ସ୍ବାଭିମାନ ଅଂଚଳରେ ଆଦିବାସୀଙ୍କ ଅଜବ ବିଶ୍ବାସ! ‘ତୋପେଙ୍ଗା’ ବା ‘କାଇ’ ଖାଇଲେ କରୋନା ହେବ ନାହିଁ

ମାଲକାନଗିରି: ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଅଜବ ବିଶ୍ବାସ ରହିଛି। ଏଠାରେ ବିଭିନ୍ନ ଆଦିବାସୀ ସଂପ୍ରୟାର ଲୋକେ ବସବାସ କରୁଛନ୍ତି। ଆଦିମ ଜନଜାତି ବଣ୍ଡା, ଡିଡାଇ, କୋୟା ଭଳି ଆଦିବାସୀ ସଂପ୍ରଦାୟରେ ରହିଛି ବଂଚିବାର ଭିନ୍ନ ଏକ ଶୈଳୀ। ନିଜର ପାରଂପାରିକ ସଂସ୍କୃତିକୁ ଜାବୁଡି ଧରି ଏମାନେ ବଂଚି ରହିଛନ୍ତି। ପର୍ବପର୍ବଣୀ ହେଉ ବା କୌଣସି ସଂକ୍ରାମକ ରୋଗ ହେଉ ଏମାନଙ୍କ ପାଖରେ ରହିଛି ଜଂଗଲି ଔଷଧ। ତେଣୁ ଏମାନେ ଏହାକୁ ହିଁ ସେବନ କରି ନିଜର ରୋଗକୁ ଭଲ କରିଥାନ୍ତି।

ଏବେ ସାରା ଦେଶରେ କରୋନାକୁ ନେଇ ଏକ ପ୍ରକାର ଲଢ଼େଇ ଚାଲିଥିବା ବେଳେ ଲୋକଙ୍କୁ ସରକାର ଏବଂ ପ୍ରଶାସନ ତରଫରୁ ଏହି ରୋଗରୁ ମୁକ୍ତ ପାଇବା ପାଇଁ ସଚେତନ କରାଯାଉଛି। ଲୋକେ ସଚେତନ ହେଲେ ହିଁ ଏହି ରୋଗରୁ ମୁକ୍ତି ପାଇପାରିବେ ବୋଲି କୁହାଯାଇଛି। ତେବେ ସରକାର ଏହାର ପ୍ରତିକାର ପାଇଁ ଭେକସିନ ପ୍ରସ୍ତୁତ କରି ଲୋକଙ୍କୁ ପ୍ରଦାନ କରୁଛନ୍ତି। ତେବେ ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳରେ ରହୁଥିବା ଆଦିବାସୀ ମାନେ କିନ୍ତୁ କରୋନାକୁ ଦୂର କରିବାକୁ ହେଲେ ଏବଂ କରୋନାକୁ ହରାଇବାକୁ ହେଲେ ‘ତୋପେଙ୍ଗ’ ଖାଇବାକୁ ପରାମର୍ଶ ଦେଉଛନ୍ତି। ତୋପେଙ୍ଗ ଅର୍ଥ ହେଲା ଲାଲ ପିମ୍ପୁଡି। ତୋପେଙ୍ଗ ହେଉଛି ଆଦିବାସୀ ଭାଷା। କିନ୍ତୁ ଓଡିଆମାନେ ରଙ୍ଗ ପିମ୍ପୁଡିକୁ ‘କାଇ’ ବୋଲି ମଧ୍ୟ କହିଥାନ୍ତି। ଗ୍ରୀଷ୍ମ ଋତୁ ଆରମ୍ଭ ବେଳକୁ ଜଂଗଲରେ ରହିଥିବା ବିଭିନ୍ନ ବୁଦାଳିଆ ଗଛ ଗୁଡିକରେ ରଙ୍ଗ ପିମ୍ପୁଡି ମାନେ ବସା ବାନ୍ଧି ଅଣ୍ଡା ଦେଇଥାନ୍ତି। ଗଛର ପତ୍ର ଗୁଡିକକୁ ଏକତ୍ର କରି ରଂଗ ପିମ୍ପୁଡି ସେଥିରେ ଦଳ ଦଳ ହୋଇ ଦେଇଥାନ୍ତି। ଯାହାକୁ ଆଦିବାସୀମାନେ ନିଜର ଔଷଧ ରୂପେ ସେବନ କରିଥାନ୍ତି।

Sambad

ଜଂଗଲରେ ବୁଲି ବୁଲି ପିଲା ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଏହି ରଂଗ ପିମ୍ପୁଡି ବା ତୋପେଙ୍ଗକୁ ସଂଗ୍ରହ କରି ଘରକୁ ଆଣି ତାକୁ ସୁସ୍ବାଦ ତରକାରି ପ୍ରସ୍ତୁତ କରିଥାନ୍ତି। ଯାହାକୁ ପରିବାର ଲୋକେ ଖୁସିରେ ଖାଇଥାନ୍ତି। ଗ୍ରୀଷ୍ମ ଋତୁରେ ପ୍ରାୟ ସମସ୍ତ ଆଦିବାସୀ ପରିବାରରେ ତୋପେଙ୍ଗର ତରକାରି ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳେ। ଏହା ସହରରେ ମଧ୍ୟ ବିକ୍ରି ହେଉଥିବା ଦେଖିବାକୁ ମିଳେ। ପତ୍ରକୁ ଦୋନା ବା ଗିନା ଭଳି ପ୍ରସ୍ତୁତ କରି ସେଥିରେ ତୋପେଙ୍ଗ ବା ରଂଗ ପିମ୍ପୁଡିକୁ ରଖି ବଜାରରେ ବିକ୍ରି କରିଥାନ୍ତି। ଗୋଟିଏ ଦୋନାକୁ କୋଡିଏ ଟଂକାରେ ବିକ୍ରି କରୁଥିବା ଦେଖିବାକୁ ମିଳେ। ଆଦିବାସୀଙ୍କ ବିଶ୍ବାସ ରହିଛି ଯେ ତୋପେଙ୍ଗ ଖାଇଲେ ଥଣ୍ଡା ଜ୍ବରରୁ ମୁକ୍ତି ମିଳିଥାଏ। ଯେ କୌଣସି ଥଣ୍ଡା ରୋଗ ତୋପେଙ୍ଗ ଦ୍ବାରା ଭଲ ହୋଇଥାଏ।

ଏବେ ଧିରେ ଧିରେ ଆଦିବାସୀଙ୍କୁ ଛାଡିଦେଲେ ଅନ୍ୟ ସାଧାରଣ ଲୋକମାନେ ମଧ୍ୟ ତୋପେଙ୍ଗ ଖରିଦ କରି ନେଇ ଖାଉଥିବା ଲକ୍ଷ୍ୟ କରାଯାଇଛି। ଆଦିବାସୀ ସଂପ୍ରଦାୟର ଲୋକେ ଏହାକୁ ସଂଗ୍ରହ କରି ନିଜେ ଖାଇବା ସହ ବଜାରରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଥିବା ଦେଖିବାକୁ ମିଳେ। ତେବେ ତୋପେଙ୍ଗକୁ କରୋନା ସହ ଜଡିବା କେତେ ଦୁର ଯୁକ୍ତିଯୁକ୍ତ ତାହା ତଦନ୍ତ ପରେ ହିଁ କୁହା ଯାଇପାରିବ।ତେବେ ସ୍ବାଭିମାନ ଅଂଚଳର ଆଦିବାସୀମାନେ କିନ୍ତୁ ଏହା ଦ୍ବାରା ହିଁ କରୋନାକୁ ହରାଇ ହେବ ବୋଲି ଯୁକ୍ତି ବାଢିଛନ୍ତି।

ସମ୍ବନ୍ଧିତ ଖବର