ରାୟଗଡ଼ା: ଗାନ୍ଧୀ ନଗର ପରେ ଆଜିଠୁ ରାୟଗଡ଼ା ମହାବିଦ୍ୟାଳୟରେ ଖୋଲିବାକୁ ଥିବା କୋଭିଡ଼ ପରୀକ୍ଷା କେନ୍ଦ୍ରକୁ ସ୍ଥାନୀୟ ଅଞ୍ଚଳବାସୀ ପୁଣି ବିରୋଧ କରିଛନ୍ତି। ଉତ୍ତ୍ୟକ୍ତ ଲୋକେ ମହାବିଦ୍ୟାଳୟ ଫାଟକରେ ତାଲା ପକାଇବା ସହ ପରୀକ୍ଷା କେନ୍ଦ୍ରକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି କରିଛନ୍ତି। ଫଳରେ ଲୋକଙ୍କ ଦାବି ଆଗରେ ପ୍ରଶାସନ ମୁଣ୍ଡ ନୁଆଁଇ ପୂର୍ବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହିଁ କୋଭିଡ଼ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ଼ ପରୀକ୍ଷା ପାଇଁ ଆସୁଥିବା ଲୋକଙ୍କ ଲାଗି କୌଣସି ସୁବିଧା ନଥିବାରୁ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ନିଷ୍ପତ୍ତିରେ ଗତ ଶୁକ୍ରବାରରୁ ସହରର ଗାନ୍ଧୀ ନଗର ଓ ଇନ୍ଦିରା ନଗର ସ୍କୁଲରେ କୋଭିଡ଼ ପରୀକ୍ଷଣ କେନ୍ଦ୍ର ଖୋଲିଥିଲା। ଇନ୍ଦିରା ନଗରରେ ପରୀକ୍ଷଣ କେନ୍ଦ୍ର ଚାଲିଥିବା ବେଳେ ଗାନ୍ଧୀ ନଗର କେନ୍ଦ୍ର ସ୍ଥାନାନ୍ତର ପାଇଁ ଲୋକେ ଦାବି କରିବା ପରେ ପ୍ରଶାସନ ରାୟଗଡ଼ା ମହାବିଦ୍ୟାଳୟରେ କୋଭିଡ଼ ପରୀକ୍ଷଣ କେନ୍ଦ୍ର କରିବାକୁ ନିଷ୍ପତ୍ତି ନେଇଥିଲା।
ନିଷ୍ପତ୍ତି ମୁତାବକ ସ୍ବାସ୍ଥ୍ୟ ବିଭାଗ ଟିମ୍ ଆଜି ସକାଳ ୮ଟାରେ ମହାବିଦ୍ୟାଳୟ ନିକଟରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରିବା ସହ ଫେରିଯିବାକୁ କହିଥିଲେ। ମହାବିଦ୍ୟାଳୟ ଆଖପାଖରେ ୧୦ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବାରୁ ଏଠାରେ କୋଭିଡ଼ ପରୀକ୍ଷଣ କେନ୍ଦ୍ର ହେଲେ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ସହର ଭିତରେ କୋଭିଡ଼ ପରୀକ୍ଷଣ କେନ୍ଦ୍ର କରିବା ଯଥାର୍ଥ ନୁହେଁ ବୋଲି ଲୋକମାନେ ଦାବି କରିଥିଲେ। ଖବର ପାଇ ରାୟଗଡ଼ା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ। କିନ୍ତୁ ଲୋକମାନେ ନିଜ ଜିଦରେ ଅଟଳ ରହିବା ସହ ମହାବିଦ୍ୟାଳୟ ଫାଟକରେ ପୋଷ୍ଟର ମାରି ଫାଟକରେ ତାଲା ପକାଇ ଦେଇଥିଲେ। ଫଳରେ ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଫେରି ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/RGD_College-Covid-Testing-Centre.jpg)