ଫାଇଲିନ୍‌ର ୮ ବର୍ଷ ପୂର୍ତ୍ତି: ଶୁଖିନି ତିତିଲି ଛୁଆଁ, ଦୁର୍ଗାପୂଜା ଆସିଲେ ମନେପଡେ ପ୍ରଳୟର କାଳରାତ୍ରି

ଭଞ୍ଜନଗର: ଦୁର୍ଗାପୂଜା ଆସିଲେ ମନେ ପଡିଯାଏ ବାତ୍ୟା ଓ ବନ୍ୟାର ବିଭିଷିକା। ଅନେକ ବାର ଅକ୍ଟୋବର ମାସରେ ହିଁ ପ୍ରଳୟକୁ ସାମ୍ନା କରିଛନ୍ତି ଜିଲ୍ଲାବାସୀ। ସେ ଫାଇଲିନ୍‌ ହେଉ ଅବା ତିତିଲି ବାତ୍ୟା ପରବର୍ତ୍ତି ବନ୍ୟା ଓ ସେଥିରେ ଜୀବନ ଦୁର୍ବିସହ ଆଜି ମଧ୍ୟ ଲୋକଙ୍କ ମନରେ ସତେଜ ହୋଇ ରହିଛି। ମାସମାସ ଧରି ପାଣି ଘେରରେ ରହିବା ସହ ବନ୍ୟାର କରାଳ ଗର୍ଭରେ ଭାତ ହାଣ୍ଡି ଚାଲିଯିବାର କଷ୍ଟ ମନେ ପଡିଲେ ସ୍ବତ୍ତଃପୂର୍ବ ଆଖିରୁ ଲୁହ ଧାର ବହି ଆସୁଛି। ଯେଉଁଠି ସୁନାର ଫସଲ ଥିଲା ତାହା ଉଜୁଡି ଯାଇଛି। ହଳଦିଆ ଧାନ ‌କ୍ଷେତ ବଳରେ ଧଳା ରଙ୍ଗର କାଶତଣ୍ଡୀରେ ଭର୍ତ୍ତି ହୋଇ ରହିଛି। କେବଳ ରାସ୍ତାଟିକୁ ଛାଡି ଦେଲେ ଉଭୟ ପାର୍ଶ୍ବରେ ପାଞ୍ଚ ଛଅ ଫୁଟର କାଶତଣ୍ଡୀ ଗଛରେ ଭରି ରହିଛି। ‌ଫାଇଲିନ ପରବର୍ତ୍ତି ବନ୍ୟାରେ ବଡନଦୀରେ ଘାଇ ହୋଇଯିବାରୁ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଇଙ୍ଗିନାଠୀ, ରତଙ୍ଗ, ମନ୍ଦାର, ଉସ୍ତପଲ୍ଲୀ ଓ ସାରିଆପଲ୍ଲୀ ଏକର ଏକର ଚାଷ ଜମି ବାଲିଚର ହୋଇ ରହିଛି। ଫାଇଲିନ୍‌ ବାତ୍ୟାରେ ହୋଇଥିବା କ୍ଷୟକ୍ଷତିରୁ ଅଣ୍ଟା ସଳଖି ନଥିବା ବେଳେ ଗତ ୨୦୧୮ ତିତିଲି ବାତ୍ୟା ପରବର୍ତ୍ତି ବନ୍ୟାରେ ନଦୀରେ ପ୍ରବାହିତ ବନ୍ୟାଜଳ ସହର ଠାରୁ ଆରମ୍ଭ କରି ଗାଁକୁ ନିଜ ଆୟତ୍ତକୁ ନେଇଯାଇଥିଲା ଗତ ୮ ବର୍ଷ ପୂର୍ବେ ଅକ୍ଟୋବର ମାସରେ ହୋଇଥିଲା ଫାଇଲିନ। ଏହାର ପରବର୍ତ୍ତି ବାତ୍ୟା ଫଳରେ ସେହି ସମୟରେ ବଡନଦୀ ଓ ଲୋହରାଖଣ୍ଡୀ ନଦୀରେ ପ୍ରବଳ ପାଣି ଆସି ବେଲଗୁଣ୍ଠା ବ୍ଲକର ଏହି ୫ ଟି ଗାଁ ପ୍ରତି ଆଣିଥିଲା ବିପଦ। ବଡନଦୀ ଫୁଲିଯିବା ସହ ରତଙ୍ଗ ଗାଁ ନିକଟ ମହୁଲକଣିଆ ଠାରେ ବିରାଟ ବଡ ଘାଇ ସୃଷ୍ଟି ହୋଇଥିଲା। ବଡନଦୀର ପଠାରେ ପାଣି ବୋହିବା ପରିବର୍ତ୍ତେ ପାଣିର ସ୍ରୋତ ଗ‌ାଁ ଆଡକୁ ମାଡିଥିଲା। ଶହଶହ ଏକର ଚାଷ ଜମିରେ ବନ୍ୟା ଜଳ ଲହଡି ମାରିଥିଲା। ମାସାଧିକାଳ ଜଳବନ୍ଦୀ ହୋଇ ରହିଥିବା ଇଙ୍ଗିନାଠୀ ପଞ୍ଚାୟତବାସୀ ରିଲିଫ୍‌ ହିଁ ଏକମାତ୍ର ସାହାରା ପାଲଟିଥିଲା। ସେହି ସମୟରେ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବହୁ ରାଜନେତା ମାନଙ୍କ ସୁଅ ଛୁଟି ଥିଲା। ତତ୍କାଳୀନ ଜିଲ୍ଲାପାଳ ଏହି ପଞ୍ଚାୟତକୁ ପୋଷ୍ୟ ‌ପଞ୍ଚାୟତ ଘୋଷଣା କରିବା ସହ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ପ୍ରତିଶୃତି ଦେଇଥିଲେ।

