ଖୋର୍ଦ୍ଧା ଗ୍ରାମାଂଚଳର ୬୦ ପ୍ରତିଶତ କୋଭିଡ ପ୍ରତିଷେଧକ ଟିକା, ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପ୍ରତି ରହୁନାହିଁ ଲୋକଙ୍କ ଆଗ୍ରହ

ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଂଚଳରେ ଅର୍ଥାତ୍ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ୧୦ଟି ସିଏଚ୍‌ସିରେ ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ୨୫ ହଜାର ବ୍ୟକ୍ତି କୋଭିଡ୍ ପ୍ରତିଷେଧକ ଟିକା ପାଇଛନ୍ତି। ୨୦୧୧ ଜନଗଣନା ଅନୁସାରେ ଭୁବନେଶ୍ୱର ମହାନଗର ନିଗମ ବ୍ୟତୀତ ମୋଟ ଜନସଂଖ୍ୟାର ଏହା ୬୦ ପ୍ରତିଶତ। ଏହାବ୍ୟତୀତ ପ୍ରଥମ ପର୍ଯ୍ୟାୟ ଟିକା ନେଇଥିବା ଜନସଂଖ୍ୟା ମଧ୍ୟରୁ ଦ୍ୱିତୀୟ ପର୍ଯ୍ୟାୟ ଟିକା ନେଇଥିବା ସାଧାରଣ ଲୋକଙ୍କ ସଂଖ୍ୟା ପ୍ରାୟ ୬୦ ପ୍ରତିଶତ ରହିଛି। ୨୦୧୧ ଜନଗଣନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲାର ମୋଟ ଜନସଂଖ୍ୟା ପ୍ରାୟ ୨୨ଲକ୍ଷ। ଏହା ମଧ୍ୟରୁ ଗ୍ରାମାଂଚଳର ମୋଟ ଜନସଂଖ୍ୟା ୧୧ ଲକ୍ଷ ୧୬ ହଜାର ଓ ସହରାଂଚଳ ଜନସଂଖ୍ୟା ୧୦ ଲକ୍ଷ ୮୪ ହଜାର। ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ରହୁଥିବା ପ୍ରାୟ ୯ ଲକ୍ଷ ଲୋକଙ୍କୁ ବାଦ ଦେଲେ ୧୦ଟି ବ୍ଳକ ଓ ୪ଟି ପୌରାଂଚଳରେ ପ୍ରାୟ ୧୨ ଲକ୍ଷ ଲୋକ ରୁହନ୍ତି। କୋଭିଡ୍ ସଂକ୍ରମଣର ପ୍ରଥମ ପର୍ଯ୍ୟାୟର ଶେଷ ଆଡ଼କୁ ଅର୍ଥାତ୍ ଜାନୁଆରି ମାସର ଦ୍ୱିତୀୟ ସପ୍ତାହରୁ ଗ୍ରାମାଂଚଳରେ ପ୍ରତିଷେଧକ ଟିକା ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବର୍ତ୍ତମାନ ୯ ମାସ ମଧ୍ୟରେ ଗ୍ରାମାଂଚଳର ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ୧୦ଟି ବ୍ଲକରେ ଥିବା ସିଏଚ୍‌ସିରେ ଆଜି ସୁଦ୍ଧା ୭ଲକ୍ଷ ୨୫ ହଜାର ୪୭୪ଜଣ ଟିକା ନେଇଛନ୍ତି। ଯାହା ମୋଟ ଜନସଂଖ୍ୟାର ୬୦ ପ୍ରତିଶତ । ୧୮ ରୁ ୪୪ ବର୍ଷ ମଧ୍ୟରେ ଆଜି ସୁଦ୍ଧା ୨ ଲକ୍ଷ ୬୨ ହଜାର ୨୦୩ ଜଣ ପ୍ରଥମ ପର୍ଯ୍ୟାୟ ଟିକା ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୫ହଜାର ୪୫ଜଣ କେବଳ ଦ୍ୱିତୀୟ ପର୍ଯ୍ୟାୟ ଟିକା ପାଇଛନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନାନୁସାରେ, ବର୍ତ୍ତମାନ ସୁଦ୍ଧା ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ୯୩ ପ୍ରତିଶତ ଅର୍ଥାତ୍ ୮୦୨୮ଜଣ ପ୍ରଥମ ପର୍ଯ୍ୟାୟ ଟିକା ନେଇଥିବା ବେଳେ ୮୨ ପ୍ରତିଶତ ଅର୍ଥାତ୍ ୭୦୭୯ଜଣ ଦ୍ୱିତୀୟ ପର୍ଯ୍ୟାୟ ଟିକା ନେଇଛନ୍ତି। ସେହିଭଳି ସମ୍ମୁଖ କରୋନା ଯୋଦ୍ଧାଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୧ହଜାର ୧୦୭ଜଣ ଦ୍ୱିତୀୟ ପର୍ଯ୍ୟାୟ ଟିକା ନେଇଥିବା ବେଳେ ଏହା ମୋଟ ଲକ୍ଷ୍ୟର ୧୯୨ ପ୍ରତିଶତ ଅଟେ।

୪୫ରୁ ୫୯ ବର୍ଷ ବୟସ୍କଙ୍କ ମଧ୍ୟରେ ୧ଲକ୍ଷ ୩୮ହଜାର ୧୯୮ଜଣ ପ୍ରଥମ ପର୍ଯ୍ୟାୟ ଟିକା ନେଇଥିବା ବେଳେ ୭୪ହଜାର ୬୨୬ଜଣ ଦ୍ୱିତୀୟ ପର୍ଯ୍ୟାୟ ଟିକା ନେଇଛନ୍ତି। ୬୦ ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କ ମଧ୍ୟରେ ୯୭ହଜାର ୨୨୮ଜଣ ପ୍ରଥମ ପର୍ଯ୍ୟାୟ ଟିକା ନେଇଥିବା ବେଳେ ୬୧ହଜାର ୯୯୦ଜଣ ଦ୍ୱିତୀୟ ପର୍ଯ୍ୟାୟ ଟିକା ନେଇଛନ୍ତି। ଅନୁଶୀଳନରୁ ଜଣାଯାଇଛି ଯେ ପ୍ରଥମ ପର୍ଯ୍ୟାୟ ଟିକା ନେବା ପରେ ଦ୍ୱିତୀୟ ପର୍ଯ୍ୟାୟ ଟିକା ପାଇଁ ଲୋକଙ୍କ ମଧ୍ୟରେ ସେତେଟା ଆଗ୍ରହ ଦେଖିବାକୁ ମିଳୁନାହିଁ। ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହ ଯୋଗାଯୋଗ କରିବାରେ ଏନେଇ କହିଛନ୍ତି ଯେ କୋୱିନ୍ ପୋର୍ଟାଲ୍‌ରେ ପଂଜୀକରଣ କରିଥିବା କୌଣସି ବ୍ୟକ୍ତ କୌଣସି ସ୍ଥାନରେ ଟିକା ଦେଇପାରିବ। ଏଣୁ ଏହି ସଂଖ୍ୟା ଜିଲ୍ଲାର ମୋଟ ଜନସଂଖ୍ୟାର ଅନୁପାତ ହିସାବ କରିବାରେ ତ୍ରୁଟି ହୋଇପାରେ। ଟିକାକରଣ ଚାଲିଛି, ରାଜ୍ୟ ସରକାର ଡିସେମ୍ବର ସୁଦ୍ଧା ଶତପ୍ରତିଶତ ଟିକାକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି, ଏହା ମଧ୍ୟରେ ଜିଲ୍ଲାର ଗ୍ରାମାଂଚଳରେ ସମସ୍ତ ଜନସାଧାରଣ ଟିକା ପାଇବେ।

ସମ୍ବନ୍ଧିତ ଖବର