କରୋନା ଲାଗି ଭଦ୍ରକ ମେଡିକାଲକୁ ରୋଗୀଙ୍କ ଡର, ଭଦ୍ରକ ସାଳନ୍ଦୀ କୋଭିଡ୍ ହସପିଟାଲ ମିଛରେ ଗଣୁଛନ୍ତି ଟଙ୍କା

ଭଦ୍ରକ: ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏମାନଙ୍କ ମଧ୍ୟରୁ କିଛି ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟର ଆଇସୋଲେସନ ୱାର୍ଡରୁ ଚିହ୍ନଟ କରାଯାଇଥିବାରୁ ଏହାକୁ ନେଇ ସାଧାରଣ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ମନରେ ଡର ସଂଚାର ହୋଇଛି। କେବଳ ରୋଗୀ ନୁହେଁ ମେଡିକାଲରେ କାମ କରୁଥିବା ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କ ମନରେ ମଧ୍ୟ ଡର ପଶିଲାଣି। କରୋନାର ଭୟ ଏବେ ସାରା ଜିଲ୍ଲାକୁ କବଳିତ କଲାଣି। କାଳେ ଭଦ୍ରକ ମେଡିକାଲରେ ଅନ୍ୟ କାହାକୁ କରୋନା ବ୍ୟାପୀଥିବ, ଏଭଳି କଥା ଭାବି ଲୋକେ ଆତଙ୍କିତ ହୋଇ ପଡିଲେଣି। ସହରବାସୀ ବି ଆଉ ଭଦ୍ରକ ମେଡିକାଲ ଆଡେ ଯାଉ ନାହାନ୍ତି। କାଳେ କରୋନା ବ୍ୟାପୀବ, ଏମିତି ଚିନ୍ତା ଏଇ କିଛି ଦିନ ହେଲା ଭଦ୍ରକ ସହରବାସୀଙ୍କୁ ଘାରିଛି।

ମିଳିଥିବା ସୂଚନାରୁ ପ୍ରକାଶ ଯେ, ସରକାରଙ୍କ ତଥ୍ୟ ଅନୁଯାୟୀ ଗତ କିଛିଦିନ ହେଲା ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖୋଲାଯାଇଥିବା ଆଇସୋଲେସନ ୱାର୍ଡରୁ କରୋନା ପଜେଟିଭ୍ ଚିହ୍ନଟ ହେବା ଘଟଣା ପଦାକୁ ଆସିଛି। ପ୍ରଥମେ ଜଣେ, ତାପରେ ତିନି ଜଣ ଓ ପରବର୍ତ୍ତୀ ବର୍ଯ୍ୟାୟରେ ଜଣେ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ଏସବୁକୁ ମିଶାଇ ଜିଲ୍ଲା ମୁଖ୍ୟ ଚିକତ୍ସାଳୟର ଆଇସୁଲେସନ ୱାର୍ଡରୁ ମୋଟ ୫ ଜଣ ରୋଗୀଙ୍କ ସ୍ବାବ ଟେଷ୍ଟ ରିପୋର୍ଟରୁ କରୋନା ପଜେଟିଭ୍ ବାହାରିଛି। ଏମାନଙ୍କୁ ସ୍ବାବ ଟେଷ୍ଟ ରିପୋର୍ଟ ଆସିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇସୁଲେସନ୍ ୱାର୍ଡରୁ ଏଇ ରୋଗୀମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ କଟକ କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଭଦ୍ରକ ଜିଲ୍ଲାରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ଭଦ୍ରକର ମୋଟେଲଛକ ନିକଟରେ ଥିବା ଘରୋଇ ସାଳନ୍ଦୀ ହସପିଟାଲକୁ କୋଭିଡ୍ ହସପିଟାଲ ଭାବେ ଘୋଷଣା କଲେ। ଏଠାରେ ସବୁ ପ୍ରକାର ଚିକିତ୍ସା ସୁବିଧା କରୋନା ରୋଗୀଙ୍କ ପାଇଁ ଯୋଗାଇ ଦେବାକୁ ରାଜ୍ୟ ସରକାର ଘୋଷଣା କଲେ। ଡାକ୍ତର ନିଯୁକ୍ତି ଦେଲେ, ନର୍ସ ନିଯୁକ୍ତି ଦେଲେ। କିନ୍ତୁ ଏଇ କୋଭିଡ୍ ହସପିଟାଲକୁ କୌଣସି ରୋଗୀ ନଆସିବା ପଛରେ କାରଣ କଣ ହୋଇପାରେ।

ତେବେ ରାଜ୍ୟ ସରକାର ଭଦ୍ରକରେ ଯେଉଁ ସାଳନ୍ଦୀ କୋଭିଡ୍ ହସିପିଟାଲ ଖୋଲିଲେ ଏହା ପଛରେ ରହସ୍ୟ କଣ ହୋଇପାରେ। ଏଇ ହସପିଟାଲକୁ କେହି ରୋଗୀ ନଆସି କେବଳ କୋଭିଡ୍ ହସିପିଟାଲ ଖୋଲି ସରକାରୀ ଅର୍ଥକୁ ତୋଷରପାତ କରିବାକୁ କଣ ଯୋଜନା କରାଗଲା କି ବୋଲି ଭଦ୍ରକ ଜିଲ୍ଲାବାସୀ ପ୍ରଶ୍ନ କରିଛନ୍ତି। ଭଦ୍ରକରେ କୋଭିଡ ହସିପିଟାଲ ଖୋଲିବା ପରେ ଏଠାରେ ବି ସ୍ବାବ ଟେଷ୍ଟ ପାଇଁ ବ୍ୟବସ୍ଥା କରାଯାଇ ପାରିଲା ନାହିଁ। ଏହା କେବଳ ରାଜ୍ୟ ସରକାରଙ୍କର ଏକ ପ୍ରସହନ ଛଡା ଆଉ କିଛି ନୁହେଁ।

ଭଦ୍ରକ ମେଡିକାଲ କଲେଜ ପ୍ରତିଷ୍ଠା କାରିବା ଆଳରେ ଯେଭଳି ରାଜ୍ୟ ସରକାର ଭଦ୍ରକବାସୀଙ୍କୁ ଭୁଆଁ ବୁଲାଇ ଦେଲେ। ୫୦୦ ବେଡ୍ ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କମାଇ ଦେଇ ୩ ଶହ ବେଡର ଜିଲ୍ଲା ହସିପିଟାଲ କରି ନବୀନ ସରକାର ଭଦ୍ରକ ବାସୀଙ୍କୁ ଭଣ୍ଡାଇଦେଲେ। ସେମିତି ପୁଣି ଏବେ ରାଜ୍ୟ ସରକାର ପୁଣି କୋଭିଡ୍ ହସପିଟାଲ ଖୋଲି ରାଜ୍ୟ ତହବିଲରକୁ ଟଙ୍କା ତୋଷରପାତ କରି ଲୋକଙ୍କୁ ସେବା ନଯୋଗାଇବା ଘଟଣା ଭଦ୍ରକବାସୀଙ୍କୁ ବେଶ୍ ବାଧିଛି।

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଲଗାତର ତୃତୀୟବାର ପାଇଁ କରୋନା ପଜେଟିଭ୍ ଆଇସୁଲେସନ ୱାର୍ଡରୁ ବହାରୁଥିବାରୁ ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି। କୋଭିଡ ହସପିଟାଲରେ ଏଇ ସେବା ନଯୋଗାଇ ଭଦ୍ରକ ମେଡିକାଲରେ ଅନ୍ୟ ରୋଗୀଙ୍କ ସହ କାହିଁକି ସରକାର ଖେଳ ଖେଳୁଛନ୍ତି। ପ୍ରକାଶ ଥାଉକି ଭଦ୍ରକ ଜିଲ୍ଲା ଏକ ଜନଗହଳିପୂର୍ଣ୍ଣ ଜିଲ୍ଲା ହୋଇଥିବା ବେଳେ ଏଇ ଜିଲ୍ଲା ଉପରେ ବାଲେଶ୍ବର, କନ୍ଦେୁଝର, ଯାଜପୁର, କେନ୍ଦ୍ରାପଡା ଜିଲ୍ଲାର ଅନେକ ଲୋକ ସ୍ବାସ୍ଥ୍ୟ ସେବା ପାଇଁ ନିର୍ଭର କରିଥାନ୍ତି। ଏଇ ୫ ଜିଲ୍ଲାର ପାଖାପାଖି ୩୦ ଲକ୍ଷ ଲୋକ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ବେଳେ ପ୍ରତିଦିନ ପ୍ରାୟ ଦେଢ ହଜାରରୁ ଦୁଇ ହାଜର ରୋଗୀ ସ୍ବାସ୍ଥ୍ୟ ସେବା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ଆସିଥାନ୍ତି। ଏବେ ଏଇ ସଂଖ୍ୟା ପ୍ରାୟ ୫୦ ପ୍ରତିଶତ କମିଯାଇଛି। ଦୈନିକ ଆସୁଥିବା ରୋଗୀ ସଂଖ୍ୟା କମିବା ପଛରେ କରୋନା ଡାର କାଳେ ମୁଖ୍ୟ କାରଣ ହୋଇଛି। ଲୋକେ ଆଉ ଡରରେ ଭଦ୍ରକ ମେଡିକାଲକୁ ଆସୁନାହାନ୍ତି। ସାଧାରଣ ତଥା ଗରିବ ଶ୍ରେଣୀର ରୋଗୀମାନେ ସେମାନେ ବଡ ବଡ ନର୍ସିଂ ହୋମକୁ ନଯାଇ ଭଦ୍ରକ ମେଡିକାଲକୁ ଆସିଥାନ୍ତି।

ମାତ୍ର ଏବେ ଏଇ ଗରିବ ରୋଗୀମାନେ ମଧ୍ୟ ଏଠାକୁ ଡରି ଆସୁ ନାହାନ୍ତି। ଏମାନେ ବାଧ୍ୟ ହୋଇ ଘରୋଇ ନର୍ସିଂହୋମ୍ ଆଡକୁ ମୁହାଁଉଥିବା ଦେଖା ଯାଉଛି। ଭଦ୍ରକ ଜିଲ୍ଲାରେ ସ୍ବାସ୍ଥ୍ୟ ସେବା କ୍ଷେତରେ ଏଭଳି ଅଚଳାବସ୍ଥାକୁ ନେଇ ଏବେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନନେଲେ ଆଗାମୀ ଦିନରେ ପରିସ୍ଥିତି ଆହୁରି ଭୟଙ୍କର ହେବା ସହ ଭଦ୍ରକ ସହର ଓ ଜିଲ୍ଲାରେ କରୋନା ଗୋଷ୍ଠୀ ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଆଜି ସୁଦ୍ଧା ଜିଲ୍ଲାରେ କରୋନା ପଜେଟିଭ୍ ସଂଖ୍ୟା ୧୭୭ରେ ପହଞ୍ଚିଥିବା ବେଳେ ଏମାନଙ୍କ ମଧ୍ୟରୁ ୧୪୬ ଜଣ ସୁସ୍ଥ ହୋଇଥିବା ବେଳେ ୩୧ ଜଣ ଆକ୍ଟିଭ ରହିଛନ୍ତି। ଜିଲ୍ଲାରେ ଏତେ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହାକୁ ନେଇ ଲୋକେ ଭୟଭୀତ ହୋଇପଡିଛନ୍ତି।

ସମ୍ବନ୍ଧିତ ଖବର