କିନ୍ତୁ ଆଜିକୁ ୮ ବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କର ଘୋଷଣା ପାଣିର ଗାର ସଦୃଶ ପାଲଟି ରହିଛି। କିଛି ଚାଷ ଜମିରୁ ଚାଷୀ ମାନେ ନିଜସ୍ବ ଉଦ୍ୟମରେ ବାଲି ବାହାର କରିଥିବା ‌ବେଳେ ଆଜି ମଧ୍ୟ ପ୍ରାୟ ୬୦୦ ଭରଣ ଜମି ବାଲିଚର ହୋଇ ରହିଛି। ସେହି ସମୟରେ ପ୍ରଶାସନ ପକ୍ଷରୁ କିଛିଟା ସହାୟତା ମିଳିଲା କିନ୍ତୁ ଚାଷ ଜମି ପାଇଁ କେହିଁ ମଧ୍ୟ ଗୁରୁତ୍ବ ନ ଦେଇ ଭୁଲିଗଲେ। ବାଲିଚର ଜମିରେ ଫସଲ ଉତ୍ପାଦନ କରିବା ସମ୍ଭବପର ହୋଇପାରୁ ନାହିଁ। ଇଙ୍ଗିନାଠି ପଞ୍ଚାୟତ ପରିବା ହବ୍‌ ଭାବେ ପରିଚିତି ରହିଥିବା ବେଳେ ଧାନ, ମୁଗ, ବିରି, ପନିପରିବା ଚାଷ କରୁଥିବା ଚାଷୀ ପୂର୍ବ ଭଳି ଚାଷ କରିପାରୁ ନାହାଁନ୍ତି। ସେହିପରି ତିତିଲି ବାତ୍ୟାରେ ବିଶେଷ କ୍ଷୟକ୍ଷତି ହୋଇନଥିବା ବେଳେ ଏହା ପରବର୍ତ୍ତି ବର୍ଷା ବିପଦ ସାଜିଥିଲା। ନଦୀ ଉଛୁଳି ଘର ଭିତରେ ପଶିଥିଲା ପାଣି। ଆସିକା ଭଞ୍ଜନଗର ଭଳି ପ୍ରମୁଖ ସହର ପାଲଟିଥିଲା ଜଳବନ୍ଦୀ। ସ୍କୁଲ ଠାରୁ ଆରମ୍ଭ କରି ମନ୍ଦିର ବ୍ୟବସାୟିକ ପ୍ରତିଷ୍ଠାନ ସବୁଠି ବନ୍ୟାଜଳ ପ୍ରଭାହିତ ହେଉଥିବା ଦେଖିବାକୁ ମିଳିଥିଲା। ତିତିଲିର ତାଣ୍ଡବ ଲୀଳାରେ ବିଶେଷ ମାତ୍ରାରେ ପ୍ରଭାବିତ ହୋଇଥିଲା ସୋରଡ଼ା ବ୍ଳକ୍‌ ଗାଜଲବାଡି ପଞ୍ଚାୟତର ଭୂତପଙ୍କାଳ ଗ୍ରାମରେ। କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ଫଳରେ ଘାଟିରେ ମାଟି ଅତଡା ଖସି ବନ୍ୟାଜଳ ପ୍ରବାହିତ ହୋଇଥିଲା। ପ୍ରବଳ ପାଣି ଆସିବାରୁ ଘାଟିରେ ଥିବା ଅତାଙ୍ଗୀନାଳର ଗତି ପଥ ବଦଳି ଭୂତପଙ୍କଳା ଦେଇ ବନ୍ୟାଜଳ ପ୍ରଭାହିତ ହୋଇଥିଲା। ବନ୍ୟାଜଳର ପ୍ରଖର ସ୍ରୋତରେ ଏହି ଗ୍ରାମର ସମସ୍ତ ଘର ଦ୍ବାରକୁ ଭସାଇ ନେଇଥିଲା। ଏଥିସହ ସେହି ବନ୍ୟାଜଳରେ ଗ୍ରାମର ୬ ଜଣ ଗ୍ରାମବାସୀ ଭାସି ଯାଇଥିଲେ। ଏହାର କିଛିଦିନ ପରେ ଋ‌ଷିକୂଲ୍ୟା ନଦୀର ବିଭିନ୍ନ ସ୍ଥାନରୁ ୪ ଜଣଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ଅନ୍ୟ ଦୁଇଜଣଙ୍କ ପତ୍ତା ମିଳିପାରିଲା ନାହିଁ।

ସମ୍ବନ୍ଧିତ ଖବର