଜମି ସମେତ ଶ୍ମଶାନଟିଏ ରହିଛି। ଗ୍ରାମରେ କାହାର ମୃତ୍ୟୁ ହେଲେ ଏହିଭଳି ପାଣିରେ ପଶିକି ଯିବାକୁ ହୁଏ ବୋଲି ଗ୍ରାମବାସୀ କହିଛନ୍ତି। ତେଣୁ ଏଥିପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ଏକ ପୋଲ ନିର୍ମାଣ କରିବାକୁ ସାଧାରଣରେ ଦାବି ହୋଇଛି। ଲକ୍ଷ୍ମୀପୁର ବ୍ଲକର କେବଳ ଚାରଡ଼ା ନୁହଁ ବରଂ ବ୍ଲକର ଆହୁରି ଅନେକ ଗାଁ ମଶାଣିକୁ ରାସ୍ତା ନଥିବା ଜଣାପଡିଛି। ପ୍ରଶାସନ ତରଫରୁ ଶ୍ମଶାନରେ ଅନେକ କାର୍ଯ୍ୟ କରାଯାଉଥିଲେ ସୁଦ୍ଧା ଅନେକ ଗାଁରେ ଶ୍ମଶାନକୁ ଯିବାକୁ ଜମି ନଥିବା। ଏପରିକି କିଛି ବ୍ୟକ୍ତି ଜମି ଛାଡୁ ନଥିବା କାରଣରୁ ରାସ୍ତା ହୋଇ ପାରୁ ନଥିବା ଜଣାପଡ଼ିଛି।
Advertisment