ଖୋର୍ଦ୍ଧା: ରାଜ୍ୟରେ କୃଷି, କୃଷି ସମ୍ପର୍କିତ ଉଦ୍ୟୋଗ, ମତ୍ସ୍ୟଚାଷ, ପଶୁପାଳନ, ଉଦ୍ୟାନ ଆଦି ସମ୍ପର୍କିତ ବ୍ୟବସାୟୀକ ଉଦ୍ୟୋଗର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାକୁ ୧୯୯୬ କାର୍ଯ୍ୟକାରୀ କରାଯାଇଛି। ରାଜ୍ୟରେ କୃଷି ଓ କୃଷି ସମ୍ପର୍କିତ ଉଦ୍ୟୋଗର ବିକାଶ ପାଇଁ କାର୍ଯ୍ୟକାରୀ ହୋଇଥିବା ସବୁଠାରୁ ପୁରୁଣା ଏହି ଯୋଜନା କିନ୍ତୁ ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାରେ ଲକ୍ଷ୍ୟ ପୁରଣ କରି ପାରୁନାହିଁ। ଏପରିକି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟି ଅନୁମୋଦନ କରିବା ପରେ ମଧ୍ୟ ବ୍ୟାଙ୍କ ଋଣ ଦେବାରେ ପଛଘୁଂଚା ଦେଉଛି, ଆଜି ମଙ୍ଗଳବାର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହିତାଧିକାରୀ- ବ୍ୟାଙ୍କ ଓ ଜିଲ୍ଲା ପ୍ରଶାସନର ତ୍ରିପାକ୍ଷିକ ବୈଠକରେ ଏନେଇ ଚିନ୍ତାବ୍ୟକ୍ତ କରାଯାଇଛି।
ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାରେ ଆପିକଲ୍ ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ସହ ଅନୁବନ୍ଧିତ ଥିବା ୧୭ଟି ବ୍ୟାଙ୍କର ପରିଚାଳକ, ଏହି ଯୋଜନାର ଆବେଦନ କରି ଜିଲ୍ଲାସ୍ତରୀୟ କମିଟିର ଅନୁମୋଦନ ପାଇ ମଧ୍ୟ ବ୍ୟାଙ୍କ ଦ୍ୱାରା ଋଣ ପାଇପାରିନଥିବା ୨୫ ଜଣ ହିତାଧିକାରୀ ଓ ଆପିକଲ୍ ସହ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଯୋଜନା ସମ୍ପର୍କରେ ପୁଂଖାନୁପୁଂଖ ଆଲୋଚନା ହୋଇଥିଲା। ବୈଠକ ସମ୍ପର୍କରେ ସୂଚନା ଦେଇ ଆପିକଲର ସଂଯୋଜକ ପ୍ରଦୀପ କୁମାର ସାହୁ କହିଛନ୍ତି ଯେ କୃଷି, କୃଷି ସମ୍ପର୍କିତ, ମତ୍ସ୍ୟ, ଉଦ୍ୟାନ ଓ ପଶୁପାଳନ ଉଦ୍ୟୋଗ ନିମନ୍ତେ ରାଜ୍ୟ ସରକାର ଋଣ ଉପରେ ରିହାତି ଦେଇଥାନ୍ତି। ଏଥିନିମନ୍ତେ ଜିଲ୍ଲାସ୍ତରୀୟ କମିଟି ୨୫ଜଣଙ୍କୁ ଉଦ୍ୟୋଗ ନିମନ୍ତେ ୱାର୍କ ଅର୍ଡର ଦେଇଥିଲେ। ଏହି ଆବେଦନକାରୀ ମାନେ ବିଭିନ୍ନ ବ୍ୟାଙ୍କରେ ପ୍ରସ୍ତାବିତ ଉଦ୍ୟୋଗ ନିମନ୍ତେ ଋଣ ପାଇଁ ଆବେଦନ କରିଥିଲେ।
ଅନେକ ଦିନ ବିତିଯାଇଥିଲେ ମଧ୍ୟ ବ୍ୟାଙ୍କ ଗୁଡ଼ିକ ବିଭିନ୍ନ କାରଣ ଦର୍ଶାଇ ଋଣ ମଂଜୁର କରୁ ନଥିଲେ। ମଙ୍ଗଳବାର ଏହି ବୈଠକରେ ପ୍ରତ୍ୟେକ ଆବେଦନକାରୀ ଓ ସେମାନେ ଆବେଦନକରିଥିବା ବ୍ୟାଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା ହୋଇଥିଲା। ଋଣ ପ୍ରଦାନରେ ରହିଥିବା ସମସ୍ୟାର ସମାଧାନ କରାଯାଇଥିଲା। ବୈଠକର ନିଷ୍ପତ୍ତି ଅନୁସାରେ ୨୫ଜଣ ଆବେଦନକାରୀଙ୍କ ମଧ୍ୟରୁ ୧୦ଜଣଙ୍କ ଋଣ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ପ୍ରଦାନ କରାଯିବ। ବଳକା ଆବେଦନକାରୀମାନଙ୍କ ଯେଉଁ ଜମି ଆଦି ସମସ୍ୟା ରହିଛି ତା’ର ସମାଧାନ କରାଯିବା ସହ ତୁରନ୍ତ ପ୍ରଦାନ କରାଯିବାକୁ ନିର୍ଦେଶ ଦିଆଯାଇଛି। ଏହାସହ ଏନେଇ ବର୍ଷକୁ ଥରେ ସମୀକ୍ଷା କରାନଯାଇ ପ୍ରତିମାସରେ ହେଉଥିବା ଜିଲ୍ଲାସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଏହାର ଅଗ୍ରଗତିକୁ ମଧ୍ୟ ପ୍ରସଙ୍ଗରେ ସାମିଲ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆପିକଲ୍ ଜିଲ୍ଲା ପରିଚାଳକ ପ୍ରଦୀପ କୁମାର ନାୟକ, ଜିଲ୍ଲା କୃଷି, ଉଦ୍ୟାନ, ମତ୍ସ୍ୟ ବିଭାଗ ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀଙ୍କ ସମେତ ଲିଡ୍ ବ୍ୟାଙ୍କର ପରିଚାଳକ ଉପସ୍ଥିତ ଥିଲେ।