ରାୟଗଡା: ରାୟଗଡା ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ବ୍ଲକ ସବୁଠାରୁ ଦୁର୍ଗମ ତଥା ନକ୍ସଲ ପ୍ରବଣ ଭାବେ ବେଶ୍ ପରଚିତ। ଏହି ବ୍ଲକର ବୁଡ଼ିବାଲି ପଞ୍ଚାୟତର ଗୁଡ୍ରିପଦର ଗ୍ରାମଟି ଅତି ଦୁର୍ଗମ ଅଞ୍ଚଳରେ ଅବସ୍ଥିତ। ଏହି ଗ୍ରାମରେ ପ୍ରାୟ ୧୫ରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି। ସମସ୍ତେ ଆଦିବାସୀ ସମ୍ପ୍ରଦାୟର। ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଏହି ଗ୍ରାମକୁ ଆଜି ବି ପକ୍କା ରାସ୍ତା ନାହିଁ। ୨୦୧୫-୧୬ ମସିହାରେ ମହାତ୍ମଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଏକ ମାଟି ରାସ୍ତା ନିର୍ମାଣ ହୋଇଥିଲା। ଯେଉଁ ରାସ୍ତାରେ ପାଦରେ ଚାଲିଯିବା ମଧ୍ୟ କଷ୍ଟକର। ତେବେ ଗ୍ରାମବାସୀ ବାଧ୍ୟ ହୋଇ ଏହି ରାସ୍ତାରେ ଯିବା ଆସିବ କରୁଥିଲେ। ତେବେ ଏହି ରାସ୍ତାର କାମକା ନିକଟରେ ଗୁଣୁପୁର ଆଟିଡିଏ ତରଫରୁ ଦୁଇଟି କଲଭର୍ଟ ନିର୍ମାଣ ନେଇ କାମ ଆରମ୍ଭ ହେଲା। ଦୁଇଟି ସ୍ଥାନରେ କଲଭର୍ଟ ପାଇଁ ଗାତ ଖୋଳି ଦେଲେ। ଦୀର୍ଘଦିନ ଧରି ଗାତ ଖୋଳିଥିଲେ ମଧ୍ୟ କାମ ଆରମ୍ଭ କଲେନାହିଁ। ପୁଣି ଗୋଟିଏ ଗାତରେ କଲଭର୍ଟର ଫାଉଣ୍ଡେସନ ଆରମ୍ଭ କଲେ। କିନ୍ତୁ ସେହି କାମ ଅଧାରେ ଛାଡିଦେଲେ। ଏବେ ରାସ୍ତାରେ ଗୋଟିଏ ସ୍ଥାନରେ ଗାତ ରହିଥିବା ବେଳେ ଅନ୍ୟ ସ୍ଥାନରେ ଅଧା ନିର୍ମିତ କଲଭର୍ଟ ରହିଛି। ଗ୍ରାମବାସୀ ବାରମ୍ବାର ଏନେଇ ଆଇଟିଡିଏ ଅଧିକାରୀଙ୍କୁ ଅବଗତ କରାଇଲେ ସେହି କାର୍ଯ୍ୟାଳୟରୁ ଉତ୍ତରରେ ଜିଲ୍ଲାପାଳ ଟଙ୍କା ଦେଇନଥିବାରୁ କାମ ଅଧାରେ ଅଟକିଥିବା କୁହାଯାଉଛି।

Advertisment

ତେବେ ଟଙ୍କା ନଥିଲା ତ କାମ କିପରି ଆରମ୍ଭ କରାଗଲା ବୋଲି ଗ୍ରାମବାସୀ ପାଲଟା ପ୍ରଶ୍ନର କରିଥିଲେ। ଏବେ ଗ୍ରାମକୁ ଯିବାକୁ ରାସ୍ତା ନଥିବାରୁ ଲୋକେ ବହୁ ହଇରାଣ ହେଉଥିବା କହିଥିଲେ। ଗ୍ରାମର ଲୋକଙ୍କୁ ରୋଗ କିମ୍ବା ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାକୁ ନେବାକୁ ହେଲେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିବା ଗ୍ରାମବାସୀ କହିଥିଲେ। ସେହିପରି ଗ୍ରାମକୁ ରାସ୍ତା ନଥିବାରୁ ସରକାରଙ୍କ ସମସ୍ତ ଯୋଜନା ଏହି ଗ୍ରାମରେ ପହଞ୍ଚି ପାରୁ ନାହିଁ।ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଇତ୍ୟାଦି ଆଜି ବି ଅପହଞ୍ଚ ହୋଇଥିବାରୁ ଗ୍ରାମବାସୀ ଆଗାମୀ ନିର୍ବାଚନରେ ଏହାର ଜବାବ ଦେବେ ବୋଲି ସ୍ପଷ୍ଟ କରିଥିଲେ। ନାହିଁ ନାହିଁରେ ଥିବା ଏହି ଗୁଡ୍ରିପଦର ଗ୍ରାମକୁ କୌଣସି ନେତା କିମ୍ବା ପ୍ରଶାସନିକ ଅଧିକାରୀଙ୍କ ପାଦ ପଡୁନାହିଁ। ଯାହାଫଳରେ ଲୋକେ ଆଜି ବି ଅପହଞ୍ଚ ହୋଇ ରହିଛନ୍ତି। ତୁରନ୍ତ ଗ୍ରାମକୁ ରାସ୍ତା ସହ ସରକାରୀ ଯୋଜନା ପହଞ୍ଚାଇବାକୁ ଦାବି ହୋଇଛି। ଭାତହାଣ୍ଡିରୁ ଗୋଟିଏ ଏହି ଗ୍ରାମ। ପଦ୍ମପୁର ବ୍ଲକର ବହୁ ଗ୍ରାମକୁ ଆଜି ବି ପକ୍କା ରାସ୍ତା ନାହିଁ। ଜିଲ୍ଲା ସଦର ମହକୁମା ଠାରୁ ସବୁଠାରୁ ଦୁରରେ ରହୁଥିବା ଏହି ଗ୍ରାମକୁ ପ୍ରଶାସନ ଏକ ପ୍ରକାର ଭୁଲିଯାଇଥିବା କୁହାଯାଇଛି। ତୁରନ୍ତ ବ୍ଲକ ପ୍ରଶାସନ ଏବଂ ପଞ୍ଚାୟତ ତରଫରୁ ଏହି ଗ୍ରାମକୁ ରାସ୍ତା  ନିର୍ମାଣ ନେଇ ଦାବି ହୋଇଛି।