ନିଆଳି: ରାଜ୍ୟର ଉନ୍ନତ ଜିଲ୍ଲାରେ ପରିଗଣିତ ହେଉଛି କଟକ। ହେଲେ, ତଥାକଥିତ ଏହି ଉନ୍ନତ ଜିଲ୍ଲାର ନିଆଳି ବ୍ଲକ୍ରେ ବହୁ ଗରିବ ଓ ଅସହାୟ ପରିବାର ସରକାରୀ ଆବାସ ଯୋଜନାରୁ ବଞ୍ଚିତ ହୋଇ ଶୀତକାକରରେ ପଲିଥିନ୍ ତଳେ ଜୀବନ କାଟୁଥିବା ଦେଖିବାକୁ ମିଳୁଛି। ଅସହାୟ ପରିବାର ଆବାସ ଯୋଜନାରେ ପକ୍କାଘର ଖଣ୍ଡିଏ ପାଇଁ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ସବୁ ସମୟରେ ପ୍ରତିଶ୍ରୁତି ପାଉଛନ୍ତି। ହେଲେ, ସରକାରୀ ପକ୍କାଘର ମିଳୁ ନ ଥିବାରୁ ସେମାନେ ମୁଣ୍ଡ ଗୁଞ୍ଜିବା ପାଇଁ ବାର ଦୁଆର ହେଉଥିବା ଅଭିଯୋଗ ହେଉଛି। ଏହାର ଦୃଷ୍ଟାନ୍ତ ହେଉଛନ୍ତି ନିଆଳି ବ୍ଲକ୍ ବିଳାଶୁଣୀ ପଞ୍ଚାୟତ ଅନ୍ତର୍ଗତ ବିଳାଶୁଣୀ (ମଠସାହି) ଗ୍ରାମର ଧରମୁ ଦାସ। ବହୁବର୍ଷ ଧରି ଧରମୁ ଭଙ୍ଗା କୁଡ଼ିଆରେ ପଲିଥିନ୍ ତଳେ ରହୁଛନ୍ତି। ବିଳାଶୁଣୀ ବଜାରରେ ଉଠା ଚା’ ଦୋକାନ କରି ସେ ଗୁଜୁରାଣ ମେଣ୍ଟାନ୍ତି। ସ୍ବଳ୍ପ ରୋଜଗାର ଯୋଗୁଁ ଅଧା ସମୟ ଉପବାସ ରହିବାକୁ ପଡ଼ୁଥିବା ଧରମୁ କୁହନ୍ତି।
ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ସେ ବ୍ଲକ୍ ଓ ଜିଲ୍ଲା ପ୍ରଶାସନ ନିକଟରେ ବହୁବାର ନେହୁରା ହୋଇଛନ୍ତି। ମାତ୍ର ତାଙ୍କ ଅବସ୍ଥା ଉପରେ ସରକାରୀ ଅଧିକାରୀଙ୍କ ଦୃଷ୍ଟି ପଡ଼ୁ ଥିବା ସେ ଅଭିଯୋଗ କରିଛନ୍ତି। ସିଠାଳୋ ପଞ୍ଚାୟତ ଅମରପଡ଼ା ଗ୍ରାମର ବେବିନା ନାୟକ ମଧ୍ୟ ଅନୁରୂପ ଅବସ୍ଥା ଭୋଗୁଛନ୍ତି। ଦିନମଜୁରିଆ ହୋଇଥିଲେ ବି ସରକାରୀ ଆବାସ ଯୋଜନାରୁ ସେ ବଞ୍ଚିତ ହୋଇରହିଛନ୍ତି। ଏହି ଗ୍ରାମର ମଙ୍ଗୁଳି ନାୟକ, ହୁଲ୍ଲାସ ଜେନା ଓ ରାଣୀଓଳା ପଞ୍ଚାୟତ ପୁଇଁଚନ୍ଦା ଗ୍ରାମର ବାସୁଦେବ ବସ୍ତିଆଙ୍କ ପରି ଅନେକ ପରିବାର ସରକାରୀ ଆବାସ ନ ପାଇ ପଲିଥିନ୍ ତଳେ ଅସହାୟ ଅବସ୍ଥାରେ ପଡ଼ି ରହିଥିବା ଜଣାପଡ଼ିଛି। ଜିଲ୍ଲାପାଳ ଓ ବିଡିଓ ଏହାର ତଦନ୍ତ କରି ଅସହାୟ ପରିବାରକୁ ସରକାରୀ ଆବାସ ଯୋଜନାରେ ସାମିଲ୍ କରିବାକୁ ସାଧାରଣରେ ଦାବି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/NIALI-FILE-1-22-2-2023-PHOTO-4_6.jpg)