ସଚେତନତାର ଅଭାବ: କୋଭିଡ ପରୀକ୍ଷା ଓ ଟୀକା ନେବାପାଇଁ ଆଗ୍ରହ କରୁନାହାନ୍ତି ଲୋକ

ଝରିଗାଁ: ନବରଙ୍ଗପୁର ଜିଲ୍ଲାରେ କରୋନା ନିଜର କାୟାବିସ୍ତାର କରିଥିବା ବେଳେ ଜିଲ୍ଲାରୁ ଏଯାଏଁ ମହାମାରୀର ବିପଦ ଟଳିନି । ଏଭଳି ପରିସ୍ଥିତିରେ ଘରକୁ ଘର ବୁଲି ସର୍ଭେ ସହ ଟିକାକରଣକୁ ଗୁରୁତ୍ବ ଦେଉଛି ଜିଲ୍ଲା ପ୍ରଶାସନ।ବିଶେଷ କରି ଗ୍ରାମାଞ୍ଚଳରେ ଲୋକେ ଅମାନିଆ ହେଉଥିବା ବେଳେ ଗ୍ରାମାଞ୍ଚଳର ଲୋକେ କିପରିସୁରକ୍ଷିତ ରହିବେ ତାକୁ ନେଇ ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ତରଫରୁ ତପ୍ତରତା ପ୍ରକାଶ ପାଇ ଥିବାବେଳେ କରୋନା ପରୀକ୍ଷା ଓ ଟିକାକରଣକୁ ବିରୋଧ କରୁଛନ୍ତି ଅଞ୍ଚଳବାସୀ । ଏବେ ବି ଆଦିବାସୀ ଗ୍ରାମାଞ୍ଚଳରେ କୁସଂସ୍କାର ଓ ଅନ୍ଧ ବିଶ୍ଵାସ ଲାଗି ରହିଥିବା ବେଳେ ଅପପ୍ରଚାର ଯୋଗୁଁ ଲୋକେ ଟିକା ନେବାକୁ ରାଜି ହେଉନାହାନ୍ତି। ଏଭଳି ଏକ ଅଭାବନିୟ ଘଟଣା ଦେଖୁବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଅବହେଳିତ ଝରିଗାଁ ବ୍ଳକରେ।

ସଚେତନତା ଅଭାବ ହେତୁ ସବୁ କ୍ଷେତ୍ରରେ ପଛୁଆ ଏହି ବ୍ଲକ ବିଶେଷ କରି ସ୍ବାସ୍ଥ୍ୟ କ୍ଷେତ୍ରରେ ସଚେତନତାର ଢ଼େର ଅଭାବ ରହିଛି। ଏହି ବ୍ଳକର ଉପାନ୍ତ ଅଞ୍ଚଳରେ ଥିବା ଲୋକମାନେ କୌଣସି ରୋଗ ହେଲେ ଗୁଣିଆ କିମ୍ବା କ୍ବାକ ଉପରେ ନିର୍ଭର କରୁଥିବା ବେଳେ ଗୁରୁତର ଅବସ୍ଥାରେ ଡାକ୍ତରଖାନା ଆସନ୍ତି। ଏହିଭଳି ସ୍ୱାସ୍ଥ୍ୟ ସଚେତନତା ଅଭାବ ବ୍ଳକରେ କୋଭିଡ ମହାମାରୀର ମୁକାବିଲା ପାଇଁ ପ୍ରଶାସନକୁ ନାକେଦମ ହେବାକୁ ପଡୁଛି। ବ୍ଳକର ଉପାନ୍ତ ଅଂଚଳରେ ଲୋକ ମାନେ ଅସୁସ୍ଥ ଅବସ୍ଥାରେ ଘରେ ପଡିରହୁଛନ୍ତି। ଅଧିକ ଗୁରୁତର ହେଲେ କ୍ବାକ ଉପରେ ନିର୍ଭର କରୁଛନ୍ତି। କିନ୍ତୁ କୋଭିଡ ପରୀକ୍ଷା ଭୟରେ ଡାକ୍ତରଖାନା ଆସୁନାହାନ୍ତି।

ସେହିପରି ସ୍ୱାସ୍ଥ୍ୟ ବିଭାଗ ତରଫରୁ କୋଭିଡ ଟୀକା ନେବା ପାଇଁ କହିବା ପରେ ମଧ୍ୟ ପ୍ରାୟ ଲୋକ ଟୀକା ନେବା ପାଇଁ କେନ୍ଦ୍ରକୁ ଆସୁନାହାନ୍ତି, ସଂକ୍ରମଣ ରୋକିବାରେ ଏକ ପ୍ରକାର ସମସ୍ୟା ଦେଖାଦେଇଛି। ଝରିଗାଁ ବ୍ଲକ ର ବିଭିନ୍ନ ଟୀକାକରଣ କେନ୍ଦ୍ରରେ ଗତ ୧୧ ଦିନ ମଧ୍ୟରେ ମାତ୍ର ୧୨୪୧ ଜଣ ଟୀକା ନେଇଥିବା ବେଳେ ଗତ ସମବାର ଦିନ ମାତ୍ର ୮୪ ଜଣ ମଙ୍ଗଳବାର ଦିନ ୧୩୨ ଜଣ ଏବଂ ବୁଧବାର ଦିନ ୯୭ ଜଣ ଟୀକା ନେଇଛନ୍ତି।ସେହିପରି କୋଭିଡ ପରୀକ୍ଷା ପାଇଁ ମଧ୍ୟ କମ ଲୋକ ଆସୁଛନ୍ତି। ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଟିମ୍ ସ୍ଥାନୀୟ ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ସାଥିରେ ନେଇ ଟିକା ଦେବାକୁ ଗ୍ରାମରେ ପହଞ୍ଚିବା ବେଳେ ଗ୍ରାମବାସୀ ଟିକାକୁ ବିରୋଧ କରି ତାଟି କବାଟ କିଳି ଘରଭିତରେ ରହିଯାଉଥିବା ବେଳେ ସମସ୍ତେ ଘଣ୍ଟା ଘଣ୍ଟା କାଳ ଅପେକ୍ଷା କରି ନିରାଶ ହୋଇ ଫେରୁଥିବାର ଦେଖିବାକୁ ମିଳୁଛି।

ଝରିଗାଁ ବ୍ଲକରେ ଧାମନଗୁଡାର ନାଗଯୋଡି, ରଙ୍ଗମାଟି, ନିରଣ୍ଡୀ, ତେଲନଦୀ, ଆକୋଡ଼ସିଲ, ନାଙ୍ଗଲସିଲ,ସନଦିଗି ଆଦି ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ର ଅନେକ ବୁଝେଇବା ପରେବି ଗ୍ରାମବାସୀ ଙ୍କ କ୍ଷେତ୍ରରେ କିଛି ପରିବର୍ତ୍ତନ ହୋଇନଥିଲା ଶେଷରେ ସମସ୍ତ କର୍ମଚାରୀ ନିରାଶ ହୋଇ ଫେରିଥିବାର ଦେଖିବାକୁ ମିଳିଥିଲା। ସ୍ଥାନୀୟ ଜନସାଧାରଣଙ୍କୁ ଟୀକାକରଣ ନେଇ ସଚେତନତା ସୃଷ୍ଟି ପାଇଁ କେବଳ ଯେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଙ୍କ ଉପରେ ଦ୍ୱାୟିତ ନ୍ୟସ୍ତ କରିଦେଲେ ହେବନି ଏଭଳି ପରିସ୍ଥିତି ରେ ସ୍ଥାନୀୟ ଜନ ପ୍ରତିନିଧି, ସ୍ବେଚ୍ଛାସେବୀ, ବିଭିନ୍ନ ବିଭାଗର କର୍ମଚାରୀ, ବୁଦ୍ଧିଜୀବି ପ୍ରମୁଖ ଆଗକୁ ଆସି ଗ୍ରାମାଞ୍ଚଳରେ ଏଥିନେଇ କ୍ରିୟାଶୀଳ ହେବାର ଆବଶ୍ୟକତା ରହିଥିବା ନେଇ ସାଧରଣରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର