ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟକରି ଓଡ଼ିଆଙ୍କୁ ବିଦେଶରୁ ସଚେତନ କଲେ ଗଞ୍ଜାମର ଯୁବକ

ବ୍ରହ୍ମପୁର (ପ୍ରଦୀପ କିଶୋର ସାହୁ): ଭୟର ଏକ ନୂଆ ନାଁ କରୋନା। ଟିକିଏ କାଶ କି ଛିଙ୍କ ଶବ୍ଦରେ ଚମକି ପଡ଼ୁଛି ମଣିଷ। କରୋନା ଭୟରେ ସନ୍ତୁଳି ହେଉଛି ସାରା ମାନବ ସମାଜ। ସମଗ୍ର ବିଶ୍ବ ଅଟକିଯାଇଛି। ଏ ଘଡ଼ିସନ୍ଧି ମୁହୂର୍ତ୍ତରେ ସଚେତନତାର ବାର୍ତ୍ତା ପ୍ରଚାର କରିବାରେ ପ୍ରବାସୀ ଭାରତୀୟ ଓ ପ୍ରବାସୀ ଓଡ଼ିଆ ବି ପଛରେ ପଡ଼ିନାହାନ୍ତି। ଜର୍ମାନୀ, ଆମେରିକା, କାନାଡ଼ା ଆଦି ଦେଶରେ ଚାକିରି କରୁଥିବା ଗଞ୍ଜାମର ଯୁବକମାନେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭିଡ଼ିଓ ପୋଷ୍ଟ କରି ଓଡ଼ିଶାର ଜନସାଧାରଣଙ୍କୁ ସଚେତନ କରୁଛନ୍ତି।

ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ତି ମୂଳ ବାସିନ୍ଦା ତଥା ବ୍ରହ୍ମପୁର ଖାରବେଳନଗରର ସମୀର କୁମାର ଦଳେଇ କାନାଡ଼ାର କାଲ୍‌ଗିରି‌ ସହରରେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଛନ୍ତି। ସେଠାରୁ ସେ ସାମାଜିକ ଗଣମାଧ୍ୟମରେ ଭିଡ଼ିଓ ପୋଷ୍ଟ କରି କାନାଡ଼ାରେ କରୋନା ସ୍ଥିତି ଉପରେ ଜଣାଇଛନ୍ତି। ଗଞ୍ଜାମ ଏବ˚ ଓଡ଼ିଶାବାସୀ ସଚେତନ ହୋଇ ସ୍ଥାନୀୟ ସରକାର ଜାରି କରିଥିବା ନିୟମାବଳୀ ମାନିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, କରୋନା ଭୂତାଣୁ ସ˚କ୍ରମଣରୁ କାଲ୍‌ଗିରି ବାଦ୍‌ ପଡ଼ିନି। ତିନି ସପ୍ତାହ ତଳେ ଜଣେ ବ୍ୟକ୍ତି କରୋନା ସ˚କ୍ରମିତ ଥିଲେ, ଏବେ ସ˚ଖ୍ୟା ଶହେ ଟପିଲାଣି। ଦୋକାନ, ବଜାର ଓ ସମସ୍ତ ଶିଳ୍ପ ବନ୍ଦ। ଦୁଇ ସପ୍ତାହ ହେଲା ସମସ୍ତ ବିଦ୍ୟାଳୟ ବନ୍ଦ। ସେଠାରେ କର୍ଫ୍ୟୁ ନାହିଁ, ତଥାପି ଲୋକେ ବାହାରୁ ନାହାନ୍ତି। ସମସ୍ତ ପାର୍ଟି ବନ୍ଦ ହୋଇଯାଇଛି। କରୋନା ସଂକଟର ସାମ୍ନା କରିବାକୁ ଏଠିକାର ଲୋକେ ବହୁତ ସଚେତନ ରହି ମଧ୍ୟ ସ୍ଥିତି ଏଭଳି ହୋଇଛି। କୋରନା ଚେନ୍‌କୁ ଭାଙ୍ଗିବା ଲାଗି କାଲ୍‌ଗିରିବାସୀ ସମସ୍ତ ଉଦ୍ୟମ ଜାରି ରଖିଛନ୍ତି। ତେଣୁ ଓଡ଼ିଶାବାସୀଙ୍କୁ ସମୀର ଅନୁରୋଧ କରିଛନ୍ତି, ଘରୁ କେହି ବାହାରନ୍ତୁ ନାହିଁ। ନିୟମିତ ବ୍ୟବଧାନରେ ହାତ ଧୁଅନ୍ତୁ। ସରକାରଙ୍କ ନିୟମକୁ ମାନନ୍ତୁ।

ସେହିପରି ଚିକିଟି ବ୍ଲକ ମାଧବନ୍ଧ ଗ୍ରାମର ଦେବବ୍ରତ ରାଉତ ୟୁଏସ୍‌ଏରେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ପରିବାର କାନାଡ଼ାରେ ଅବସ୍ଥାନ କରୁଛନ୍ତି। କିନ୍ତୁ ତାଙ୍କ ବାପାମାଆ ମାଧବନ୍ଧରେ ରହୁଛନ୍ତି। କାନାଡ଼ାରୁ ଭିଡ଼ିଓ ପୋଷ୍ଟ କରି ସେ କହିଛନ୍ତି, ‘ମୁଁ ପ୍ରତ୍ୟହ କାଲ୍‌ଗିରିରୁ ୟୁଏସ୍‌ଏ ଯିବା ଆସିବା କରୁଥଲି। କରୋନା ସଂକ୍ରମଣ ଦୃଷ୍ଟିରୁ ୟୁଏସ୍‌ଏ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିବା ପରେ ସବୁ କମ୍ପାନୀ ବନ୍ଦ ରହିଛି। ଦୋକାନ ବଜାର ସବୁ କିଛି ବନ୍ଦ। ଆଉ ଏବେ ଅଫିସ ନ ଯାଇ କାନାଡ଼ାରେ ରହୁଛି।

କରୋନାକୁ ନେଇ ଆମେ ବହୁ ସତର୍କତା ଅବଲମ୍ବନ କରୁଛୁ। ଏଠିକାର ଲୋକେ ଖୁବ୍‌ ସଚେତନ ଅଛନ୍ତି। ତେଜରାତି ଦୋକାନ ସକାଳ ୭ଟା ଠାରୁ ୯ ଯାଏ ଖୋଲୁଛି। ସବୁ ଲୋକ ସାମାଜିକ ଦ୍ବରତ୍ବ ଅବଲମ୍ବନ କରୁଛନ୍ତି। ୟୁଏସ୍‌ଏରେ ମଧ୍ୟ ସମାନ ସ୍ଥିତି। ସେହିପରି କାନାଡ଼ାରେ ରହୁଥିବା ଦେବବ୍ରତଙ୍କ ପୁଅ ରିୟାନ୍‌ ରାଉତ ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ପୋଷ୍ଟ କରି କହିଛନ୍ତି, କରୋନାକୁ ନେଇ ମୁଁ ସଚେତନ ଅଛି। ନିୟମିତ ବ୍ୟବଧାନରେ ହାତ ସଫା କରୁଛି। ସବୁ ବେଳେ ମାସ୍କ ପିନ୍ଧୁଛି। ବାହାରକୁ ବାହାରୁ ନାହିଁ। କିନ୍ତୁ ମୋ ସ୍କୁଲ ଛୁଟି ଥିବାରୁ ଭଲ ଲାଗୁନି। ସାଙ୍ଗସାଥୀଙ୍କ ସହ ମିଶି ପାରୁନି। ଖେଳାଖେଳି ସବୁ ବନ୍ଦ। ଓଡ଼ିଶାବାସୀଙ୍କୁ ମୁଁ ଅନୁରୋଧ କରିବି, ସେମାନେ ହାତ ଧୁଅନ୍ତୁ। ଜ୍ବର, କାଶ ହେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ କରନ୍ତୁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ସାମାଜିକ ଦ୍ବରତ୍ବ ଅବଲମ୍ବନ କରିବା ଲାଗି ସେ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ କାନାଡ଼ା ଆଲବର୍ଟାସ୍ଥିତ ଓଡ଼ିଆ ସାମାଜିକ ଓ ସାସ୍କୃତିକ ସ˚ଗଠନ(ଓସାକା)ର ସଭାପତି ସୁନୀଲ ଦାସ, ସଦସ୍ୟ ଭାଗବତ ପଟ୍ଟନାୟକ, ପ୍ରଦୀପ ମିଶ୍ର, ମୁକେଶ ମିଶ୍ର, ସୁହେଲ ମିଶ୍ର, ଜ୍ଞାନ ପାଢୀ, ସୁନେନା ସାମଲ ଓ ଶିଳ୍ପା ସାମଲ ପ୍ରମୁଖ ଓଡିଶା ବାସୀଙ୍କୁ କରୋନା ପାଇଁ ସତର୍କତା ଅବଲମ୍ବନ କରିବା ଲାଗି ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର